କରୋନାକୁ ହରାଇଲେ ୨ଲକ୍ଷ ରୋଗୀ

ଆଉ ୧୫ ମୃତ, ମୃତ୍ୟୁ ସଂଖ୍ୟା ୯ଶହ ଟପିଲା

ଦିନକରେ ୩୩୨୬ ପଜିଟିଭ୍‌
ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦ହଜାର ତଳକୁ ଖସିଲା
ଖୋର୍ଧା ଦେଶର ୧୨ତମ ସର୍ବାଧିକ ସଂକ୍ରମିତ ଜିଲ୍ଲା

ଭୁବନେଶ୍ୱର : କରୋନାକୁ ହରାଇଛନ୍ତି ୨ଲକ୍ଷ ରୋଗୀ। ଆଜି ୪୧୦୮ ରୋଗୀ ସୁସ୍ଥ ହେବା ପରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୨ହଜାର ୩୦୨ରେ ପହଞ୍ଚିଛି। ଲଗାତାର କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦୀର୍ଘ ଦିନ ପରେ ୨୯,୪୫୧କୁ ଖସି ଆସିଛି। ସୁସ୍ଥ ହାର ସାଢ଼େ ୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ୨ ଲକ୍ଷରୁ ଅଧିକ କରୋନା ରୋଗୀ ସୁସ୍ଥ ହେବାରେ ଓଡ଼ିଶା ଦେଶର ଅଷ୍ଟମ ସ୍ଥାନକୁ ଉଠିଛି। ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ଖସିବା ଓ ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଖୋର୍ଧା ଜିଲ୍ଲା ଏକ ଅଲୋଡ଼ା ରେକର୍ଡ ହାସଲ କରିଛି। ଖୋର୍ଧା ଦେଶର ୧୨ତମ ସର୍ବାଧିକ ସଂକ୍ରମିତ ଜିଲ୍ଲା ପ‌ାଲଟିଛି। ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ଖୋର୍ଧାରେ ୧୭,୬୦୯ଜଣ ସଂକ୍ରମିତ ହେଉଥିବା ବେଳେ ପୁନେରେ ସର୍ବାଧିକ ୩୧,୬୩୫ ‌ରୋଗୀ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଲଗାତାର ଭାବେ ଖୋର୍ଧାରୁ ୫୦୦-୭୦୦ ରୋଗୀ ଚିହ୍ନଟ ହେବା ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୦ହଜାର ପାର୍ କରିଛି। ତହିଁରେ ସିଂହଭାଗ ରୋଗୀ ରହିଛନ୍ତି ଭୁବନେଶ୍ବରରୁ, ଯାହାକି ଜିଲ୍ଲାର ସମୁଦାୟ ସଂକ୍ରମଣର ୫୫ପ୍ରତିଶତ।

ଅପରପକ୍ଷରେ ରାଜ୍ୟରେ ସୁସ୍ଥ ହାର ବଢ଼ିଥିବା ବେଳେ କରୋନା ମୃତ୍ୟୁ କମୁନାହିଁ। ସରକାରୀ ଭାବେ ଆଜି ୧୫ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହେବା ପରେ ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ ପହଞ୍ଚିଛି। ଗତ ୪ ଦିନରେ ୬୫ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି। ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧା ଓ କଟକରୁ ୩ଜଣ
ଲେଖାଏଁ, କେନ୍ଦ୍ରାପଡ଼ାରୁ ୨ଜଣ, ବୌଦ୍ଧ, ଢେଙ୍କାନାଳ, ଜଗତ୍‌ସିଂହପୁର, କେନ୍ଦୁଝର, କୋରାପୁଟ, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୨୧, ଖୋର୍ଧା ୧୪୯, କଟକ ୭୭, ପୁରୀ ୫୯, ସୁନ୍ଦରଗଡ଼ ୪୦, ରାୟଗଡ଼ା ୩୮, ନୟାଗଡ଼ ୨୯, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୨୪ ଲେଖାଏଁ, ସମ୍ବଲପୁର, ଗଜପତି ଓ କନ୍ଧମାଳରୁ ୨୩ ଲେଖାଏଁ ପ୍ରାଣ ହରାଇ ସାରିଲେଣି।

ରାଜ୍ୟରେ ଆଜି ୪୫,୫୭୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୩୨୬ ରୋଗୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ସର୍ବାଧିକ ‌୬୩୮ଜଣ ଖୋର୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। କଟକରେ ୨୬୮ଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୭୭୩, ପୁରୀରୁ ୧୪୦ରୋଗୀଙ୍କୁ ମିଶାଇଲେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୯୩ରେ ପହଞ୍ଚିଛି। ଯାଜପୁର ୧୪୮, ନୂଆପଡ଼ା ୧୪୭, ଷ୍ଟେଟ୍‌ ପୁଲ ୧୪୯, ମୟୂରଭଞ୍ଜ ୧୩୧, ବାଲେଶ୍ବର ୧୨୨, ଝାରସୁଗୁଡ଼ା ଓ ସମ୍ବଲପରରୁ ୧୦୭ ଲେଖାଏଁ, ବଲାଙ୍ଗୀର ୧୦୩, କେନ୍ଦୁଝର ୧୦୧, ବରଗଡ଼ ୯୪, ସୁନ୍ଦରଗଡ଼ ୯୩, ଢେଙ୍କାନାଳ ୮୫, ଜଗତ୍‌ସିଂହପୁର ୮୦, କଳାହାଣ୍ଡି ୭୭, ନବରଙ୍ଗପୁର ଓ ନୟାଗଡ଼ ୬୧ ଲେଖାଏଁ, କନ୍ଧମାଳ ୬୦, ଗଞ୍ଜାମ ୫୭, ବୌଦ୍ଧ ୫୪, ରାୟଗଡ଼ା ୫୩, କୋରାପୁଟ ୪୫, ଭଦ୍ରକ ୩୬, ସୋନପୁର ୨୫, ଗଜପତି ୨୨ ଓ ଦେବଗଡ଼ରୁ ୨୧ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୨ହଜାର ୭୧୩ କୁ ବୃଦ୍ଧି ପାଇଛି। ଆଜି ଖୋର୍ଧାରୁ ସର୍ବାଧିକ ୭୨୧ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକରୁ ୪୯୨, ଯାଜପୁର ୨୧୨, ଅନୁଗୁଳ ୧୮୬, ଝାରସୁଗୁଡ଼ା ୧୫୪, ଜଗତସିଂହପୁର ୧୪୩, ମୟୂରଭଞ୍ଜ ୧୩୯, ସମ୍ବଲପୁର ୧୨୮, ନୂଆପଡ଼ା ୧୧୮, କଳାହାଣ୍ଡି ୧୧୭, ବାଲେଶ୍ବର ୧୧୬, ବରଗଡ଼ ୧୧୪, କେନ୍ଦ୍ରାପଡ଼ା ୧୦୭, ନବରଙ୍ଗପୁର ୮୯, ବଲାଙ୍ଗୀର ୮୦, ଢେଙ୍କାନାଳ ୭୫, କୋରାପୁଟ ଓ ସୋନପୁର ୭୩ ଲେଖାଏଁ, କନ୍ଧମାଳ ୭୧, ଗଞ୍ଜାମ ୬୭, ରାୟଗଡ଼ା ୬୪, ପୁରୀ ୫୫, ନୟାଗଡ଼ ୫୦, ବୌଦ୍ଧ ୪୪, ଗଜପତି ୪୦, ମାଲକାନଗିରି ୩୪, ଭଦ୍ରକ ୧୬, ଦେବଗଡ଼୮ ଓ ଷ୍ଟେଟ୍‌ ପୁଲ୍‌ରୁ ୨୮୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର