ବୁର୍ଲା : ବୁର୍ଲା ଭିମସାରରେ ପୁଣି ବଢ଼ିଛି କରୋନା ସଂକ୍ରମଣ। ଦୁଇ ଦିନ ମଧ୍ୟରେ ଭିମସାର୍ର ୫ ଡାକ୍ତର, ୧୫ କର୍ମଚାରୀଙ୍କ ସମେତ ୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ସେହିପରି ଦୁଇଦିନରେ ଭିମସାରରେ ୫ ଜଣ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ବୁଧବାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦୁଇଜଣ ରୋଗୀ ୨ ନମ୍ବର କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି।
ଗୁରୁବାର ଡାକ୍ତରଖାନାରେ ୮୫ ଜଣ ରୋଗୀଙ୍କ ଆର୍ଟିପିସିଆର ପରୀକ୍ଷା ହୋଇଥିଲା। ୪୦ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବୁଧବାର ୨୪ ଜଣ ପଜିଟିଭ ବାହାରି ଥିଲେ। ପୁଣିଥରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ଭିମସାର୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି। ବର୍ତ୍ତମାନ କୋଭିଡ୍ ହସ୍ପିଟାଲରେ ରୋଗୀ ସଂଖ୍ୟା ୯୩ ଥିବା ବେଳେ ୧୧ଜଣ ଆଇସିୟୁରେ ଅଛନ୍ତି। ୧୨ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ୯୩ ରୋଗୀଙ୍କ ମଧ୍ୟରୁ ୫୯ ଜଣ ପୁରୁଷ ଥିବାବେଳେ ୩୪ ଜଣ ମହିଳା ରୋଗୀ ଅଛନ୍ତି। ୧ ନମ୍ବର କୋଭିଡ଼ ହସ୍ପିଟାଲରେ ପ୍ରସୂତି ଓ ସ୍ତ୍ରୀ’ରୋଗ ବିଭାଗ ତଥା ସର୍ଜରି ବିଭାଗର ୧୫ ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ବୋଲି କୋଭିଡ୍ ହସ୍ପିଟାଲ-୨ର ଇନଚାର୍ଜ ଡ. ୱାଇପି ସାହୁ ସୂଚନା ଦେଇଛନ୍ତି।