ରାଜ୍ୟରେ କରୋନା ଦୈନିକ ସଂକ୍ରମଣରେ ୧୪% ବୃଦ୍ଧି

ଅଡିଟ୍‌ ଅପେକ୍ଷାରେ ଆହୁରି କୋଭିଡ ମୃତ୍ୟୁ, ୯ ଦିନରେ ଘୋଷଣା ହେଲାଣି ୧୮୫ କୋଭିଡ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନାର ତୃତୀୟ ଲହରରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କିଛି ହାତ ଗଣତି ଜିଲ୍ଲାକୁ ବାଦ୍ ଦେ‌ଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ଦୈନିକ ସଂକ୍ରମଣ ଖସି ଆସିଲାଣି। ହେଲେ ଦିନକୁ ଦିନ କୋଭିଡ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏସବୁ ମୃତ୍ୟୁ ପୂର୍ବରୁ ହୋଇଥିବା ଓ ଅଡିଟ୍‌ ପରେ ଘୋଷଣା କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆଯାଉଛି।

ଜାନୁଆରି ଶେଷ ସପ୍ତାହରୁ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଚଳିତମାସ ଆରମ୍ଭରୁ ୯ତାରିଖ ଭିତରେ ରାଜ୍ୟରେ ୧୮୫ଜଣ ପ୍ରାଣ ହରାଇଥିବା ଘୋଷଣା ହୋଇଛି। କରୋନାରେ ପ୍ରାଣ ହରାଉଥିବା ମୃତକଙ୍କ ଅଡିଟ୍‌ କରିବା ପାଇଁ ଜିଲ୍ଲାକୁ କ୍ଷମତା ଦିଆଯାଇଛି। ରାଜ୍ୟସ୍ତରରେ ଥିବା ସ୍ବାସ୍ଥ୍ୟ ଅଧିକାରୀ ଏହାର ସମୀକ୍ଷା କରିବା ପରେ ସରକାର ମୃତକଙ୍କ ସଂଖ୍ୟା ଘୋଷଣା କରୁଛନ୍ତି। ଜିଲ୍ଲାମାନଙ୍କୁ କୋଭିଡ ମୃତ୍ୟୁର ୪୮ଘଣ୍ଟା ପରେ ଏହାର ଅଡିଟ୍‌ କରି ରାଜ୍ୟସ୍ତରରେ ଥିବା ଅଧିକାରୀଙ୍କୁ ପଠାଇବାକୁ କୁହାଯାଇଛି। ମାତ୍ର ଜିଲ୍ଲାସ୍ତରରୁ ଏସବୁ ତଥ୍ୟ ଆସିବାରେ ବିଳମ୍ବ ହେଉଛି ନା ରାଜ୍ୟସ୍ତରରେ ମୃତ୍ୟୁ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖି ଘୋଷଣା କରାଯାଉଛି ତାହା ରହସ୍ୟ ଘେରରେ ରହିଛି।

ରାଜ୍ୟରେ କୋଭିଡ ସଂକ୍ରମଣ ଏକ ଗୋଳମାଳିଆ ସ୍ଥିତିରେ ରହିଛି। କ‌ରୋନାର ତୃତୀୟ ଲହର କେଉଁ ପ୍ରଜାତି ଡେଲ୍‌ଟା ନା ଓମିକ୍ରନ୍ ପାଇଁ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ। ବିଭାଗୀୟ ଅଧିକାରୀମାନେ ରାଜ୍ୟରେ ଡେଲ୍‌ଟା ଯୋଗୁଁ ମୃତ୍ୟୁ ହେଉଥିବା କହୁଥିବା ବେଳେ ଏତେ କ୍ଷୀପ୍ର ଗତିରେ ସଂକ୍ରମଣ ବ୍ୟାପିବା ପଛରେ ଓମିକ୍ରନ୍‌ କି ଡେଲ୍‌ଟା ତାହା ଦୃଢ଼ଭାବେ କହିପାରୁ ନାହାନ୍ତି। କିଛିଦିନ ପୂର୍ବରୁ ଗୋଷ୍ଠୀ ସ୍ତରରେ ସଂଗୃହୀତ ହୋଇଥିବା ପଜିଟିଭ୍ ନମୁନାର ଜିନୋମ ସିକ୍ବେନ୍ସିଂରେ ୬୦ ପ୍ରତିଶତ ଓମିକ୍ରନ୍‌ ରହିଥିବା ‌କୁହାଯାଇଥିଲା। ପରବର୍ତୀ ସମୟରେ ଏହି ସଂଖ୍ୟା ୭୬ ପ୍ରତିଶତକୁ ଛୁଇଁଥିବା କୁହାଯାଉଛି। ତେଣୁ ଡେଲ୍‌ଟା ପ୍ରଜାତିକୁ ଓମିକ୍ରନ୍ ଶତ ପ୍ରତିଶତ ଅପସାରଣ କରିବା ପରେ ହୁଏତ ରାଜ୍ୟରେ ଛୋଟ ସଂକ୍ରମଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି।

ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ଦୈନିକ ସଂକ୍ରମଣରେ ୧୪ ପ୍ରତିଶତ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ରାଜ୍ୟରେ ୧୭୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୩୨୩ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୫୭, ସୁନ୍ଦରଗଡ଼ ୧୪୭, କଟକ ୧୦୪, ଅନୁଗୁଳ ୭୯, ମୟୂରଭଞ୍ଜ ୫୩, ସମ୍ବଲପୁର ୫୬, ସୋନପୁର ୫୪, ନୟାଗଡ଼ ୪୫, କଳାହାଣ୍ଡି ଓ ଢେଙ୍କାନାଳରେ ୪୯ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୪୮ ଆକ୍ରାନ୍ତ ବାହାରିଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୧ହଜାର ୫୨୩କୁ ବୃଦ୍ଧି ପାଇଛି। ଆଉ ୨୨ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଘୋଷଣା ହୋଇଛି। ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୮୭୯୭ରେ ପହଞ୍ଚିଛି। ରାଜ୍ୟରେ ଆଜି ୩୧୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪,୫୨୧କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୪୮ହଜାର ୧୫୨କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର