ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ଲଗାତାର ଦ୍ବିତୀୟ ଦିନ ଲାଗି ବୁଧବାର ଦିନ ଦୈନିକ ସଂକ୍ରମଣ ୨ଶହ ଉପରେ ରହିଛି। ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧ଶହ ଟପିଛି। ଧୀରେ ଧୀରେ ସବୁ ଜିଲ୍ଲାକୁ ସଂକ୍ରମଣ ବ୍ୟାପିବାକୁ ଆରମ୍ଭ କଲାଣି। ହେଲେ କରୋନାକୁ ନେଇ ଭୟଭୀତ ନ ହେବା ଲାଗି ସରକାରଙ୍କ ପକ୍ଷରୁ ଆଶ୍ବାସନା ଦିଆଯାଇଛି।
ବୁଧବାର ଦିନ ରାଜ୍ୟରେ ୪୯୦୪ କୋଭିଡ ନମୁନା ପରୀକ୍ଷା ହୋଇଥିଲା। ଏଥିରେ ୧୭ଟି ଜିଲ୍ଲାରୁ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ୪୯ ଜଣ ପିଲା ରହିଛନ୍ତି। ପଜିଟିଭ୍ ରେଟ୍ ବା ସଂକ୍ରମଣ ହାର ୪ ପ୍ରତିଶତ ଟପିଛି। ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସୁନ୍ଦରଗଡ଼ରୁ ୪୬, ନବରଙ୍ଗପୁର ୩୭, କଟକ ୩୧, ନୂଆପଡ଼ା ୨୦, ବଲାଙ୍ଗୀର ୧୩, ମୟୂରଭଞ୍ଜ ୧୦, କୋରାପୁଟ ୮, ବରଗଡ଼, ସୋନପୁରରୁ ୫ ଲେଖାଏ, ପୁରୀ ୩, ଦେବଗଡ଼-ଖୋର୍ଧାରୁ ୨ ଲେଖାଏ, ବୌଦ୍ଧ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏ ଓ ଭୁବନେଶ୍ବରରୁ ୧୩ଜଣ ଆକ୍ରାନ୍ତ ବାହାରିଛନ୍ତି। ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧୦୨ରେ ପହଞ୍ଚିଛି। ଆଉ ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ। ତେବେ ଆଜି କୌଣସି ଆକ୍ରାନ୍ତ ସୁସ୍ଥ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିହ୍ନଟ ହେଉଥିବା ବେଳେ କୌଣସି ଆକ୍ରାନ୍ତ ସୁସ୍ଥ ନ ହେବାକୁ ନେଇ ସନ୍ଦେହ ଦେଖା ଦେଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଚତୁର୍ଥ ଲହରର ଶୀର୍ଷ ସଂକ୍ରମଣ ହୋଇ ନ ଥିଲା। ଯଦିଓ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି ହେଲେ କମ୍ ସଂଖ୍ୟକ ରୋଗୀ ହସ୍ପିଟାଲରେ ଭର୍ତି ହେଉଛନ୍ତି। ତେଣୁ ଚଳିତ ଲହର ଆତଙ୍କ ସୃଷ୍ଟି କରି ନ ପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଆସନ୍ତା ୧୦-୧୨ଦିନ ଭିତରେ ଦେଶରେ ଚଳିତ କରୋନା ଲହରର ଶୀର୍ଷ ସଂକ୍ରମଣ ଆସିପାରେ ବୋଲି ଗୋଟିଏ ମଡେଲ ଆକଳନ କରିଛି।