ରାଜ୍ୟରେ କରୋନା ସ୍ଥିତି ଅପରିବର୍ତିତ, ଚିନ୍ତାଜନକ: ଦିନକରେ ୮୯୧୪ ପଜିଟିଭ୍, ୫ ମୃତ

ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଚାପ ବଢ଼ିବ: ବିଶେଷଜ୍ଞ
ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଅପରିବର୍ତ୍ତିତ ଓ ଚିନ୍ତାଜନକ ରହିଛି। ଦୈନିକ ସଂକ୍ରମଣ ୮ହଜାର ଉପରେ ରହିଥିଲେ ହେଁ ଦିନକୁ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବଢ଼ିବା‌ରେ ଲାଗିଛି। ଧୀରେଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍‌-ଜୋନ୍‌ରେ ପ୍ରବେଶ କରୁଛି। ବର୍ତ୍ତମାନ ରାଜ୍ୟର ୧୯ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ସାମିଲ ହୋଇସାରିଲାଣି। ଯଦି ଆଉ କିଛି ଦିନ ଧରି ଏଭଳି ସ୍ଥିତି ଲାଗି ରହେ, ତାହାଲେ ସାରା ଓଡ଼ିଶା ରେଡ୍‌-ଜୋନ୍‌ ଭିତରକୁ ଚାଲି ଆସିପାରେ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୯୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତମାସ ୧ତାରିଖ ତୁଳନାରେ ୧୦ ପ୍ରତିଶତ ଅଧିକ। ରାଜ୍ୟର ୨୮ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୨୫୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୪,୭୩୨କୁ ବୃଦ୍ଧି ପାଇଛି।

ଏହାସହ ସୁନ୍ଦରଗଡ଼ରେ ୫୯୨, କଟକ ୫୮୭, ପୁରୀ ୫୩୦, ସମ୍ବଲପୁର ୫୨୦, ବରଗଡ଼ ୪୫୨, ନବରଙ୍ଗପୁର ୪୩୩, ଭଦ୍ରକ ୩୫୧, ଅନୁଗୁଳ ୩୩୧, ଝାରସୁଗୁଡ଼ା ୩୦୪ ଓ ଷ୍ଟେଟ୍ ପୁଲରୁ ୨୫୫ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୭୧ହଜାର ୫୩୬କୁ ବୃଦ୍ଧି ପାଇଛି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ତ୍ରିଭୁବନ ମହାପାତ୍ର କହିଛନ୍ତି, କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଯେଉଁ ଆଶିଂକ ଲକ୍‌ଡାଉନ୍ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ବାଗତଯୋଗ୍ୟ। ହେଲେ ଏବେ ଦୈନିକ ସଂକ୍ରମଣର ଯେଉଁ ଧାରା ଦେଖିବାକୁ ମିଳିଛି, ତାହା ଯଦି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ, ତାହାଲେ ସରକାରଙ୍କୁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ବିଷୟରେ ଚିନ୍ତା କରିବାକୁ ହେବ। ଏହାସହ ଲଗାତାର ଭାବେ ୮-୧୦ ହଜାର ସଂକ୍ରମଣ ଲାଗି ରହିଲେ ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିବ। ଆଇସିୟୁ, ଅକ୍ସିଜେନ୍, ଔଷଧର ଚାହିଦା ବୃଦ୍ଧି ପାଇବା ସହିତ ନିରବଚ୍ଛିନ୍ନ ଭାବେ କାମ କରି ଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଥକି ପଡ଼ିବା ସ୍ବାଭାବିକ। ତେଣୁ ଏହା ଉପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଗୁରୁତ୍ବ ଦେବାକୁ ହେବ ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟ‌ରେ ଆଉ ୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ସୁନ୍ଦରଗଡ଼ ୩ ଓ ଖୋର୍ଦ୍ଧାର ୨ଜଣ ମୃତକ ରହିଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୦୭୩କୁ ବୃଦ୍ଧି ପାଇଛି। ଗତ ୩ ଦିନରେ ୩୦ଜଣ ସଂକ୍ରମିତ ପ୍ରାଣ ହରାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୬୪୮୮ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୪ହଜାର ୬୩କୁ ବୃଦ୍ଧି ପାଇଛି। ଏହା ସତ୍ତ୍ବେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୫,୩୪୭କୁ ବୃଦ୍ଧି ପାଇଛି, ଯାହାକି ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ୧୪ ପ୍ରତିଶତ। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଏହା ପଛକୁ ରହିଛି।

ସମ୍ବନ୍ଧିତ ଖବର