ଲମ୍ବା ଡିଆଁ ମାରୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୬ଦିନ ହେଲା ତିନି ଅଙ୍କରୁ ଖସୁନି

ରବିବାର ଚିହ୍ନଟ ହେଲେ ୩୪୬ଜଣ ଆକ୍ରାନ୍ତ, ଖୋର୍ଦ୍ଧା ଓ କଟକ ଚିନ୍ତା ବଢ଼ାଇଲେଣି

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ଲମ୍ବା ଡିଆଁ ମାରିଛି। ଗତ ୬ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ରବିବାର ଦିନ ୩୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ସାରା ରାଜ୍ୟରେ ୧୨,୮୯୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୩୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଟିପିଆର୍‌ ବଢ଼ି ଏବେ ୨.୬୮%ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରବିବାର ଦିନ ଚିହ୍ନଟ ହୋଇଥିବା ମୋଟ୍ ୩୪୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୮୯ଜଣ ଚିହ୍ନଟ ହୋଇଥିବାବେଳେ ଟିପିଆର୍‌ ବଢ଼ିକି ୯.୯୧%ରେ ପହଞ୍ଚିଛି। ଟିପିଆର୍‌ ୧୦% ପାଖାପାଖି ପହଞ୍ଚିଥିବାରୁ ଭୁବନେଶ୍ବର ଟିପିଆର୍‌ ଦୃଷ୍ଟିରୁ ରେଡ୍‌ ଜୋନ୍‌ରେ ଅଛି। ସେହିପରି କଟକ ଜିଲ୍ଲାରେ ଆଜି ୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଟିପିଆର୍‌ ୫.୨୨%ରେ ପହଞ୍ଚିଛି। ଆଜି କଟକ ୟେଲୋ ଜୋନ୍‌ରେ ରହିଛି। ଅପରପକ୍ଷେ ରାଜ୍ୟର ବାକି ସବୁ ଜିଲ୍ଲା ଗ୍ରିନ୍‌ ଜୋନ୍‌ରେ ଅଛି। ସେହିପରି ନବରଙ୍ଗପୁର, ଗଜପତି ଓ ଅନୁଗୁଳକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୫୯୩ଜଣ ଏବଂ କଟକରେ ୨୦୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଆଜି ୩୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ୧୮ବର୍ଷରୁ କମ୍‌ ୪୯ଜଣ ଅଛନ୍ତି।

ସମ୍ବନ୍ଧିତ ଖବର