ବୁର୍ଲା : ଗୁରୁବାର ଅପରାହ୍‌ଣରେ ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀ ଆଖି ବୁଜିଛନ୍ତି। ଅପର ପକ୍ଷରେ ଭିମସାରରେ ଜଣେ ପିଜି ଡାକ୍ତର, ଜଣେ ହାଉସ୍‌ସର୍ଜନ, ଚାରି ଜଣ ଡ଼ାକ୍ତରୀ ଛାତ୍ରଙ୍କ ସମେତ ମୋଟ ୨୫ ଜଣ କରୋନା ସଂକ୍ରମିତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୬ ଥିବା ବେଳେ ବୁଧବାର ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ପୁଣି ଗୁରୁବାର ନୂଆ ୨୫ ଜଣ ସଂକ୍ରମିତ ହୋଇ ଥିବାରୁ ଭିମସାର କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

Advertisment

ଭିମସାର୍‌ କୋଭିଡ଼ ହସ୍ପିଟାଲ-୨ରେ ୩ ଜଣ ଓମିକ୍ରନ ସଂକ୍ରମିତ ରୋଗୀଙ୍କୁ ମିଶାଇ ଏବେ ୫୫ ଜଣ କୋଭିଡ୍‌ ‌ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୨୯ ଜଣ ପୁରୁଷ ଓ ୨୬ ଜଣ ମହିଳା ରୋଗୀ ଅଛନ୍ତି। ଗୁରୁବାର କୋଭିଡ଼ରେ ମୃତ୍ୟୁବରଣ କରିଥିବା ରୋଗୀ ଜଣକ ୪ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କୋଭିଡ୍‌ ମୃତ୍ୟୁ ଧାରା ଆରମ୍ଭ ହୋଇଥିବାରୁ ଲୋକେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ କହାଯାଉଛି। ତଥାପି ଏବେ ବି ଅଧିକାଂଶ ଲୋକ କୌଣସି କୋଭିଡ୍ କଟକଣା ନମାନି ବିପଦକୁ ଡାକୁଛନ୍ତି। କିନ୍ତୁ କୋଭିଡ଼ ମୃତ୍ୟୁର ସୂଚନା ପରେ ପରେ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ବୃଦ୍ଧି ପାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବରେ ବୁର୍ଲା ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। କୋଭିଡ୍‌ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି।