ଗଞ୍ଜାମକୁ ପଛରେ ପକାଇଲା ଖୋର୍ଧା : ଦିନିକିଆ ସଂକ୍ରମଣରେ ରେକର୍ଡ, ୨୪ ଘଣ୍ଟାରେ ଖୋର୍ଧାରେ ୭୭୫ ପଜିଟିଭ୍‌

ରାଜ୍ୟରେ ସଂକ୍ରମଣ ୧ ଲକ୍ଷ ନିକଟତର
୩ ଦିନରେ ବଢ଼ିଲେ ୧୦ ହଜାରରୁ ଅଧିକ
କରୋନା ମୃତ୍ୟୁ ସାଢ଼େ ୪ଶହ ଟପିଲା
ସୁସ୍ଥ ହେଲେ ୨୫୦୩ଜଣ

ଭୁବନେଶ୍ୱର : ଜୁଲାଇ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାରେ ଦିନକରେ ରେକର୍ଡ ସଂଖ୍ୟକ ୭୩୨ପଜିଟିଭ୍ ଚିହ୍ନଟ ହୋଇଥିଲେ। ‌ଦିନକରେ ଗୋଟିଏ ଜିଲ୍ଲାରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସେ ସମୟରେ ଗଞ୍ଜାମ ଜିଲ୍ଲାରେ କରୋନାର ଭୟଙ୍କର ସ୍ଥିତିକୁ ଦର୍ଶାଇଥିଲା। ଏହାର ୧ ମାସ ପରେ ସମାନ ସ୍ଥିତି ଖୋର୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଖୋର୍ଧାରେ ୭୭୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଗଞ୍ଜାମ ଜିଲ୍ଲାର ଗୋଟିଏ ଦିନର ରେକର୍ଡ ସଂକ୍ରମଣକୁ ମଧ୍ୟ ପଛରେ ପକାଇ ଦେଇଛି। ଲଗାତାର ଭାବେ ଜିଲ୍ଲାରେ ପ୍ରତ୍ୟେକ ଦିନ ସଂକ୍ରମଣରେ ନୂଆନୂଆ ରେକର୍ଡ ହେଉଛି। ସିଂହଭାଗ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହେଉଛନ୍ତି। ଖୋର୍ଧା‌ରେ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ପାର୍ କରିଛି। ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଧାରେ ସର୍ବାଧିକ ସକ୍ରିୟ ରୋଗୀ ରହିଛନ୍ତି।

ଗତ ୩ ଦିନରେ ରାଜ୍ୟରେ ୧୦ ହଜାର ୪୩୭ରୋଗୀ ବଢ଼ିଛନ୍ତି। ଗତ ୨୪ ଘଣ୍ଟ‌ାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୩୬୮୨ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୬୮ରେ ପହଞ୍ଚିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଦିନକରେ ସବୁ ଜିଲ୍ଲାରୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରଥମଥର ଲାଗି କୌଣସି ଜିଲ୍ଲାରୁ ଏକ ଅଙ୍କ ସଂଖ୍ୟାରେ କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଗତ ୨୮ ଦିନ ଭିତରେ ରାଜ୍ୟରେ ୫୯ ହଜାର ୭୫୫ ରୋଗୀ ଚିହ୍ନଟ ହୋଇସାରିଲେଣି, ଯାହାକି ସମୁଦାୟ ସଂକ୍ରମଣର ୬୩ ପ୍ରତିଶତ। ଆଜି ରାଜ୍ୟରେ ୮ଜଣ କ‌ରୋନାରେ ପ୍ରାଣ ହରାଇଛନ୍ତି। ଗଞ୍ଜାମ ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ, ରାୟଗଡ଼ା, ଭଦ୍ରକ, ବରଗଡ଼ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୬ରେ ପହଞ୍ଚିଛି। ଏଥିରେ ଗଞ୍ଜାମରୁ ସର୍ବାଧିକ ୧୮୫ଜଣ, ଖୋର୍ଧା ୫୯, ସୁନ୍ଦରଗଡ଼ ୩୩, କଟକ ୨୮, ରାୟଗଡ଼ା ୨୨, ଗଜପତି ୧୮, ସମ୍ବଲପୁର ୧୪, ନୟାଗଡ଼ ୧୨ ଓ ପୁରୀରେ ୧୧ଜଣଙ୍କ କରୋନାରେ ପ୍ରାଣହାନି ଘଟିଛି। ରାଜ୍ୟର ସମୁଦାୟ ୨୭ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇସାରିଲାଣି। ତେବେ ରାଜ୍ୟର ଅଣ କୋଭିଡ୍‌ ମୃତ୍ୟୁ ୫୩ରେ ସ୍ଥିର ରହିଛି। ଦିନକରେ ଚିହ୍ନଟ ୩୬୮୨ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୨୪୧ଜଣ ଓ ୧୪୪୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୭୭୫ଜଣଙ୍କୁ ବାଦ୍ ଦେଲେ ରାୟଗଡ଼ା ୪୯୫, କଟକ ୩୬୯, ମୟୂରଭଞ୍ଜ ୨୭୨, ଗଞ୍ଜାମ ୧୭୪, ବରଗଡ଼ ୧୫୨, କୋରାପୁଟ ୧୪୦, ସମ୍ବଲପୁର ୧୨୮, ପୁରୀ ୧୧୫, ନୟାଗଡ଼ ୧୦୯, ଯାଜପୁର ୮୮, ବାଲେଶ୍ବର ୮୭, ମାଲକାନଗିରି ୮୬, ବଲାଙ୍ଗୀର ୬୮, ଢେଙ୍କାନାଳ ୬୧, କେନ୍ଦୁଝର ୫୯, ଅନୁଗୁଳ ୫୬, ଭଦ୍ରକ ୫୧, ଗଜପତି ୪୮, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରୁ ୪୪ଜଣ ଲେଖାଏଁ, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, ନବରଙ୍ଗପୁର ୩୮, କନ୍ଧମାଳ ୩୬, ସୁନ୍ଦରଗଡ଼ ଓ ସୋନପୁର ୨୭ ଲେଖାଏଁ, ନୂଆପଡ଼ା ୨୩, ବୌଦ୍ଧ ୧୪ ଓ ଦେବଗଡ଼ ୧୨ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ଗଞ୍ଜାମ ଆଗରେ ରହିଛି। ଏଠାରୁ ୧୭୨୮୭ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରେ ୧୪୭୦୦, କଟକ ୭୩୮୬, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୪୨୧୫ ଲେଖାଏଁ, ଯାଜପୁର ୩୫୬୯, ବାଲେଶ୍ବର ୩୩୮୧, କୋରାପୁଟ ୩୨୧୪, ପୁରୀରୁ ୩୨୦୧ ରୋଗୀ ଚିହ୍ନଟ ହୋଇସାରିଲେଣି। ରାଜ୍ୟର ୨୪ଟି ଜିଲ୍ଲାରେ ଏବେ ୧ ହଜାରରୁ ଅଧିକ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ରାଜ୍ୟରେ ୨୫୦୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୩୬୯ ରୋଗୀ ଖୋର୍ଧା ଜିଲ୍ଲାରୁ ରହିଛନ୍ତି। ଏହାବାଦ୍ କଟକ ୨୮୧, ଗଞ୍ଜାମ ୨୦୪, ରାୟଗଡ଼ା ୧୮୦, ସମ୍ବଲପୁର ୧୪୯, ନୟାଗଡ଼ ୧୩୫, ବାଲେଶ୍ବର ୧୩୨, ମୟୂରଭଞ୍ଜ ୧୦୭, ପୁରୀ ୧୦୨, କୋରାପୁଟ ୯୫, ଝାରସୁଗୁଡ଼ା ୭୧, ବରଗଡ଼, ବୌଦ୍ଧ ଓ ଭଦ୍ରକରୁ ୭୦ଜଣ ଲେଖାଏଁ, ମାଲକାନାଗିରି ୬୭, କନ୍ଧମାଳ ୫୨, ଗଜପତି ୪୮, ନବରଙ୍ଗପୁର ୪୪, କେନ୍ଦ୍ରାପଡ଼ା ୪୩, କଳାହାଣ୍ଡି ୩୮, ବଲାଙ୍ଗୀର ୩୬, ଯାଜପୁର ୩୩, ସୋନପୁର ୨୬, କେନ୍ଦୁଝର ୨୧, ଢେଙ୍କାନାଳ ୧୯, ଜଗତସିଂହପୁର ଓ ସୁନ୍ଦରଗଡ଼ ୧୫ଜଣ ଲେଖାଏଁ, ନୂଆପଡ଼ା, ଅନୁଗୁଳ ୩ ଓ ଦେବଗଡ଼ରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୭୮୨୬ରେ ପହଞ୍ଚିଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୩୩୩ ରହିଛି।

ସମ୍ବନ୍ଧିତ ଖବର