କରୋନା ଚିତ୍ର : ଘାତକ ହେଲା ଅଗଷ୍ଟ, ମାସକରେ ୭୧ହଜାରରୁ ଅଧିକ ସଂକ୍ରମିତ, ୩୧୫ ମୃତ

ଗଞ୍ଜାମରେ ୭ହଜାର, ଖୋର୍ଧାରେ ସାଢ଼େ ୧୨ହଜାର ବଢ଼ିଲେ

ଭୁବନେଶ୍ୱର : କରୋନା ଲଢ଼େଇ ଜୋରଦାର ହେଉଥିବା ବେଳେ ଘାତକ ସାଜିଲା ଅଗଷ୍ଟ ମାସ। କେବଳ ଏହି ମାସରେ ହିଁ ରାଜ୍ୟରେ ୭୧ହଜାରରୁ ଅଧିକ ‌କରୋନା ଆକ୍ରାନ୍ତ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ୬୭ ପ୍ରତିଶତ ବୋଲି ଜଣାପଡ଼ିଛି। ଗଞ୍ଜାମ ସମେତ ଖୋର୍ଧା, କଟକ ଜିଲ୍ଲାରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ବିଶେଷ କରି ଖୋର୍ଧା ଜିଲ୍ଲା ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ଅଗଷ୍ଟରେ ଗଞ୍ଜାମରେ ୭ ହଜାର ୭୭ ରୋଗୀ ବଢ଼ିଥିବା ବେଳେ ଖୋର୍ଧାରେ ୧୨ ହଜାର ୭୨୫ ରୋଗୀ, କଟକରେ ୬୩୪୬ ରୋଗୀ ବଢ଼ିଛନ୍ତି। ଫଳରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର୍ ହୋଇଯାଇଛି। ଅଗଷ୍ଟ ମାସ ଆରମ୍ଭରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୪,୯୧୩ ରହିଥିଲା। ମାତ୍ର ସେପ୍ଟେମ୍ବର ମାସ ଆରମ୍ଭରେ ସଂଖ୍ୟା ବଢ଼ି ୧ଲକ୍ଷ ୬୫୬୧ରେ ପହଞ୍ଚିଛି। ଫଳରେ ଓଡ଼ିଶା ୧ଲକ୍ଷ ସଂକ୍ରମଣ ଟପିଥିବା ୧୧ତମ ରାଜ୍ୟ ତାଲିକାରେ ସାମିଲ ହୋଇଯାଇଛି। ତେବେ ଅଗଷ୍ଟରେ ଗଞ୍ଜାମରେ ସଂକ୍ରମଣ ବିଶେଷ ବୃଦ୍ଧି ହୋଇନାହିଁ। ବରଂ ଅଗଷ୍ଟ ମାସ ଶେଷ ଆଡ଼କୁ ଜିଲ୍ଲାରେ ସଂକ୍ରମଣ ଖସି ଆସିଥିଲା। ହେଲେ ଖୋର୍ଧାରେ ଏହା ଜୋରଦାର ବଢ଼ିବା ସହିତ ସଂକ୍ରମଣ ଗଞ୍ଜାମ ଜିଲ୍ଲାର ଅତି ନିକଟରେ ପହଞ୍ଚିଯାଇଛି। ଖୁବଶୀଘ୍ର ଖୋର୍ଧା ଗଞ୍ଜାମକୁ ଟପିଯିବ।

ଖୋର୍ଧାରେ ସଂକ୍ରମଣ ବଢ଼ିବାର ପ୍ରମୁଖ ସ୍ଥାନ ପାଲଟିଛି ଭୁବନେଶ୍ବର। ଅଗଷ୍ଟ ମାସରେ ରାଜଧାନୀ‌ରେ ୭୭୫୩ ରୋଗୀ ବଢ଼ିଛନ୍ତି। ଗୋଟିଏ ମାସରେ ଭୁବନେଶ୍ବରରେ ପ୍ରାୟ ୬୧ ପ୍ରତିଶତ ରୋଗୀ ବଢ଼ିଛନ୍ତି। ସେହିପରି ଜୁଲାଇ ମାସ ଶେଷରେ ରାଜ୍ୟର ୮ଟି ଜିଲ୍ଲାରେ ହଜାରେରୁ ଅଧିକ ରୋଗୀ ରହିଥିଲେ।

New Indian Express

ହେଲେ ଅଗଷ୍ଟମାସ ଶେଷ ସୁଦ୍ଧା ୨୫ଟି ଜିଲ୍ଲା ହଜାର ସଂଖ୍ୟା ଟପି ସାରିଛନ୍ତି। କିଛି ଜିଲ୍ଲା ହଜାର ସଂଖ୍ୟାର ନିକଟତର ହୋଇଛନ୍ତି। ତେଣୁ ଅଗଷ୍ଟରେ ଅନ୍ୟ ମାସ ତୁଳନାରେ ବ୍ୟାପକ ସଂକ୍ରମଣ ହୋଇଛି।

ଅପରପକ୍ଷରେ ସଂକ୍ରମଣ ସହିତ ବହୁ ସଂଖ୍ୟାରେ ରୋଗୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଅଗଷ୍ଟ ଆରମ୍ଭ ପର୍ଯ୍ୟନ୍ତ ରାଜ୍ୟରେ ୨୧ ହଜାର ୫୯୪ ରୋଗୀ ସୁସ୍ଥ ହୋଇଥିଲେ। ତେବେ ଗତ ୩୧ ଦିନ ଭିତରେ ରାଜ୍ୟରେ ଆହୁରି ୫୫ ହଜାର ୬୯୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ରୋଗୀଙ୍କ ସଂଖ୍ୟା ଏବେ ୭୭ ହଜାର ୨୮୬ରେ ପହଞ୍ଚିଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଞ୍ଚିଛି।

ସେହିଭଳି ଅଗଷ୍ଟ ମାସରେ ରାଜ୍ୟରେ ୩୧୫ କରୋନା ମୃତ୍ୟୁ ହୋଇଛି। ଏଥିରେ ୨୫୫ଜଣ ପୁରୁଷ ଓ ୬୦ଜଣ ମହିଳା ରହିଛନ୍ତି। ସରକାରୀ ଭାବେ ଅଗଷ୍ଟରେ ପ୍ରତ୍ୟେକ ଦିନ ହାରହାରି ୧୦ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚି ଯାଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସେପ୍ଟେମ୍ବରରେ ଯଦି ଏଭଳି ଧାରା ବଜାୟ ରହେ ତାହାଲେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର