ସଂକ୍ରମଣରେ ଖୋର୍ଧାକୁ ପଛରେ ପକାଇଲା ସୁନ୍ଦରଗଡ଼, ରାଜ୍ୟରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ !

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ଲହର କରୋନା ସଂକ୍ରମଣ ଏକପ୍ରକାର ପ୍ଲାଟ୍ୟୁ ବା ସମାନ ସ୍ଥିତିରେ ରହିଛି। ଦୈନିକ ସଂକ୍ରମଣ ୧୧ଶହରୁ ଉପରକୁ ଯାଉନାହିଁ କି ତଳକୁ ବି ଖସୁନି। ଗତ ୪ଦିନ ହେବ ୧୧ଶହ ଉପରେ ସଂକ୍ରମଣ ଜାରି ରହିଛି। ଯେହେତୁ ସଂକ୍ରମଣ ତଳମୁହାଁ ହୋଇନାହିଁ, ତେଣୁ ଏହି ଲହରର କେବେ ଅନ୍ତ ହେବ ବିଶେଷଜ୍ଞମାନେ ସ୍ପଷ୍ଟଭାବେ କହିପାରୁ ନାହାନ୍ତି।

ଦୈନିକ ସଂକ୍ରମଣର ଆଉ ଏକ ପ୍ରମୁଖ ହଟ୍‌ସ୍ପଟ୍‌ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲା। ସଂକ୍ରମଣରେ ଖୋର୍ଧାକୁ ପଛ‌ରେ ପକାଇଛି ସୁନ୍ଦରଗଡ଼। ଯାହାଫଳରେ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରାଜ୍ୟରେ ଦ୍ବିତୀୟ ସର୍ବାଧିକ ରହିଛି। କେବଳ ସୁନ୍ଦରଗଡ଼ ନୁହେଁ, ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଏବେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ଏହାସହ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ରହିଛି। ମାତ୍ର ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ବହୁତ କମ୍ ସଂଖ୍ୟକ ରୋଗୀ ହସ୍ପିଟାଲରେ ଭର୍ତି ହେଉଥିବାରୁ କୋଭିଡ ହସ୍ପିଟାଲରେ କମ୍ ଚାପ ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୩୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୪୩ଜଣ ପିଲା ରହିଛନ୍ତି। ଖୋର୍ଧା ୨୦୯, ସୁନ୍ଦରଗଡ଼ ୨୨୫, କଟକ ୧୧୧, ସମ୍ବଲପୁର ୧୦୬, ମୟୂରଭଞ୍ଜ ୯୩, ନୟାଗଡ଼ ୩୩, ଯାଜପୁର ୩୬, ଝାରସୁଗୁଡ଼ା-ବାଲେଶ୍ବରରେ ୨୫ ଲେଖାଏ, ବରଗଡ଼ ୨୩ ଓ ଷ୍ଟେଟ୍‌ ପୁଲରୁ ୪୭ଜଣ ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୫,୪୯୯କୁ ବୃଦ୍ଧି ପାଇଛି। ୩ଦିନର ବ୍ୟବଧାନ ପରେ ରାଜ୍ୟରେ ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଏବେ ମୋଟ କରୋନା ମୃତ୍ୟୁ ୯୧୩୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର