ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ଅଧାରୁ ଅଧିକ ଖୋର୍ଦ୍ଧାରେ
୭ଜିଲ୍ଲାରେ କରୋନା ଆକ୍ରାନ୍ତ ନାହାନ୍ତି
ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ଦୈନିକ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଗତ ୪ଦିନ ହେଲା ୫୦ରୁ ତଳକୁ ଖସୁନଥିବାରୁ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୭ରେ ପହଞ୍ଚିଥିବା ବେଳେ ଏଥିରୁ ୧୯୭ଜଣ କେବଳ ଖୋର୍ଦ୍ଧା ଜିଲ୍ଲାରେ। ସେହିପରି ଟେଷ୍ଟ ପଜିଟିଭିଟି ରିପୋର୍ଟ (ଟିପିଆର୍) ଦୃଷ୍ଟିରୁ ଏବେ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ୟେଲୋ ଜୋନ୍ରେ ପ୍ରବେଶ କରିଛି। ଟିପିଆର୍ ୫.୧୫%ରେ ପହଞ୍ଚିଛି। କଟକରେ ଟିପିଆର୍ ୧.୦୬% ଥିବାବେଳେ ବାକି କୌଣସି ଜିଲ୍ଲାରେ ଟିପିଆର୍ ୧% ଉପରେ ନାହିଁ।
ଅପରପକ୍ଷେ ରାଜ୍ୟର ୭ଟି ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି। ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ସୁବର୍ଣ୍ଣପୁରରେ ଜଣେ ବି କରୋନା ଆକ୍ରାନ୍ତ ନାହାନ୍ତି। ଦକ୍ଷିଣ ଓଡ଼ିଶାର କେବଳ ରାୟଗଡ଼ାରେ ଜଣେ, କୋରାପୁଟରେ ୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୬୮ଜଣ ଆକ୍ରାନ୍ତ, ୨୫ରେ ୬୨ଜଣ, ୨୪ରେ ୬୧ଜଣ, ୨୩ରେ ୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମୁନଥିବାରୁ ହଠାତ୍ କାହିଁକି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା, ବିଶେଷ କରି ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ତା’ର କାରଣ ଖୋଜା ଯାଇ ପ୍ରତିକାର ବ୍ୟବସ୍ଥା କରାଯିବ। ଖୋର୍ଦ୍ଧାରୁ ୩୪, ସୁନ୍ଦରଗଡ଼ରୁ ୧୧, ଷ୍ଟେଟ୍ ପୁଲ୍ରୁ ୯, କଟକରୁ ୬, ସମ୍ବଲପୁରରୁ ୩, ବାଲେଶ୍ବର, ଦେବଗଡ଼, ଯାଜପୁର, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/covid.jpg)