ଯାଜପୁରସଦର : ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିପାରୁନି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା ଗ୍ରାଫ ମଧ୍ୟ ଊର୍ଦ୍ଧ୍ବମୁଖୀ ହେଉଛି। ଜିଲ୍ଲାରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୪୦୦ ପାର୍ ହୋଇଯାଇଛି। ଏହାରି ଭିତରେ ରାଜ୍ୟ ସରକାର କୋଭିଡ୍ ଗାଇଡ୍ ଲାଇନ ଜାରି କରିଥିଲେ ମଧ୍ୟ ତାହା ଜିଲ୍ଲାରେ ଏଯାବତ୍ କାର୍ଯ୍ୟକ୍ଷମ ହୋଇପାରିନାହିଁ।
କରୋନା ସଂକ୍ରମଣ ବଢ଼ୁଥିବାବେଳେ ରାଜ୍ୟ ସରକାର କୋଭିଡ୍ ମାର୍ଗଦର୍ଶିକା ଜାରି କରିଛନ୍ତି। ବାସ୍ତବରେ ଏହାକୁ କେଉଁଠାରେ ବି ଗୁରୁତ୍ବ ଦିଆଯାଉଥିବା ଦେଖିବାକୁ ମିଳୁନି। ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାଂଶ କର୍ମଚାରୀ ବିନା ମାସ୍କରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଏଠାକୁ ଆସୁଥିବା ବେଳେ ସଂକ୍ରମଣ ହେବାର ଭୟ ରହିଛି। କରୋନାର ପ୍ରଥମ ଲହର ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କିଛି ଘରୋଇ ସଂସ୍ଥା ସାନିଟାଇଜର ମେସିନ୍ ପ୍ରଦାନ କରିଥିଲେ। ତାହା ସରିବା ପରେ ଏବେ କୋଣରେ ପଡ଼ିରହିଛି। ତା’ ଉପରେ ସାଇକଲ ରଖାଯାଉଛି। ସେହିପରି କାର୍ଯ୍ୟାଳୟ ବାହାରେ ଲାଗିଥିବା ହାତଧୁଆ ପାଣି ପାଇପ୍ ସଂଯୋଗ କାଟି ଦିଆଯାଇଛି। ଫଳରେ ତାହା ନଷ୍ଟ ହୋଇ ପଡ଼ିଛି।
ସେହିପରି ସବୁ ବିଭାଗ ସମ୍ମୁଖରେ ଥିବା ସାନିଟାଇଜର ମେସିନ୍ ଅଚଳ ଅବସ୍ଥାରେ ରହିଛି। ଆଜି ଆଉ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଡ଼ଚଣାରୁ ଜଣେ, ବରୀରୁ ୬ ଜଣ, ବିଂଝାରପୁରରୁ ୩, ଦାନଗଦୀରେ ୭, ଧର୍ମଶାଳା ୬, ଦଶରଥପୁରରୁ ୧, ଯାଜପୁରରୁ ୧୦, ଯାଜପୁର ପୌରପାଳିକାରୁ ୩, କୋରେଇରୁ ୧୨, ସୁକିନ୍ଦା ୧୨, ବ୍ୟାସନଗରରୁ ୪ ଓ ରସୁଲପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ୪୦୬ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୭ ଜଣ ସୁସ୍ଥ ହୋଇଛନ୍ତି।