ମୟୂରଭଞ୍ଜ: ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଡବଲ ସେଞ୍ଚୁରୀ ଦିଗରେ କରୋନା

୧୯୬ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେଣି ୧୩୦, ଜଣେ ମୃତ

ବାରିପଦା : ମୟୂରଭଞ୍ଜରେ ଧୀରେ ଧୀରେ କାୟା ମେଲାଉଛି କରୋନା। ଜିଲ୍ଲାରେ ଡବଲ୍ ସେଞ୍ଚୁରୀର ନିକଟବର୍ତ୍ତୀ ହେଲାଣି କରୋନା। ଆଜି ପୁଣି ୧୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬କୁ ବୃଦ୍ଧି ପାଇଛି। ନୂତନ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ସଂଗରୋଧ କେନ୍ଦ୍ରରୁ ଥିବାବେଳେ ୪ଜଣ ଲୋକାଲ୍ କଣ୍ଟାକ୍ଟରୁ ଆକ୍ରାନ୍ତ ହୋଇଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି। ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ କ୍ରମଶଃ ବୃଦ୍ଧିପାଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି।

ସେହିପରି ଏହି ମହାମାରୀ ଜିଲ୍ଲାର ଅଧିକାଂଶ ବ୍ଲକ୍‌କୁ ବ୍ୟାପିବାରେ ଲାଗିଛି। ଆଜିସୁଦ୍ଧା ଜିଲ୍ଲାକୁ ପ୍ରାୟ ୩୨ହଜାରରୁ ଊର୍ଧ୍ବ ପ୍ରବାସୀ ଫେରିସାରିଲେଣି। ସେହିପରି ପ୍ରାୟ ୫ହଜାର ୭ଶହ ନମୁନା ପରୀକ୍ଷା ହୋଇଥିବା ଜଣାପଡ଼ିଛି। ସମସ୍ତ ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଥିବା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ ଜିଲ୍ଲାରେ ଆଜିସୁଦ୍ଧା ୧୩୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ସକ୍ରିୟ ସଂଖ୍ୟା ୬୫ରେ ପହଞ୍ଚିଛି। ସେହିପରି ଜଣେ ୬୦ ବର୍ଷୀୟ କରୋନା ପଜିଟିଭ୍ ଆକ୍ରାନ୍ତଙ୍କର କର୍କଟ ରୋଗ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟଗତ ଜଟିଳତା କାରଣରୁ ମୃତ୍ୟୁ ହୋଇଥବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର