ସୁନ୍ଦରଗଡ଼ ଜିଲ୍ଲାରେ ୩୦% ତଳକୁ ଖସୁନି ପଜିଟିଭ୍ ହାର, କୋଭିଡ୍ ସଂକ୍ରମଣ ଏବେ ବି ଉପରମୁହାଁ

 

ରାଉରକେଲା: ଜିଲ୍ଲାରେ କୋଭିଡ୍ ସଂକ୍ରମଣ କମିବାର ନାଁ ନେଉନି। ପ୍ରତ୍ୟହ ସଂକ୍ରମଣ ସଂଖ୍ୟା ହଜାରେ ଟପୁଛି। ଏହାସହ ଜିଲ୍ଲାର ପଜିଟିଭ୍ ହାର ଏବେ ଚିନ୍ତାଜନକ ସ୍ଥିତିରେ। ସ୍ବାବ୍ ପରୀକ୍ଷା ମାତ୍ରା ଢ଼େର୍ କମ୍ ହେଉ ଅବା ସଂକ୍ରମଣ ଅଣାୟତ୍ତ ସ୍ଥିତିରେ ପହଞ୍ଚିବା ହେଉ, ପଜିଟିଭ ହାର କିନ୍ତୁ ଉଦ୍‌ବେଗ ଜନକ ସ୍ଥିତିରେ ପହଞ୍ଚିଲାଣି। ଏହି ହାର ୩୦% ତଳକୁ ଖସୁନି; ଯାହାକି ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି।

କୋଭିଡ୍ ପ୍ରଥମ ଓ ଦ୍ୱିତୀୟ ଲହରବେଳେ ଜିଲ୍ଲାର ପଜିଟିଭ୍ ହାର ଏତେ ମାତ୍ରାଧିକ ନ ଥିବାବେଳେ ତୃତୀୟ ଲହରବେଳେ କିନ୍ତୁ ମାତ୍ରାଧିକ। ଗତ ଜାନୁଆରି ପହିଲାରୁ ଜିଲ୍ଲାରେ ତୃତୀୟ ଲହର ଦେଖିବାକୁ ମିଳିଥିଲା। ଅବଶ୍ୟ ସେତେବେଳେ ପଜିଟିଭ୍ ହାର ଏତେ ଅଧିକ ନଥିଲା। କିନ୍ତୁ ଗତ ୭ ତାରିଖରୁ ପଜିଟିଭ୍ ହାର ବେଗ ଧରିଛି। ଗତ ୬ ତାରିଖରେ ଏହି ହାର ୧୯.୯% ରହିଥିଲା। ଉଲ୍ଲେଖଯୋଗ୍ୟ, ଏହାର ପୂର୍ବ ଦିନ, ଅର୍ଥାତ୍ ୬ ତାରିଖରେ ପଜିଟିଭ୍ ହାର ମାତ୍ର ୭.୧% ରହିଥିଲା। ଏହା ପରଠାରୁ ପଜିଟିଭ୍ ହାର ଉପରମୁହାଁ ରହିଛି। ଗତ ୧୬ ତାରିଖରେ କିନ୍ତୁ ଏହା କୋକୁଆ ଭୟ ଖେଲାଇଦେଇଥିଲା। ଉକ୍ତ ଦିନ ଜିଲ୍ଲାରେ ପଜିଟିଭ୍ ହାର ୫୫%ରେ ପହଞ୍ଚିଥିଲା; ଯାହାକି ଜିଲ୍ଲାର ସର୍ବକାଳୀନ ଦିନିକିଆ ସର୍ବାଧିକ। ଅବଶ୍ୟ, ଉକ୍ତ ଦିନଠାରୁ ହାର କମିବାରେ ଲାଗିଛି, କିନ୍ତୁ ୩୦% ତଳକୁ ଖସୁନି।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଜିଲ୍ଲାର ପଜିଟିଭ୍ ହାର ୧.୪% ଥିବାବେଳେ ୨ ତାରିଖରେ ୧.୩%, ୩ ରେ ୧.୪%, ୪ ତାରିଖରେ ୩.୪%, ୫ରେ ୪.୯%, ୬ ତାରିଖରେ ୭.୧%, ୭ରେ ୧୯.୯%, ୮ରେ ୯.୨%, ୯ରେ ୨୦.୧%, ୧୦ରେ ୧୪.୭%, ୧୧ରେ ୨୧.୧%, ୧୨ରେ ୨୩.୨%, ୧୩ରେ ୨୮.୨%, ୧୪ରେ ୪୨%, ୧୫ରେ ୪୧%, ୧୬ରେ ୫୫%, ୧୭ରେ ୩୦.୯%, ୧୮ରେ ୩୦.୨%, ୧୯ରେ ୩୮.୮% ଓ ୨୦ ତାରିଖରେ ୩୨% ରହିଥିଲା।

ସମ୍ବନ୍ଧିତ ଖବର