ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ହେଉଛନ୍ତି ୨୦% ପିଲା

ପଛୁଆ କରୋନା ମୃତ୍ୟୁ, ଦୈନିକ ସଂଖ୍ୟା ୨୪କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ହଜାର ତଳେ ସ୍ଥିର ରହିଛି। ଗତ ୬ଦିନ ଧରି ଏଭଳି ଧାରା ଜାରି ରହିଛି। କେବଳ ଖୋର୍ଧା, ସୁନ୍ଦରଗଡ଼କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେଉଛନ୍ତି। ହେଲେ ଦୈନିକ ସଂକ୍ରମଣରେ ୧୮ବର୍ଷରୁ କମ୍ ପିଲାଙ୍କ ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି। ଅନେକ କ୍ଷେତ୍ରରେ ପିଲାଙ୍କ ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ଦେଶରେ ଏ ପର୍ଯ୍ୟନ୍ତ ୧୫-୧୮ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଟିକାକରଣ କରାଯାଉଛି। ଏହାଠୁ କମ୍ ବୟସର ପିଲାଙ୍କ ପାଇଁ ଏ ପର୍ଯ୍ୟନ୍ତ ଟିକା ଉପଲବ୍ଧ ହୋଇନାହିଁ।

ରାଜ୍ୟରେ ‌ଗୋଟିଏ ପଟେ ଦୈନିକ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢ଼ି ଚାଲିଛି। ବେଶ୍‌ କିଛିଦିନ ପୂର୍ବରୁ ପ୍ରାଣ ହରାଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂପର୍କରେ ସରକାରଙ୍କ ପକ୍ଷରୁ ଏବେ ଘୋଷଣା କରାଯାଉଛି। ଯାହାଫଳରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଭିତରେ ତାଳମେଳ ରହୁନାହିଁ। ସରକାରଙ୍କ ପକ୍ଷରୁ ଆଉ ୨୪ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଯାହାକି ତୃତୀୟ ଲହର ବର୍ତମାନ ସୁଦ୍ଧା ସର୍ବାଧିକ।ଏଥିସହିତ ରାଜ୍ୟର ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୮୬୨କୁ ବୃଦ୍ଧି ପାଇଛି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସଫେଇ ହେଉଛି ସଂକ୍ରମଣ ବଢ଼ିବାର ୪/୬ ସପ୍ତାହରେ ମୃତ୍ୟୁ ସଂଖ୍ୟା ବଢ଼ିଥାଏ। କିନ୍ତୁ ମୃତ୍ୟୁ ସଂଖ୍ୟାକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଭିତରେ ସୀମିତ ରଖିବା କାରଣରୁ ମୃତ୍ୟୁ ସଂଖ୍ୟା ଘୋଷଣାରେ ବିଳମ୍ବ ହେଉଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି। ଜିଲ୍ଲାସ୍ତରରୁ ଡେଥ୍ ଅଡିଟ୍‌ ରିପୋର୍ଟ ରାଜ୍ୟସ୍ତରରେ ପହଞ୍ଚିବାରେ ବିଳମ୍ବ ମଧ୍ୟ ଏହା ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବାର ୪୮ଘଣ୍ଟା ଭିତରେ ଡେଥ୍‌ ଅଡିଟ୍‌ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି। ହେଲେ ଏସବୁ ରିପୋର୍ଟ ଆସିବାରେ ଯଥେଷ୍ଟ ବିଳମ୍ବ ହେଉଥିବା ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

ଅପରପକ୍ଷରେ ୨୪ଘଣ୍ଟାରେ ରାଜ୍ୟରେ ୧୫୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୩୪୨ ପିଲା ରହିଛନ୍ତି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୨୩, ସୁନ୍ଦରଗଡ଼ ୧୨୪, ଅନୁଗୁଳ ୧୧୯, କଟକ ୮୫, ରାୟଗଡ଼ା ୭୫, ସମ୍ବଲପୁର ୬୫, ଗଞ୍ଜାମ ୫୫, କେନ୍ଦୁଝର-ମୟୂରଭଞ୍ଜ ୫୩ ଲେଖାଏ, ବାଲେଶ୍ବର ୫୦ ଓ ଷ୍ଟେଟ୍‌ ପୁଲରୁ ୫୨ ଆକ୍ରାନ୍ତ ବାହାରିଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୬ହଜାର ୧୧୪କୁ ବୃଦ୍ଧି ପାଇଛି। ଆଜି ୨୦୮୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୨୦୪କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୫୫ହଜାର ୯୯୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର