ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତୁଳନାରେ ଅଧିକ ସୁସ୍ଥ ହେଲେ

ଦୁଇଦିନ ହେବ ଖସୁଛି ଦୈନିକ ସଂକ୍ରମଣ, ୭୩୯ ପଜିଟିଭ୍, ଜଣେ ମୃତ

ଭୁବନେଶ୍ବର : ଗତ ଦୁଇଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଛି। ୪ଦିନ ଧରି ୧୧ଶହ ଉପରେ ‌ସଂକ୍ରମଣ ସ୍ଥିର ରହିବା ପରେ ଏବେ ଖସିବା ଧାରା ଆରମ୍ଭ ହୋଇଛି। ମାତ୍ର ଗତ ଦୁଇଦିନ ଛୁଟି ରହିଥିବା କାରଣରୁ ଦୈନିକ ନମୁନା ପରୀକ୍ଷାରେ ମଧ୍ୟ ହ୍ରାସ ଘଟିଛି। ତେଣୁ ନମୁନା ପରୀକ୍ଷା ହ୍ରାସ ପାଇଁ ସଂକ୍ରମିତଙ୍କ ସଂଖ୍ୟା ଖସୁଛି ନା ରାଜ୍ୟ ନିଜର ଶୀର୍ଷ ସଂକ୍ରମଣ ଛୁଇଁ ସାରିଲାଣି ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

ଚଳିତ ଚତୁର୍ଥ ଲହରର ଆରମ୍ଭରୁ ଖୋର୍ଧା, କଟକ ଜିଲ୍ଲାରୁ‌ ଦୈନିକ ସଂକ୍ରମଣ ସିଂହ ଭାଗ ରୋଗୀ ଚିହ୍ନଟ ହେଉଥିଲେ। ଧୀରେ ଧୀରେ ଏହା ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ସଂକ୍ରମଣ ହାର ମଧ୍ୟ ଅଧିକ ରହିଥିଲା। କିନ୍ତୁ ଏବେ ଖୋର୍ଧା ଜିଲ୍ଲାରୁ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ତେଣୁ ରାଜ୍ୟରେ ଆହୁରି କିଛିଦିନ ସଂକ୍ରମଣ ଏଭଳି ଜାରି ରହିପାରେ ବୋଲି ଆଶଙ୍କା କରାଯାଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୭୩୯ କୋଭିଡ ଆକ୍ରାନ୍ତ ବାହାରିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୩୮, ସୁନ୍ଦରଗଡ଼ ୧୧୪, ସମ୍ବଲପୁର ୧୧୩, କଟକ ୩୪, ମୟୂରଭଞ୍ଜ ୮୪, ନୟାଗଡ଼ ୨୨, ବରଗଡ଼ ୨୦, ଝାରସୁଗୁଡ଼ା ୧୮, ସୋନପୁର, ରାୟଗଡ଼ାରୁ ୧୫ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୩୨ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୭,୨୪୯କୁ ବୃଦ୍ଧି ପାଇଛି। ଏହାସହ ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୋମବାର ଦିନ ସରକାରୀ ଘୋଷଣା ହୋଇଛି। ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୯୧୩୩କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସୋମବାର ଦିନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟାରେ ରୋଗୀ ସୁସ୍ଥ ହୋଇଛନ୍ତି। ସୋମବାର ଦିନ ୧୦୦୬ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨,୯୧,୬୬୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୬୩୯୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଖୋର୍ଧା, ସୁନ୍ଦରଗଡ଼ରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ଅଛନ୍ତି।

ସମ୍ବନ୍ଧିତ ଖବର