ସମ୍ବଲପୁର : ଅଧ୍ୟାପିକାଙ୍କ ପଜିଟିଭ୍‌ ଚିହ୍ନଟ ପରେ ଭିସୁଟ୍‌ରେ ହଇଚଇ

୭୦ କର୍ମଚାରୀଙ୍କ ସ୍ବାବ୍‌ ସଂଗୃହୀତ
ଆକାଉଣ୍ଟସ୍‌ ବିଭାଗ ଓ ବ୍ୟାଙ୍କ୍‌କୁ ମଧ୍ୟ ଯାଇଥିଲେ
ପୁଲହ ଛାତ୍ରାବାସରେ ରହିଲେ ଶିକ୍ଷକ ଓ କର୍ମଚାରୀ

ସମ୍ବଲପୁର : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ରେ ଜଣେ ଅଧ୍ୟାପିକା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମଗ୍ର ବିଶ୍ବବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଛି। ଆକ୍ରାନ୍ତ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୭୦ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ବୁଧବାର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିହ୍ନଟ କରିବା ପରେ ସେମାନଙ୍କୁ ପୁଲହ ଛାତ୍ରାବାସ(କୋଭିଡ୍‌ ସଙ୍ଗରୋଧ କେନ୍ଦ୍ର)ରେ ରଖାଯାଇଛି। ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ରହିଥିବା ସମସ୍ତ କର୍ମଚାରୀଙ୍କ ସ୍ବାବ୍‌ ସଂଗୃହ କରାଯାଇଛି।

ସେପଟେ, ମଙ୍ଗଳବାର ସନ୍ଧ୍ୟାରେ ବିଶ୍ବବିଦ୍ୟାଳୟ ଗେଷ୍ଟ ହାଉସ୍‌ ପରିସରରେ ଅନୁଷ୍ଠିତ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁସାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ସମସ୍ତ କର୍ମଚାରୀ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବେ। ଏହି ସମୟରେ ଉକ୍ତ କର୍ମଚାରୀ ଜିଲ୍ଲା ମୁଖ୍ୟାଳୟରେ ହିଁ ରହିବେ ଓ ସଙ୍ଗରୋଧ ଅବଧି ଶେଷ ହେବା ପରେ ସେମାନେ ଏହି ନିର୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିଥିବା ନେଇ ଏକ ଘୋଷଣାନାମା ଦେବେ ବୋଲି କୁଳସଚିବ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି। ବୁଧବାରଠାରୁ ବିଶ୍ବବିଦ୍ୟାଳୟରେ ବିଶୋଧନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତ ଅଧ୍ୟାପିକା ବଶ୍ବବିଦ୍ୟାଳୟର ସିଭିଲ୍‌ ଇଞ୍ଜିନିୟରିଂ ବିଭାଗ ସହ ଆକାଉଣ୍ଟସ୍‌ ‌ବିଭାଗକୁ ମଧ୍ୟ ଯାଇଥିବା ଜଣାପଡ଼ିଛି। ଏହା ସହିତ ସେ ବ୍ୟାଙ୍କ୍‌କୁ ମଧ୍ୟ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର