ରାଜ୍ୟକୁ ଆଶୱସ୍ତି; ‘ଆର୍’ ଭ୍ୟାଲୁ ୧ତଳକୁ ଖସିଲା

ଜାନୁଆରିରେ ବାହାରିଲେ ୧.୯୭ଲକ୍ଷ ଆକ୍ରାନ୍ତ, ୧୫୦ ମୃତ
ଦିନକରେ ୩୦୮୬ ପଜିଟିଭ୍, ୧୭ ମୃତ

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ସହିତ ସଂକ୍ରମଣ ହାର ହ୍ରାସ ଜାରି ରହିଛି। ଏବେ ଦୈନିକ ସଂକ୍ରମଣ ୩ହଜାରକୁ ଖସି ଆସିଲାଣି। ତେବେ ଏହା ଭିତରେ ଭୂତାଣୁର ‘ଆର୍’ ବା ରିପ୍ରଡକସନ୍ ଭ୍ୟାଲୁ ମଧ୍ୟ ୧ ତଳକୁ ଖସି ଆସିଛି। ଗତମାସ ଶେଷ ସୁଦ୍ଧା ରାଜ୍ୟର ‘ଆର୍’ ଭ୍ୟାଲୁ ୦.୬୫ ରହିଛି। ଅର୍ଥାତ୍ ବର୍ତମାନ ୩ଜଣ ସଂକ୍ରମିତ ଅନ୍ୟ ୨ଜଣଙ୍କୁ ସଂକ୍ରମିତ କରିପାରୁଛନ୍ତି। ଯାହାଫଳରେ ତୃତୀୟ ଲହରରେ ଯେଉଁଭଳି ଭାବେ ସଂକ୍ରମଣ ମାଡ଼ୁଥିଲା, ତହିଁରେ ବ୍ରେକ୍ ଲାଗିଛି। ଏପରିକି ଦେଶରେ ‘ଆର୍’ ଭ୍ୟାଲୁ ୦.୮୦ ଥିବା ବେଳେ ଓଡ଼ିଶାରେ ଏହା ଯଥେଷ୍ଟ କମ୍ ରହିଛି। ଜାନୁଆରି ଦ୍ବିତୀୟ ସପ୍ତାହ ବେଳକୁ ଓଡ଼ିଶାର ‘ଆର୍’ ଭ୍ୟାଲୁ ୪ ଟପିଥିଲା। ସୁନ୍ଦରଗଡ଼, ସମ୍ବଲପୁର ଭଳି ଜିଲ୍ଲାରେ ଏହା ରାଜ୍ୟଠାରୁ ମଧ୍ୟ ଅଧିକ ରହିଥିଲା। ଫଳରେ ରାଜ୍ୟରେ ସଂକ୍ରମଣ ନିଆଁ ଭଳି ମାଡ଼ିଥିଲା ଓ ଗତମାସ ୧୮ତାରିଖରେ ରାଜ୍ୟରେ ଶୀର୍ଷ ସଂକ୍ରମଣ ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ସିରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସହିତ ଯେଉଁ ଜିଲ୍ଲାଗୁଡ଼ିକ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଥିଲା ସେସବୁରେ ମଧ୍ୟ ‘ଆର୍’ ଭ୍ୟାଲୁ ଖସି ଆସିଛି। ଖୋର୍ଧାରେ ଏହା ୦.୫୨, କଟକ ୦.୬୮, ବାଲେଶ୍ବର ୦.୭୭, ପୁରୀ ୦.୭୪, କଳାହାଣ୍ଡି ୦.୭୮, ଗଞ୍ଜାମ ୦.୫୬, ନୟାଗଡ଼ ୧.୦୮, ସମ୍ବଲପୁର ୦.୯୭ ଓ ସୁନ୍ଦରଗଡ଼ରେ ୦.୫୫ ରହିଛି। କେବଳ ନୟାଗଡ଼କୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲ୍ଲାରେ ‘ଆର୍’ ଭ୍ୟାଲୁ ୧ ତଳେ ରହିଛି।

ସେହିପରି ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିଲା। ଜାନୁଆରି ମାସର ୩ଟି ସପ୍ତାହରେ ସଂକ୍ରମଣ ବଢ଼ିବା ସହିତ ଶେଷ ସପ୍ତାହ ଆଡ଼କୁ ସଂକ୍ରମଣ ଖସି ଆସିଥିଲା। ଗତ ଜାନୁଆରି ମାସରେ ରାଜ୍ୟରେ ୧ଲକ୍ଷ ୯୭ହଜାର ୭୭୦ଜଣଙ୍କୁ ଚିହ୍ନଟ କରାଯାଇଥିଲା।। ଏହାସହ ଏହି ମାସରେ ୧୫୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଇତିମଧ୍ୟରେ ରାଜ୍ୟରେ ଦ୍ବିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟ‌ାରେ ରାଜ୍ୟରେ ୩୦୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୬୫୨, କଟକ ୩୨୫, ସୁନ୍ଦରଗଡ଼ ୨୧୬, ଯାଜପୁର ୧୪୯, ନୟାଗଡ଼ ୧୧୦, ମୟୂରଭଞ୍ଜ ୧୦୯, ନୂଆପଡ଼ା ୧୦୬ ଓ ଷ୍ଟେଟ୍‌ ପୁଲରୁ ୧୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୫୨ହଜାର ୩୨୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ମହାମାରୀ ନିୟମ ଅନୁସାରେ ଧୀରେ ଧୀରେ କଟକଣା କୋହଳ ହେବା ଦରକାର।

ପ୍ରଥମ ପର୍ଯ୍ୟାୟରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି। ପରେ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନେବେ। ରାଜ୍ୟରେ ସଂକ୍ରମଣ ଲଗାତାର ଭାବେ କମି ଚାଲିଛି। ତେଣୁ ଅଳ୍ପଦିନ ଭିତରେ ରାଜ୍ୟରେ ସ୍ଥିତି ଭଲ ଅବସ୍ଥାକୁ ଫେରି ଆସିବ। ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ହେଲେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ନିୟମକୁ ମାନିବା ଜରୁରୀ ବୋଲି ଡା.ମହାପାତ୍ର କହିଛନ୍ତି।

ରାଜ୍ୟରେ ଆଉ ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଆଜି ସରକାରୀ ଘୋଷଣା ହୋଇଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି। ଏହାସହ ଆଜି ୭୭୬୭ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ଫଳ‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୪,୩୩୧କୁ ଖସି ଆସିଛି। ‌ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୯ହଜାର ୩୧୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର