ସଂକ୍ରମଣ ସ୍ଥିତି ସଙ୍ଗିନ : ଗଞ୍ଜାମକୁ ଟପିବ ଖୋର୍ଧା ଜିଲ୍ଲା

ଆଉ ୧୧ ମୃତ, ମୃତ୍ୟୁ ସଂଖ୍ୟା ୫୧୪
ଦିନକରେ ସୁସ୍ଥ ହେଲେ ୩୩୦୩
୨୪ ଘଣ୍ଟାରେ ଖୋର୍ଧାରେ ୭୩୧ ଆକ୍ରାନ୍ତ

ଭୁବନେଶ୍ୱର : କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଧା ଜିଲ୍ଲା। ଲଗାତାର ଭାବେ ଖୋର୍ଧାରେ ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ଏହା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମର ଅତି ନିକଟତର ହୋଇଛି। ଦୁଇ ଜିଲ୍ଲାରେ ରୋଗୀଙ୍କ ବ୍ୟବଧାନ ରହିଛି ମାତ୍ର ୭୯। ହେଲେ ଗଞ୍ଜାମ ତୁଳନାରେ ଖୋର୍ଧାରେ ଦିନକୁ ଦୁଇଗୁଣାରୁ ଅଧିକ ରୋଗୀ ଚିହ୍ନଟ ହେଉଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତ ୨୪ଘଣ୍ଟାରେ ଖୋର୍ଧାରେ ୭୩୧ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଖୋର୍ଧାରେ ସର୍ବାଧିକ ୭୭୫ ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ରାଜ୍ୟରେ ରେକର୍ଡ ହୋଇ ରହିଛି। ଗତ ଅଗଷ୍ଟ ମାସ ଖୋର୍ଧା ଜିଲ୍ଲା ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପଛରେ ଭୁବନେଶ୍ବରରେ ସିଂହ ଭାଗ ‌ରୋଗୀ ଚିହ୍ନଟ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ, ରାଜଧାନୀରେ ଏ ପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣକୁ ଆସିନାହିଁ।

ଖୋର୍ଧାକୁ ବାଦ୍ ଦେଲେ କଟକରେ ମଧ୍ୟ ଜୋରଦାର ବଢ଼ୁଛି କରୋନା। ଗତ ଅଗଷ୍ଟ ମାସରେ ଗୋଟିଏ ଦିନ ସଂକ୍ରମଣ ୫ଶହ ଟପି ଯାଇଥିଲା। ଗତ ୨୪ଘଣ୍ଟାରେ ଜିଲ୍ଲାରେ ୪ଶହ ରୋଗୀ ଚିହ୍ନଟ ହୋଇଛନ୍ତି। କଟକରେ ସଂକ୍ରମଣ ୯ହଜାର ନିକଟତର ହୋଇଛି। ସେହିପରି ଗୋଟିଏ ଦିନରେ ପୁରୀ ୨୧୭, ବାଲେଶ୍ବର ୧୯୪, ବରଗଡ଼ ୧୮୫, ଗଞ୍ଜାମ ୧୬୯, ମୟୂରଭଞ୍ଜ ୧୩୭, ଯାଜପୁର ୧୧୭, କେନ୍ଦୁଝର ୧୦୨, କୋରାପୁଟ ୯୦, ଭଦ୍ରକ ୮୭, ସମ୍ବଲପୁର ୭୮, ଅନୁଗୁଳ ୬୬, ନୟାଗଡ଼୬୨, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଜଗତସିଂହପୁରରୁ ୬୦ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୫୭, ନବରଙ୍ଗପୁର ୫୫, ନୂଆପଡ଼ା ୪୯, ଢେଙ୍କାନାଳ ଓ କଳାହାଣ୍ଡିରୁ ୩୭ ଲେଖାଏଁ, ବୌଦ୍ଧ ୩୬, କନ୍ଧମାଳ ୩୨, ଗଜପତି ୨୭, ସୋନପୁର ୨୬, ରାୟଗଡ଼ା ୨୫, ମାଲକାନଗିରି ୧୩, ବଲାଙ୍ଗୀରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୯୩୧ଜଣ ସଙ୍ଗରୋଧରୁ ଓ ୧୨୮୮ଜଣ ଲୋକାଲ କଣ୍ଟାକ୍ଟକୁ ମିଶାଇ ୩୨୧୯ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୭୮୦ରେ ପହଞ୍ଚିଛି।

ରାଜ୍ୟରେ ଆଜି ୧୧ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଗଞ୍ଜାମର ୩ଜଣ, ଖୋର୍ଧାରୁ ୨, ବାଲେଶ୍ବର, ଜଗତସିଂହପୁର, ସମ୍ବଲପୁର, ରାୟଗଡ଼ା, ପୁରୀ ଓ ଭଦ୍ରକରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୯୪ଜଣଙ୍କ ମୃତ୍ୟୁ ହୋଇଛି। ଏହାବାଦ୍ ଖୋର୍ଧା ୬୯, ସୁନ୍ଦରଗଡ଼ ୩୬, କଟକ ୩୨, ରାୟଗଡ଼ା ୨୬, ଗଜପତି ୧୮, ପୁରୀ ୧୬, ସମ୍ବଲପୁର ୧୫, ନୟାଗଡ଼ ୧୩, ବାଲେଶ୍ବରରୁ ୧୨ ଓ କନ୍ଧମାଳରୁ ୧୧ଜଣ ପ୍ରାଣ ହରାଇଛନ୍ତି। ତେବେ ରାଜ୍ୟରେ ଅଣ କରୋନା ମୃତ୍ୟୁ ୫୩ରେ ସ୍ଥିର ରହିଛି।

ରାଜ୍ୟରେ ଆଉ ୩୩୦୩ କ‌ରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୬୫୦ଜଣ କଟକ ଜିଲ୍ଲାରୁ ରହିଛନ୍ତି। ଏହାବାଦ୍ ଖୋର୍ଧା ୪୯୩, ଯାଜପୁର ୨୧୩, ଗଞ୍ଜାମ ୨୦୯, ରାୟଗଡ଼ା ୧୮୫, ସମ୍ବଲପୁର ୧୭୨, କୋରାପୁଟ ୧୪୯, ପୁରୀ ୧୨୮, ନୟାଗଡ଼ ୧୨୫, ମୟୂରଭଞ୍ଜ ୧୦୪, କେନ୍ଦୁଝର ୯୦, ସୁନ୍ଦରଗଡ଼ ୮୭, ଅନୁଗୁଳ ୮୦, ବାଲେଶ୍ବର ୭୯, ମାଲକାନଗିରି ୭୬, କନ୍ଧମାଳ ୫୫, ଭଦ୍ରକ ଓ ଜଗତସିଂହପୁର ୪୯ ଲେଖାଏଁ, ବଲାଙ୍ଗୀର ୪୭, ଗଜପତି ୩୭, ନୂଆପଡ଼ା ଓ ବରଗଡ଼ରୁ ୩୫ ଲେଖାଏଁ, ନବରଙ୍ଗପୁର ୩୪, ଢେଙ୍କାନାଳ ୩୨, କେନ୍ଦ୍ରାପଡ଼ା ୩୦, ସୋନପୁର ୨୫, କଳାହାଣ୍ଡି ୧୪, ଝାରସୁଗୁଡ଼ା ୧୩ ଓ ଦେବଗଡ଼ରୁ ୮ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୪,୦୭୩ରେ ପହଞ୍ଚିଛି। ଏବେ ୨୫,୧୪୦ ସକ୍ରିୟ ରୋଗୀଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର