୪୦ ଦିନ ପରେ ରାଜ୍ୟରେ ହଜାର ତଳେ ଦୈନିକ ସଂକ୍ରମଣ, ସଂକ୍ରମଣ ହାର ୨% ‌ତଳେ, ୨୦ ମୃତ

ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଲା
ହସ୍ପିଟାଲରେ ଭର୍ତି ପୂର୍ବରୁ କୋଭିଡ ପରୀକ୍ଷ‌ା କଟକଣା ହଟିଲା

ଭୁବନେଶ୍ବର : ୪୦ଦିନର ବ୍ୟବଧାନ ପରେ କରୋନା ସଂକ୍ରମଣରେ ରାଜ୍ୟକୁ ବଡ଼ ଆଶ୍ବସ୍ତି ମିଳିଛି। ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିବା ସହିତ ସଂକ୍ରମଣ ହାର ଓ ଚିକିତ୍ସାଧୀନ ରୋଗୀଙ୍କ ସ୍ଥିତିରେ ମଧ୍ୟ ଯଥେଷ୍ଟ ହ୍ରାସ ହୋଇଛି। ଜାନୁଆରି ୩ତାରିଖରେ ରାଜ୍ୟରେ ୬୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି। ଏହାସହ ସଂକ୍ରମଣ ହାର ମଧ୍ୟ ୨% ତଳକୁ ଖସି ଆସିଛି। ରାଜ୍ୟରେ ତୃତୀୟ ଲହର ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଆଶା କରାଯାଉଛି।

ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ କରୋନା ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥିଲା। ଜାନୁଆରି ପ୍ରଥମ ସପ୍ତାହରେ ଏହା ହଜାର ପାର କରିଥିଲା। ମାତ୍ର ଦ୍ରୁତ ସଂକ୍ରମଣ ଯୋଗୁଁ ଦୈନିକ ସଂକ୍ରମଣ ୧୦ହଜାର ପାର୍ କରିଥିଲା। ମାତ୍ର ଗତମାସ ୧୮ତାରିଖ ପରଠାରୁ ରାଜ୍ୟରେ କରୋନା ସଂକ୍ରମଣ ଖସିଥିଲା। ଏହାର ୨୬ଦିନ ପରେ ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ଗୋଟିଏ ଦିନରେ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୧.୪୫ ପ୍ରତିଶତକୁ ଖସି ଆସିଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ଜଣ ରହିଛନ୍ତି। ଏହାବାଦ୍ କଟକ ୬୫, ସୁନ୍ଦରଗଡ଼ ୬୨, ଯାଜପୁର-ଅନୁଗୁଳ ୪୫, ଗଜପତି ୩୯, ସମ୍ବଲପୁର ୩୫, ମୟୂରଭଞ୍ଜ ୩୪, ରାୟଗଡ଼ା ୨୯ ଓ ଷ୍ଟେଟ୍‌ ପୁଲରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୭୮ହଜାର ୧୨୧କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ କେବଳ ଗୋଟିଏ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟସବୁ ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତ‌‌ଳେ ରହିଛି। ଏବେ ୬୦ହଜାର ଉପରେ ଟେଷ୍ଟିଂ କରାଯାଉଛି। ତେବେ କରୋନା ସଂକ୍ରମଣ କମୁଥିଲେ ହେଁ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କି ନୁହେଁ ଏ ସଂପର୍କିତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି। ଅପରପକ୍ଷରେ ସଂକ୍ରମଣ‌ରେ ଦ୍ରୁତ ହ୍ରାସକୁ ନଜରରେ ରଖି ରାଜ୍ୟ ସରକାର ହସ୍ପିଟାଲରେ ଆଡମିସନ୍ ପାଇଁ ପୂର୍ବରୁ ଆବଶ୍ୟକ ପଡ଼ୁଥିବା ଟେଷ୍ଟିଂ କଟକଣାକୁ ହଟାଇ ଦେଇଛନ୍ତି। ଯଦି ରୋଗୀଙ୍କ କରୋନା ସଂପର୍କିତ ଲକ୍ଷଣ ପ୍ରକାଶ ପାଏ ତାହାଲେ ତାଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ସରକାରଙ୍କ ପକ୍ଷରୁ ୨୦ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ବାଲେଶ୍ବର ୬, ଯାଜପୁର ୪, କଟକ-ପୁରୀରେ ୨ ଲେଖାଏ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧାରୁ ଜଣେ ଲେଖାଏ ପ୍ରାର ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୯୦୪କୁ ବୃଦ୍ଧି ପାଇଛି। ଆଜି ୧୯୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ‌ରୋଗୀଙ୍କ ସଂଖ୍ୟା ୯୩୬୮କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୭୫୬କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର