କରୋନାର ନୂଆ ରେକର୍ଡ : ୨୪ ଘଣ୍ଟାରେ ରାଜ୍ୟରେ ୭୫୫ ସଂକ୍ରମିତ, ୫୬୫ ସୁସ୍ଥ

ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ଛୁଇଁବ, କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁଛି। ୨୪ ଘଣ୍ଟାରେ ୨୬ ହଜାର ୫୦୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୯୩ ହଜାର ୮୦୨ ଛୁଇଁଛି। ଏପଟେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୭୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା‌ ବେଳେ ସୁସ୍ଥରେ ମଧ୍ୟ ରେକର୍ଡ ହୋଇଛି। ଆଜି ରାଜ୍ୟରେ ୫୬୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ସୁସ୍ଥ ରୋଗୀଙ୍କ ସଂଖ୍ୟା ୭୯୭୨ରେ ପହଞ୍ଚିଛି ଓ ୩୯୧୧ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ୬ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲ୍ଲା‌ରେ ୪ଜଣ କରୋନା ମୃତ୍ୟୁ ରହିଥିବା ବେଳେ ସୁନ୍ଦରଗଡ଼ ଓ ଭଦ୍ରକରେ ଜଣେ ଲେଖାଏଁ ଅଣ କୋଭିଡ୍‌ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାର ୪୧ ବର୍ଷର ଉଚ୍ଚ ରକ୍ତଚାପରେ ପୀଡ଼ିତ ଓ ୩୨ ଓ ୪୮ବର୍ଷର ମଧୁମେହରେ ପୀଡ଼ିତ ଥିବା ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ୫୮ବର୍ଷର ବ୍ୟକ୍ତିର କରୋନାର ଶିକାର ହୋଇଥିବା ବେଳେ ତାଙ୍କ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ ନାହିଁ। ଆଜି ୪ଟି କରୋନା ମୃତ୍ୟୁକୁ ନେଇ ଗଞ୍ଜାମରେ ଏ ପର୍ଯ୍ୟନ୍ତ ୩୪ ଜଣ ପ୍ରାଣ ହରାଇ ସାରିଲେଣି। ୨ଟି ଅଣ କୋଭିଡ୍‌ ମୃତ୍ୟୁରେ ସୁନ୍ଦରଗଡ଼ର ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ୫୭ବର୍ଷ ବ୍ୟକ୍ତି ଓ ଭଦ୍ରକ ଜିଲ୍ଲାରେ କର୍କଟରେ ଆକ୍ରାନ୍ତଙ୍କ ୭୦ବର୍ଷର ବ୍ୟକ୍ତି ରହିଛନ୍ତି। ରାଜ୍ୟରେ ଅଣ କୋଭିଡ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚି ଗଲାଣି। ଉଭୟ କୋଭିଡ୍‌ ଓ ଅଣ କୋଭିଡ୍‌ ମୃତ୍ୟୁକୁ ମିଶାଇଲେ ରାଜ୍ୟରେ ଏବେ ୭୩ଜଣ ପ୍ରାଣ ହରାଇ ସାରିଲେଣି।

ରାଜ୍ୟରେ ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି। କେଉଁଦିନ ପଜିଟିଭ୍‌ରେ ରେକର୍ଡ ତ ଆଉ କେଉଁଦିନ ସୁସ୍ଥ ହେବାରେ। ଏପରିକି ମୃତ୍ୟୁ ସଂଖ୍ୟା ମଧ୍ୟ ଏଥରୁ ବାଦ୍ ପଡ଼ୁନି। ଜୁଲାଇ ମାସରେ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି କଲାଣି କରୋନା।

ଟେଷ୍ଟ ପଜିଟିଭ୍ ହାର ବା ଟିପିଆରରେ ଓଡ଼ିଶା ଆଜି ଜାତୀୟ ହାରଠାରୁ ଅଧିକ ରହିଛି। ଗତକାଲି ରାଜ୍ୟରେ ଟିପିଆର ଜାତୀୟ ହାର ସହିତ ସମାନ ରହିଥିଲା।

ଗତ ୧ ସପ୍ତାହରେ ଓଡ଼ିଶାରେ କରୋନା ବୃଦ୍ଧି ହାର ୫.୭୧ପ୍ରତିଶତ ରହିଥିବା ବେଳେ ଦେଶରେ ଜାତୀୟ ହାର ୩.୪୫ପ୍ରତିଶତ ରହିଛି। ରାଜ୍ୟର କରୋନା ବୃଦ୍ଧିରେ ଗଞ୍ଜାମର ବେଶି ଅବଦାନ ରହିଛି। ଏକ ଅଣ ମେଟ୍ରୋ, ଟାୟାର ୧ ଓ ୨ ସହର ନ ହୋଇ ମଧ୍ୟ ଗଞ୍ଜାମରେ ପଜିଟିଭ୍ ସଂଖ୍ୟା ଦେଶର ଅନ୍ୟ ସହର ଅପେକ୍ଷା ଯଥେଷ୍ଟ ଅଧିକ ରହିଥିବା କୁହାଯାଉଛି।

The Verge

ସରକାରୀ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଗଞ୍ଜାମରେ ୩୨୦ଜଣ ପଜିଟିଭ୍ ହୋଇଛନ୍ତି। ଏଥିରେ ୬୫ଜଣ କୋଭିଡ୍‌ ଯୋଦ୍ଧା ରହିଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୪୧୬ରେ ପହଞ୍ଚି ଯାଇଛି। ଯାଜପୁରରେ ୮୬ଜଣ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୯ ଛୁଇଁଛି। ସୁନ୍ଦରଗଡ଼ରେ ୬୨, ଖୋର୍ଧା ୫୯, କଟକ ୫୫, କେନ୍ଦୁଝର ୩୨, ଗଜପତି ୩୦, ମାଲକାନଗିରି ୧୮, ନୟାଗଡ଼ ୧୬, ମୟୂରଭଞ୍ଜ ୧୨, ପୁରୀ ୧୧, ବାଲେଶ୍ବର ୯, କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ, ଦେବଗଡ଼ ଓ ଢେଙ୍କାନାଳ ୪ଜଣ ଲେଖାଏଁ, ଅନୁଗୁଳ ୩, ସମ୍ବଲପୁର ଓ ଭଦ୍ରକରୁ ୨ଜଣ ଲେଖାଏଁ ଓ ବରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି। ୭୫୫ ସଂକ୍ରମିତଙ୍କ ମଧ୍ୟରୁ ୫୦୮ଜଣ ସଙ୍ଗରୋଧରୁ ଓ ୨୪୭ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାଜ୍ୟରେ ସମୁଦାୟ ସଂଖ୍ୟା ୧୧୯୫୬ରେ ପହଞ୍ଚିଛି। ରାଜ୍ୟର ତୃତୀୟ ଜିଲ୍ଲା ଭାବେ କଟକ ୧ହଜାର ସଂଖ୍ୟାର ନିକଟତର ହୋଇଛି। ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୯୨୫୪ ଓ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୨ ରହିଛି।

ସେହିଭଳି ଦିନକୁ ଦିନ ସୁସ୍ଥ ସଂଖ୍ୟାରେ ମଧ୍ୟ ରେକର୍ଡ ହେଉଛି। ଆଜି ରାଜ୍ୟରେ ୫୬୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମର ୧୮୫ଜଣ ଥିବା ବେଳେ ରାୟଗଡ଼ା ୮୫, ବଲାଙ୍ଗୀର ୪୫, କଟକ ୩୨, ମାଲକାନଗିରି ୩୦, ବରଗଡ଼ ଓ ସୁନ୍ଦରଗଡ଼ ୨୪, ଅନୁଗୁଳ ୨୩, ବାଲେଶ୍ବର, ଜଗତସିଂହପୁରରୁ ୧୭ଜଣ ଲେଖାଏଁ, ଖୋର୍ଧା ୧୫, ଯାଜପୁର ୧୩, କେନ୍ଦ୍ରାପଡ଼ା ୧୦, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ୮ଜଣ ଲେଖାଏଁ, ମୟୂରଭଞ୍ଜ ୭, ଭଦ୍ରକ ୪, ପୁରୀ ୩, ଢେଙ୍କାନାଳ ଓ କେନ୍ଦୁଝରରୁ ୨ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଗୋଟିଏ ଦିନରେ ୫୬୫ ଜଣ ସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କୋଭିଡ଼୍ ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି। ସେମାନଙ୍କର ଅବିଶ୍ରାନ୍ତ ଉଦ୍ୟମ ଯୋଗୁଁ ଗତ ତିନି ଦିନ ଧରି ବହୁ ସଂକ୍ରମିତ ସୁସ୍ଥ ହୋଇଥିବା ନବୀନ କହିଛନ୍ତି।

ସମ୍ବନ୍ଧିତ ଖବର