ରାଜ୍ୟରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଟପିଲା

ଦିନକରେ ୨,୫୪୬ ପଜିଟିଭ୍, ୧୬ ମୃତ, ସୁସ୍ଥ ହେଲେ ୩,୩୪୨ ରୋଗୀ, କ‌ରୋନାରୁ ସୁସ୍ଥ ହେଲେ ୯୩ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଟପିଛି। ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରାୟ ୮ମାସ ପରେ ରାଜ୍ୟରେ ସମୁଦାୟ ସଂକ୍ରମଣ ୨ଲକ୍ଷ ୫୨ହଜାର ୨୩୯ରେ ପହଞ୍ଚିଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫,୦୭୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୨୫୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହେଲେ ରାଜ୍ୟରେ ନମୁନା ପରୀକ୍ଷା ୫୦ହଜାର ସଂଖ୍ୟା ଡେଉଁନାହିଁ। ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ହେଉ ନ ଥିବାରୁ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା କୁହାଯାଉଛି।

ଅପରପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି। ଆଜି ୧୬ଜଣ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ଖୋର୍ଧାରୁ ୫, ବାଲେଶ୍ବର ୪, ଢେଙ୍କାନାଳ ୨, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି। ଗତ ୧୧ଦିନରେ ୧୬୩ଜଣଙ୍କ କରୋନାରେ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଛି।

ଆଜି ଖୋର୍ଧାରୁ ନୂଆ ୪୧୦ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୩,୫୬୫କୁ ବୃଦ୍ଧି ପାଇଛି। ସେହିପରି କଟକରେ ୧୩୪ ରୋଗୀଙ୍କୁ ମିଶାଇ ୨୩,୧୪୪, ଗଞ୍ଜାମରେ ୩୪ ନୂଆ ରୋଗୀଙ୍କୁ ମିଶାଇ ୨୦,୬୨୩ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି। ଏହାବାଦ୍ ଅନୁଗୁଳ ୨୦୮, ସୁନ୍ଦରଗଡ଼ ୧୬୧, ମୟୂରଭଞ୍ଜ ୧୨୦, ବାଲେଶ୍ବର ୧୦୩, ବରଗଡ଼ ୯୨, ଯାଜପୁର ୯୦, ନୂଆପଡ଼ା ୮୮, ଷ୍ଟେଟ୍‌ ପୁଲ ଓ ଜଗତସିଂହପୁରରୁ ୮୬ ଲେଖାଏଁ, ବଲାଙ୍ଗୀର ୮୫, ସମ୍ବଲପୁର ୮୪, କେନ୍ଦ୍ରାପଡ଼ା ଓ କଳାହାଣ୍ଡିରେ ୭୫ ଲେଖାଏଁ, କୋରାପୁଟ ୭୨, ପୁରୀ ୭୦, ନବରଙ୍ଗପୁର ୬୦, ଝାରସୁଗୁଡ଼ା ୫୭, କନ୍ଧମାଳ ୪୯, ସୋନପୁର, ନୟାଗଡ଼ ୪୮ ଲେଖାଏଁ, କେନ୍ଦୁଝର ୪୩, ବୌଦ୍ଧ ୩୭, ଭଦ୍ରକ ୩୪, ମାଲକାନଗିରି ୨୭, ଢେଙ୍କାନାଳ ୨୫, ରାୟଗଡ଼ା ୨୧, ଦେବଗଡ଼ ୧୪ ଓ ଗଜପତିରୁ ୧୦ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି ୩୩୪୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୨୭ହଜାର ୬୧୫କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ‌ରୋଗୀଙ୍କ ସଂଖ୍ୟା ୨୩,୫୪୯କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୫୧୧ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୩୬୬, ମୟୂରଭଞ୍ଜ ୩୬୨, ଅନୁଗୁଳ ୨୮୮, ଯାଜପୁର ୧୫୫, କେନ୍ଦ୍ରାପଡ଼ା ୧୩୧, ବରଗଡ଼ ୧୦୪, ପୁରୀ ୧୦୩, ସମ୍ବଲପୁର ୯୩, କେନ୍ଦୁଝର ୮୯, ଭଦ୍ରକ ୮୪, ବଲାଙ୍ଗୀର ୮୨, ଜଗତସିଂହପୁର ୭୬, ସୁନ୍ଦରଗଡ଼ ୭୨, ବୌଦ୍ଧ ୬୪, ସୋନପୁର ୫୩, ଝାରସୁଗୁଡ଼ା ୫୨, ନୟାଗଡ଼ ୪୮, କଳାହାଣ୍ଡି ୪୭, କନ୍ଧମାଳ ୪୬, ଗଞ୍ଜାମ ଓ ନୂଆପଡ଼ରୁ ୪୨ ଲେଖାଏଁ, କୋରାପୁଟ ୩୯, ମାଲାକାନଗିରି ୩୫, ବାଲେଶ୍ବର ୩୪, ଦେବଗଡ଼ ୨୨, ରାୟଗଡ଼ା ୧୪, ନବରଙ୍ଗପୁର ୧୩, ଗଜପତି ୧୦ ଓ ଷ୍ଟେଟ୍‌ ପୁଲରୁ ୨୨୫ଜଣ ସୁସ୍ଥ ହୋଇଛନ୍ତି।

କ‌ରୋନାରୁ ସୁସ୍ଥ ହେଲେ ୯୩ ବର୍ଷର ବୃଦ୍ଧା
ଭୁବନେଶ୍ୱର : ବୟସ୍କ ବ୍ୟକ୍ତିମାନଙ୍କ ପାଇଁ କରୋନା ଘାତକ ସାବ୍ୟସ୍ତ ହେଉଛି। ରାଜ୍ୟ କିମ୍ବା ଦେଶ ନୁହେଁ ବିଶ୍ବସ୍ତରରେ ବୟସ୍କ ବ୍ୟକ୍ତିମାନେ ଅଧିକାଂଶ ସଂଖ୍ୟାରେ କରୋନାରେ ପ୍ରାଣ ହରାଉଛନ୍ତି। ତେବେ କ‌ରୋନା ମହାମାରୀ ଭଳି ଅଦୃଶ୍ୟ ଶତ୍ରୁକୁ ମଧ୍ୟ ପରାସ୍ତ କରିହେବ, ତାହାର ପ୍ରମାଣ ଦେଖାଇଛନ୍ତି ୯୩ବର୍ଷର ମହିଳା ବାସନ୍ତୀ ପାତ୍ର। ଶ୍ରୀମତୀ ପାତ୍ର ହେଉଛନ୍ତି ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ମା’। ଚଳିତମାସ ୨ତାରିଖରେ ଶ୍ରୀମତୀ ପାତ୍ର କରୋନାରେ ସଂକ୍ରମିତ ହୋଇଥିଲେ। ୫ ତାରିଖରେ ତାଙ୍କୁ ସମ୍ କୋଭିଡ୍‌ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ହୃଦ୍‌ରୋଗ ଓ କିଡ୍‌ନି ସମସ୍ୟା ରହିଥିବା ବେଳେ ପିତ୍ତକୋଷରେ ଷ୍ଟୋନ୍ ଥିବା ଜଣାପଡ଼ିଥିଲା। ତେଣୁ ତାଙ୍କ ଚିକିତ୍ସା କରିବା ଏକ ପ୍ରକାର ଆହ୍ବାନ ଥିଲା। ଏହା ସତ୍ତ୍ବେ ସମ୍ କୋଭିଡ୍‌ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକ୍‌ମାନଙ୍କ ଚିକିତ୍ସା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇପାରିଥିଲେ। ଶ୍ରୀମତୀ ପାତ୍ର କରୋନାରୁ ସୁସ୍ଥ ହେବା ପରେ ସେ ଓ ତାଙ୍କ ବିଧାୟକ ପୁଅ ଶ୍ରୀ ପାତ୍ର ସମ୍ କୋଭିଡ୍‌ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର