୪୨ ଦିନ ପରେ ଆଶ୍ୱସ୍ତି : ରାଜ୍ୟରେ କରୋନାର ଦିନିକିଆ ସଂକ୍ରମଣ ୩ ହଜାର ତଳକୁ ଖସିଲା

ଦିନକରେ ୨୬୧୭ ପଜିଟିଭ୍ /୧୭ ମୃତ, ୪୦୯୮ ସୁସ୍ଥ

ଭୁବନେଶ୍ୱର : ଗତ ୪୨ ଦିନ ପରେ ରାଜ୍ୟରେ କରୋନାର ଦିନିକିଆ ସଂକ୍ରମଣ ୩ ହଜାର ତଳକୁ ଖସି ଆସିଛି। ଗତ ଅଗଷ୍ଟ ୨୪ତାରିଖରେ ଶେଷ ଥର ଲାଗି ରାଜ୍ୟରେ ୩ହଜାର ତଳକୁ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହାର ପରବର୍ତୀ ସମୟରେ ଦିନକୁ ୩ହଜାର ଓ ପରେ ପରେ ୪ହଜାର ଲେଖାଏଁ ରୋଗୀ ଚିହ୍ନଟ ହୋଇଥିଲେ। କରୋନାର ଦ୍ରୁତ ସଂକ୍ରମଣକୁ ନେଇ ସରକାର ଏକପ୍ରକାର ଅଡ଼ୁଆରେ ପଡ଼ିଥିଲେ। ଶଯ୍ୟା ସହିତ ଆଇସିୟୁ ଓ ଭେଣ୍ଟିଲେଟର ଅଭାବ ପଡ଼ିଥିଲା। ଫଳରେ ଅଧିକରୁ ଅଧିକ ରୋଗୀଙ୍କୁ ଗୃହ ପୃଥକବାସରେ ରହିବା ଲାଗି ସରକାର ପ୍ରୋତ୍ସାହିତ କରିଥିଲେ। ମାତ୍ର ଏବେ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୬୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୨ଲକ୍ଷ ୩୫ହଜାର ୩୩୦କୁ ବୃଦ୍ଧି ପ‌ାଇଛି। ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ, ମୃତ୍ୟୁ ସଂଖ୍ୟା କିନ୍ତୁ କମୁନାହିଁ। ପୂର୍ବରୁ ଦିନକୁ ୩ହଜାର ତଳକୁ ସଂକ୍ରମଣ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୯-୧୦ ରହୁଥିଲା। ‌ହେଲେ ଏବେ ତାହା ଯଥେଷ୍ଟ ଅଧିକ ରହିଛି। ଆଜି ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏଥିରେ ପୁରୀ ଓ କଟକରୁ ସର୍ବାଧିକ ୩ଜଣ ଲେଖାଏଁ, ଭୁବନେଶ୍ବର, ବାଲେଶ୍ବର ଓ ବୌଦ୍ଧରୁ ୨ଜଣ ଲେଖାଏଁ, ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୯୨୪କୁ ବୃଦ୍ଧି ପାଇଛି। ଗଞ୍ଜାମରେ ସର୍ବାଧିକ ୨୨୧, ଖୋର୍ଧା ୧୫୧, କଟକ ୮୦, ପୁରୀ ୬୨, ସୁନ୍ଦରଗଡ଼ ୪୧, ରାୟଗଡ଼ା ୩୯, ବାଲେଶ୍ବର ୩୫, ନୟାଗଡ଼ ୨୯, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୨୪ ଲେଖାଏଁ, ଗଜପତି, କନ୍ଧମାଳ ଓ ସମ୍ବଲପୁରରୁ ୨୩ ଲେଖାଏଁ ପ୍ରାଣ ହରାଇ ସାରିଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧,୫୬୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ୨୬୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୫୨୧ ସଙ୍ଗରୋଧରୁ ଓ ୧୦୯୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟବ୍ୟାପୀ ସଂକ୍ରମଣ ଖସିଥିବା ବେଳେ ଖୋର୍ଧାରୁ କମିନାହିଁ। ଜିଲ୍ଲାରୁ ୫୦୬ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୦ ହଜାର ୭୦୨ରେ ପହଞ୍ଚିଛି। କଟକରୁ ୧୩୬ ରୋଗୀଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୯୦୯କୁ ବୃଦ୍ଧି ପାଇଛି। ବରଗଡ଼ ୧୪୮, କେନ୍ଦ୍ରାପଡ଼ା ୧୩୨, ଅନୁଗୁଳ ୧୧୫, ଯାଜପୁର ୧୧୨, ବଲାଙ୍ଗୀର ୧୦୯, କେନ୍ଦୁଝର ୧୦୭, ସମ୍ବଲପୁର ଓ ଷ୍ଟେଟ୍‌ ପୁଲ ୧୦୭ ଲେଖାଏଁ, ମୟୂରଭଞ୍ଜ ୧୦୧, ସୁନ୍ଦରଗଡ଼ ୯୧, ପୁରୀ ଓ ବାଲେଶ୍ବରରୁ ୭୯ ଲେଖାଏଁ, ଢେଙ୍କାନାଳ ୭୪, ମାଲକାନଗିରି ୬୭, ନବରଙ୍ଗପୁର ୫୯, ନୂଆପଡ଼ା ୫୮, ଭଦ୍ରକ ୪୯, ଝାରସୁଗୁଡ଼ା ୪୬, ଜଗତସିଂହପୁର ୪୫, କଳାହାଣ୍ଡି ୪୪, ଗଞ୍ଜାମ ଓ କୋରାପୁଟରୁ ୪୩ ଲେଖାଏଁ, ନୟାଗଡ଼ ୩୮, ରାୟଗଡ଼ା ୨୬, ସୋନପୁର ୨୩, ବୌଦ୍ଧ ଓ ଦେବଗଡ଼ରୁ ୧୮ ଲେଖାଏଁ ଓ ଗଜପତିରୁ ୭ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଦେବଗଡ଼ରୁ ୭୧୭ ରୋଗୀଙ୍କୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ୪୦୯୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭,୯୫୩କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୬୪୦୦କୁ ବୃଦ୍ଧି ପାଇଛି। ଗତ ୫ ଦିନରେ ରାଜ୍ୟରେ ୨୦ ହଜାର ୭୦୦ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି। ଆଜି ଖୋର୍ଧାରୁ ସର୍ବାଧିକ ୭୦୪ଜଣ ସୁସ୍ଥ ହେବା ପରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୪୬୩କୁ ଖସି ଆସିଛି। ଏହାସ‌ତ୍ବେ ମଧ୍ୟ ଖୋର୍ଧାରେ ରାଜ୍ୟର ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ସେହିପରି କଟକ ୩୮୬, ବାଲେଶ୍ବର ୩୩୬, ନୂଆପଡ଼ା ୨୦୯, ଅନୁଗୁଳ ୧୬୫, ମୟୂରଭଞ୍ଜ ୧୩୯, କେନ୍ଦୁଝର ୧୩୧, ଭଦ୍ରକ ୧୨୫, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୨୩ ଲେଖାଏଁ, ଯାଜପୁର ୧୧୬, ବରଗଡ଼ ୧୧୦, ଢେଙ୍କାନାଳ ୧୦୭, ପୁରୀ ୧୦୪, ସୁନ୍ଦରଗଡ଼ ୮୨, ଝାରସୁଗୁଡ଼ା ୮୧, ନୟାଗଡ଼ ୭୯, ସମ୍ବଲପୁର ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗୀର ୭୦, କୋରାପୁଟ ୬୭, କନ୍ଧମାଳ ୬୫, ବୌଦ୍ଧ ୬୧, ସୋନପୁର ୪୬, ଗଞ୍ଜାମ ଓ ରାୟଗଡ଼ାରୁ ୪୨ ଲେଖାଏଁ, ଗଜପତି ୩୬, ମାଲକାନଗିରି ୨୩, ଦେବଗଡ଼ ୧୫ ଓ ଷ୍ଟେଟ୍‌ ପୁଲରୁ ୨୮୭ଜଣସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର