ଭୁବନେଶ୍ବର : ରାଜ୍ୟରେ କୋଭିଡ ମୃତକଙ୍କ ସଂପର୍କୀୟଙ୍କୁ ଦିଆଯାଉଥିବା କ୍ଷତିପୂରଣ ରାଶି ସଂଖ୍ୟା ୧୫ହଜାର ଟପିଯାଇଛି। କରୋନାର ଚଳିତ ତୃତୀୟ ଲହରରେ ମଧ୍ୟ ମୃତ୍ୟୁ ସଂଖ୍ୟା ଜାରି ରହିଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଖୋର୍ଧା, କଟକ, ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ମୃତକଙ୍କ ସଂପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ରାଜ୍ୟ ସରକାର କରୋନାର ଏ ପର୍ଯ୍ୟନ୍ତ ୩ଟି ଲହରକୁ ମିଶାଇ ଯେତିକି କୋଭିଡ ମୃତ୍ୟୁ ଘୋଷଣା କରିଛନ୍ତି ତା’ଠାରୁ ଦେଢ଼ଗୁଣା ମୃତକଙ୍କ ସଂପର୍କୀୟଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଗଲାଣି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ କୋଭିଡ କ୍ଷତିପୂରଣ ପାଇଁ ବର୍ତମାନ ସୁଦ୍ଧା ୧୬,୭୫୫ ଆବେଦନ ପତ୍ର ଆସିଛି। ତହିଁରୁ ୧୫,୭୬୫ ଆବେଦନକୁ ଅନୁମୋଦନ କରାଯାଇଥିବା ବେଳେ ୪୨୦ ଆବେଦନକୁ ଖାରଜ କରି ଦିଆଯାଇଛି। ୫୭୦ ଆବେଦନ ପତ୍ରର ଅନୁମୋଦନ ପ୍ରକ୍ରିୟା ଜାରି ରହିଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୧୯୫, କଟକ ୧୩୫୩, ସୁନ୍ଦରଗଡ଼ ୧୨୨୫, ଗଞ୍ଜାମ ୧୦୬୪ଜଣଙ୍କୁ ଅନୁକମ୍ପା ରାଶି ପାଇଁ ଅନୁମୋଦନ ଦିଆଯାଇଛି। ଦେବଗଡ଼, ମାଲକାନଗିରି ଜିଲ୍ଲାରୁ ସର୍ବନିମ୍ନ ୧୦୧ଟି ଆବେଦନ ପତ୍ର ଆସିଛି। ଉଲ୍ଲେଖନୀୟ ବିଷୟ ହେଉଛି ବରଗଡ଼, ଝାରସୁଗୁଡ଼ାରୁ ଗୋଟିଏ ଲେଖାଏ ଅନୁକମ୍ପା ରାଶି ଫେରସ୍ତ ଆସିଛି। ରାଜ୍ୟରେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଆଜି ସରକାର ଘୋଷଣା କରିଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ୯୦୭୧ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା କରାଯାଇଛି।
ତେବେ ଓଡ଼ିଶା ସମେତ ଦେଶବ୍ୟାପୀ କରୋନାର ତୃତୀୟ ଲହର ସଂପୂର୍ଣ୍ଣ ଥମି ଆସିଥିବା ବେଳେ ଏବେ ଚତୁର୍ଥ ଲହରର ଭୟ ଦେଖାଇଛନ୍ତି ଆଇଆଇଟି କାନପୁରର ୩ ଜଣିଆ ଗବେଷକ। ଆସନ୍ତା ଜୁନ୍ ୨୨ତାରିଖ ବେଳକୁ ଦେଶରେ ଚତୁର୍ଥ ଲହର ଆସିପାରେ ବୋଲି ସେମାନେ ଆକଳନ କରିଛନ୍ତି। ଏହି ଲହର ୪ମାସ ପର୍ଯ୍ୟନ୍ତ ଲମ୍ବିବ। ଅଗଷ୍ଟ ୨୩ ଆଡ଼କୁ ସଂକ୍ରମଣ ଶୀର୍ଷକୁ ଛୁଇଁବା ସହିତ ଅକ୍ଟୋବର ୨୪ ବେଳକୁ କମି ଆସିବ। ଆଇଆଇଟି କାନପୁରର ଗଣିତ ଓ ପରିସଂଖ୍ୟାନ ବିଭାଗର ଏସ୍.ପି ରାଜେଶଭାଇ, ଏସ୍ଏସ୍ ଧର ଓ ଶଲାଭ୍ ଏହି ଆକଳନ କରିଛନ୍ତି। ପୂର୍ବରୁ ଆଇଆଇଟି କାନପୁର ଏକାଧିକ ଲହରର ଆକଳନ କରିଥିବା ବେଳେ ତୃତୀୟ ଲହରର ଆକଳନ ପ୍ରାୟତଃ ଠିକ୍ ରହିଥିଲା।
ପୂର୍ବରୁ ଏକାଧିକ ଆକଳନରେ ସଂପୃକ୍ତ ରହିଥିବା ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ ‘ସମ୍ବାଦ’କୁ କହିଛନ୍ତି ଯେ ହୁଏତ ଏହି ଆକଳନ ଠିକ୍ ହୋଇପାରେ କିମ୍ବା ନ ହୋଇପାରେ। କେବଳ ଯେ କରୋନାର ନୂଆ ପ୍ରଜାତି ଆସିଲେ ଏଭଳି ଲହର ଆସିବ ବୋଲି କହିବା ଠିକ୍ ହେବନାହିଁ। ତେଣୁ ଯଦିବା ଚୁତର୍ଥ ଲହର ଆସିବ ଏହା ବହୁତ କମ୍ ତୀବ୍ରତାର ହୋଇପାରେ। ଏହି ଆକଳନ ଟିମ୍ରେ ନ ଥିବାରୁ ଆକଳନ ସଂପର୍କରେ ଅଧିକ ତଥ୍ୟ ରଖିପାରିବି ନାହିଁ ବୋଲି ପ୍ରଫେସର ଅଗ୍ରୱାଲ କହିଥିଲେ।
ଅପରପକ୍ଷରେ ରାଜ୍ୟରେ ୨ମାସର ବ୍ୟବଧାନ ପରେ ଦୈନିକ ସଂକ୍ରମଣ ଶହେକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ଜିଲ୍ଲାରେ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଗଜପତି ୨୪, ଖୋର୍ଧା ୨୩, ସମ୍ବଲପୁର ୨୨, ଝାରସୁଗୁଡ଼ା ୨୧ ଓ ଷ୍ଟେଟ୍ ପୁଲରୁ ୫ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୫ହଜାର ୩୮କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୪୩୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧୮୦କୁ ଖସି ଆସିଛି। ଏହାସହ ରାଜ୍ୟରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୩ହଜାର ୭୩୪କୁ ବୃଦ୍ଧି ପାଇଛି।