ରାଜ୍ୟରେ କରୋନା ଗ୍ରାଫ୍‌ ପୁଣିଥରେ ଉପରମୁହାଁ: ଦିନକରେ ୭୭% ବଢ଼ିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର : ଚକ୍‌ମା ଦେଲା କରୋନା ସଂକ୍ରମଣ। ୩ଦିନ ଖସିବା ପରେ ରାଜ୍ୟରେ କରୋନା ଗ୍ରାଫ୍‌ ପୁଣିଥରେ ଉପରମୁହାଁ ହୋଇଛି। ଦୈନିକ ସଂକ୍ରମଣ ଏକାଥରକେ ୭୭ ପ୍ରତିଶତ ବଢ଼ିଛି। ଗତ ସପ୍ତାହରେ ଯେଉଁଭଳି ଭାବେ ସଂକ୍ରମଣ ୧୧ଶହ ଉପରେ ସ୍ଥିର ରହିଥିଲା ଏବେ ସେହି ଅବସ୍ଥାକୁ ଫେରି ଆସିଛି। ଫଳରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାକୁ ଆରମ୍ଭ କଲାଣି।

ରବିବାରଠାରୁ ରାଜ୍ୟରେ କରୋନା ସଂକ୍ରମଣ ଖସିବାକୁ ଆରମ୍ଭ କରିଥିଲା। ହେଲେ ଚଳିତ ଲହରରେ ସଂକ୍ରମଣ ପୁଣିଥରେ ଡରାଇବାକୁ ଆରମ୍ଭ କଲାଣି। ଆରମ୍ଭରୁ ବହୁତ କମ୍ ସଂଖ୍ୟକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହେଉଥିଲେ। ମାତ୍ର ସଂକ୍ରମଣ ବଢ଼ିବା କାରଣରୁ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ କାଲିସୁଦ୍ଧା ରାଜ୍ୟରେ ୭୪ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତହିଁରୁ ୨୮ଜଣ ସାଧାରଣ ଶଯ୍ୟାରେ ରହିଛନ୍ତି। ୪୬ଜଣ ଆଇସିୟୁ/ଏଚ୍‌ଡିୟୁରେ ଭର୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କଠାରେ ଭେଣ୍ଟିଲେଟର ଲାଗିଛି। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବର୍ତମାନ ସୁଦ୍ଧା ୫୫୯ଟି ଶଯ୍ୟା ଥିବା ବେଳେ ୧୩ ପ୍ରତିଶତ ଆକ୍ରାନ୍ତ ବିଭିନ୍ନ ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି। ସେହିପରି ଗତ ୧ସପ୍ତାହ ଭିତରେ ୮୯୨ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ଜଣେ ହେଲେ ବି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ କେବଳ ୧୫୫ଜଣ ପିଲା ରହିଛନ୍ତି। ଖସି ଆସିଥିବା ନମୁନା ପରୀକ୍ଷା(୨୧,୪୮୮) ପୁଣି ବୃଦ୍ଧି ପାଇବା ଫଳରେ ସଂକ୍ରମଣ ହାର ବା ଟିପିଆର ୫ ପ୍ରତିଶତ ପାର୍ କରିଛି। ୫ଟି ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁରରେ ସଂକ୍ରମଣ ହାର ଅଧିକ ରହିବା ଧାରା ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ହାରକୁ ୫ ପ୍ରତିଶତକୁ କମାଇବା ଲାଗି ଯେଉଁ ନିଷ୍ପତ୍ତି ହୋଇଥିଲା ତାହା ବିଫଳ ହୋଇଛି। ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୧୬, ସୁନ୍ଦରଗଡ଼ ୨୬୧, ସମ୍ବଲପୁର ୮୯, ମୟୂରଭଞ୍ଜ ୮୭, କଟକ ୬୩, ବଲାଙ୍ଗୀର ୩୨, କନ୍ଧମାଳ ୨୮ ଓ ଷ୍ଟେଟ୍ ପୁଲରୁ ୪୮ ଆକ୍ରାନ୍ତ ବାହାରିଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୯,୦୮୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବର୍ତମାନସୁଦ୍ଧା ସରକାରୀଭାବେ ୯୧୩୬ଜଣଙ୍କ ମୃତ୍ୟୁ ହୋଇଛି। ଚଳିତ ଲହରରେ ୧୦ଜଣଜଙ୍କ କରୋନାରେ ମୃତ୍ୟୁ ହେଲାଣି। ଆଜି ରାଜ୍ୟରେ ୧୦୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୯୪୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର