ବାରିପଦାରେ ବିସ୍ଫୋରଣ : ପୌରାଞ୍ଚଳରୁ ୭୨ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରୁ ଅଧା ସଂକ୍ରମିତ ବାରିପଦାରେ

ପୁଲିସ୍ କର୍ମଚାରୀ, ଆସାମୀ ଆକ୍ରାନ୍ତ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୧୮ରେ ପହଞ୍ଚିଲା

ବାରିପଦା : ବାରିପଦାରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି କରୋନା। ଆଜି ଜିଲ୍ଲାରୁ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ବାରିପଦା ପୌରାଞ୍ଚଳରୁ ସଂକ୍ରମିତଙ୍କ ସଂଖ୍ୟା ୭୨ ରହିଛି। ଯାହାକି ଜିଲ୍ଲାର ସଂକ୍ରମଣର ପ୍ରାୟ ଅଧା। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଆଜି ବାରିପଦା ଟାଉନ୍ ଥାନାରୁ ଜଣେ ପୁଲିସ୍ କର୍ମଚାରୀଙ୍କ ସମେତ ଜଣେ କମ୍ପ୍ୟୁଟର ଅପରେଟର୍, ଜଣେ ଆସାମୀ ସଂକ୍ରମିତ ହୋଇଛନ୍ତି। ସେହିପରି ପୁଲିସ୍ ଲାଇନରେ ଥିବା ଶହେ ଶଯ୍ୟା ବିଶିଷ୍ଟ ପୁଲିସ୍ ବାରାକରେ ମଧ୍ୟ ଗତ ଦୁଇଦିନ ମଧ୍ୟରେ ୧୦ଜଣ ପୁଲିସ୍ କର୍ମଚାରୀ ଆକ୍ରାନ୍ତ ହୋଇସାରିଲେଣି। ଏଥିସହିତ ଟ୍ରାଫିକ୍ ଛକ ଅଞ୍ଚଳରୁ ୭ଜଣ, ୱାର୍ଡ ନଂ-୧୦ ବାଘରାରୋଡ୍ ଅଞ୍ଚଳ, ତକତପୁର, ବିଜୟରାମଚନ୍ଦ୍ରପୁର, ଭଞ୍ଜପୁର, ତୁଳସୀଚଉରା ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପିଆରଏମ ମେଡିକାଲ୍ କଲେଜ୍ ଏଣ୍ଡ ହସ୍ପିଟାଲରୁ ମଧ୍ୟ ଲଗାତର ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାରିପଦା ମଣ୍ଡଳ କାରାଗାରରୁ ମଧ୍ୟ ୪୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବାରିପଦାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେଣୁ ସମସ୍ତେ କରୋନା କଟକଣାଜନିତ ସମସ୍ତ ନୀତି ନିୟମ ମାନିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

୧୪୭ ଆକ୍ରାନ୍ତ, ୨୦୬ ସୁସ୍ଥ, ୫,୬୧୮ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୧୪୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଗୃହସଙ୍ଗରୋଧରୁ ଥିବାବେଳେ ୧୪୪ଜଣ ସ୍ଥାନୀୟ ସଂସ୍ପର୍ଶରୁ ସଂକ୍ରମିତ ହୋଇଛନ୍ତି। ଏଥିସହିତ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୧୮ରେ ପହଞ୍ଚିଛି। ଆଜି ବାରିପଦା ପୌରାଞ୍ଚଳରୁ ସର୍ବାଧିକ ୭୨ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ଛାଡ଼ି ଜିଲ୍ଲାର ବାକି ଅଞ୍ଚଳରେ ସଂକ୍ରମଣ ନିମ୍ନରେ ରହିଥିବା ଜଣାପଡ଼ିଛି। ତେବେ ଆଜି ୨୦୬ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ସାଢ଼େ ୪ହଜାର ଅତିକ୍ରମ କରି ୪ହଜାର ୫୫୦ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ସକ୍ରିୟଙ୍କ ସଂଖ୍ୟା ୧ହଜାର ୫୬କୁ ଖସିଛି। ସେହିପରି ଆଜି ଜିଲ୍ଲାରୁ ଜଣେ ୬୦ବର୍ଷ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କଠାରୁ ସୁସ୍ଥ ସଂଖ୍ୟା ଅଧିକ ହେବା ସାମାନ୍ୟ ଆଶ୍ବସ୍ତିର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର