ଲଗାତାର ଦୁଇ ଦିନ ରାଜଧାନୀରେ ଆକ୍ରାନ୍ତ ଶହେ ପାର୍, ଅମାନିଆଙ୍କୁ ଧରପଗଡ଼ ଜୋରଦାର

ବିଭିନ୍ନ ସ୍ଥାନରେ ଚଢ଼ଉ, ରାମ ମନ୍ଦିର ମଣ୍ଡପ, କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ବର : ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ବର ଏବେ ଅଣାୟତ୍ତ ହେବାରେ ଲାଗିଛି। ଏପ୍ରିଲ ପହିଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଲଗାତର ଦୁଇ ଦିନ ରାଜଧାନୀରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ବର ଏକରକମ ରେଡ୍‌ ଜୋନ୍‌କୁ ଆସିଯାଇଛି। ଭୁବନେଶ୍ବର ରାଜ୍ୟର ଏକମାତ୍ର ସହର ଯେଉଁଠୁ ଏବେ ଦୈନିକ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ୧୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୯ଜଣ ସ୍ଥାନୀୟ ସଂକ୍ରମିତ, ୨୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଗତକାଲି ଭଳି ଆଜି ବି ରାଜଧାନୀର ସବୁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟଙ୍କପାଣି ରୋଡ୍‌ରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରିରୁ ୮ଜଣ, ପଟିଆରୁ ୫ଜଣ, ପୁରୁଣା ଭୁବନେଶ୍ବରରୁ ୬ଜଣ, ଆଚାର୍ଯ୍ୟ ବିହାର, ବରମୁଣ୍ଡା ଓ ବଡ଼ଗଡ଼ରୁ ତିନି ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାକି ଅଞ୍ଚଳରୁ କେଉଁଠି ଦୁଇ ଜଣ ତ କେଉଁଠି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜଧାନୀର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ବିଏମ୍‌ସି ଓ କମିସନରେଟ୍ ପୁଲିସ ପକ୍ଷରୁ ଚଢ଼ଉ ଜୋରଦାର୍ ହୋଇଛି। ରାସ୍ତାଘାଟରୁ ଆରମ୍ଭ କରି ବଜାର, ହାଟ, ରେଳ ଷ୍ଟେସନ୍ ସବୁଠି ଆଜି କଡ଼ା ଚେକିଂ ହୋଇଛି। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ, କୋଭିଡ କଟକଣା ନ ମାନି ବ୍ୟବସାୟ କରୁଥିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହୋଇଛି। ବିଏମ୍‌ସି ଆଜି ପ୍ରେସିଡେନ୍ସି ହୋଟେଲ୍‌ କନଭେନସନ୍ ହଲ୍‌, ରାମ ମନ୍ଦିର ପରିସରରେ ଥିବା ମଣ୍ଡପ, ପଳାସପଲ୍ଲୀସ୍ଥିତ ଅକ୍ସଫୋର୍ଡ ଟ୍ୟୁରୋରିଆଲକୁ ସିଲ୍‌ କରିଛି।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ କଟକଣା କଡ଼ାକଡ଼ି ପାଳନ ନେଇ ୧୦ଦିନିଆ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ କମିସନରେଟ୍ ପୁଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି। ଖୋଦ୍‌ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ବଜାର, ରେଳ ଷ୍ଟେସନ ବୁଲିବା ସହ ସ୍ଥିତି ପରଖିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ କଡ଼ା ଚେକିଂ ବି ଆରମ୍ଭ ହୋଇଛି।

ଅପରପକ୍ଷେ ବିଏମ୍‌ସିର ତିନି ଜୋନ୍‌ର ଜୋନାଲ ଡେପୁଟି କମିସନର ଗତ କିଛି ଦିନ ଭଳି ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଯେଉଁଠି ବି କୋଭିଡ କଟକଣା ଉଲ୍ଲଂଘନ ହେଉଥିବା ଦେଖୁଥିଲେ ସେଠାରେ ଜରିମାନା ଆଦାୟ କରିଛନ୍ତି। ବିନା ଅନୁମତି‌େର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହେଉଥିବାରୁ ବିଏମ୍‌ସି ପକ୍ଷରୁ କାର୍ଯ୍ୟକ୍ରମ ବନ୍ଦ କରିବା ସହ ପ୍ରତିଷ୍ଠାନଗୁଡ଼ିକୁ ସିଲ୍‌ କରାଯାଇଛି। ଏହାଛଡ଼ା ପୂର୍ବରୁ ଯେଉଁ ସବୁ ସଂସ୍ଥାଙ୍କୁ ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ପାଇଁ ବିଏମ୍‌ସି ଅନୁମତି ଦେଇଥିଲା ସେଗୁଡ଼ିକୁ ଆଜି ହଠାତ୍ ବନ୍ଦ କରିଦେଇଛି। ସବୁ ସଂସ୍ଥାକୁ ଚିଠି ଲେଖି କାର୍ଯ୍ୟକ୍ରମ ବନ୍ଦ ହେଲା ବୋଲି କହିଛି। ରାଜଧାନୀରେ କେବଳ ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା କାର୍ଯ୍ୟକ୍ରମ ପାଇଁ କଟକଣା ଭିତରେ ଅନୁମତି ଦିଆଯିବ, ଅନ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ଏବେ ଅନୁମତି ଦିଆଯିବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଏହାସହ ପ୍ରତିଦିନ ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନେ ବିଭିନ୍ନ ହାଟ, ବଜାର, ସୋ’ରୁମ୍, ମଲ୍‌, ଜନଗହଳି ସ୍ଥାନରେ ଚଢ଼ଉ କରି କୋଭିଡ କଟକଣା ଯାଞ୍ଚ କରିବେ। ଯେଉଁଠି ବି କଟକଣା ଉଲ୍ଲଂଘନ ହେଉଥିବ ତାକୁ ତୁରନ୍ତ ସିଲ୍‌ କରିବାକୁ କୁହାଯାଇଛି।

ଗୁରୁବାରଠାରୁ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟକୁ, ୧୨ ତାରିଖରୁ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିବା ପରେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।

ସମ୍ବନ୍ଧିତ ଖବର