ସଂକ୍ରମଣ ବଢ଼ୁଛି, ଟିକା କମୁଛି; ରାଜ୍ୟରେ ୫ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦିନକରେ ୧୨,୨୩୮ ପଜିଟିଭ୍
ରେଡ୍‌ ଜୋନ୍‌ରେ ରାଜ୍ୟର ୨୪ ଜିଲ୍ଲା
ଏଯାଏ ୪ଲକ୍ଷ ୨୩ହଜାର ସୁସ୍ଥ ହେଲେଣି
୬ ଦିନରେ ୭୮ଜଣଙ୍କର ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ପ୍ରଥମ ଥର ଲାଗି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର ଟପିଛି। ୬ ତାରିଖର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ। ଚଳିତ ମାସ ପହିଲାରେ ପ୍ରଥମଥର ୧୦,୪୧୩ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିଲା ବେଳେ ୫ତାରିଖ ଦିନ ୧୦,୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ଦୁଇ ଦିନରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷରୁ ଅଧିକ ହୋଇଛି। ୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରେ ଓଡ଼ିଶା ହେଉଛି ୧୫ତମ ରାଜ୍ୟ।

ଗତ ୬ ଦିନରେ ରାଜ୍ୟରେ ୫୫,୯୬୮ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। କୋଭିଡ୍‌ ନମୁନା ପରୀକ୍ଷା ୪୮ ହଜାରରେ ସ୍ଥିର ରହିଛି। ଗତ ୫ ତାରିଖ ଦିନ ୪୮,୩୧୪ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୦,୫୨୧ ଆକ୍ରାନ୍ତ ବ‌ାହାରିଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ୨୧.୭ ପ୍ରତିଶତ ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବାପରଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସାମଗ୍ରିକ ଟିପିଆର୍‌ ୪.୮୨ ପ୍ରତିଶତକୁ ବୃଦ୍ଧି ପାଇଛି। ଦୁଇ ମାସ ତଳେ ଏହା ୩ ପ୍ରତିଶତ ରହିଥିଲା। ରାଜ୍ୟର ୨୪ଟି ଜିଲ୍ଲା ଏବେ ରେଡ୍‌-ଜୋନ୍‌ରେ ସାମିଲ ହୋଇ ସାରିଲାଣି। କରୋନା ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି। ଗତ ୫ ତାରିଖ ଦିନ ୧୭ଜଣ କ‌ରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଚଳିବର୍ଷର ସର୍ବାଧିକ କରୋନା ମୃତ୍ୟୁ। ଖୋର୍ଧାରେ ସର୍ବାଧିକ ୪ଜଣ, ବାଲେଶ୍ବର ଓ ମାଲକାନଗିରିରେ ୨ ଲେଖାଏଁ, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି। ଗତ ୬ ଦିନରେ ୭୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ଆଜି ସର୍ବାଧିକ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ୬୮୫୪ ଆକ୍ରାନ୍ତ ଗୋଟିଏ ଦିନରେ ସୁସ୍ଥ ହେବା ଫଳରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ଲକ୍ଷ ୨୩ହଜାର ୨୫୭କୁ ବୃଦ୍ଧି ପାଇଛି। ଏବେ ୭୪,୭୩୧ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏହା ସମୁଦାୟ ସଂକ୍ରମିତ ସଂଖ୍ୟାର ୧୫ ପ୍ରତିଶତ। ଆକ୍ରାନ୍ତଙ୍କ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ପ୍ରଥମ ଲହରରେ ସେପ୍ଟେମ୍ବର ୨୮ ତାରିଖରେ ସର୍ବାଧିକ ୩୪,୧୫୮ ଚିକିତ୍ସାଧୀନ ‌ରୋଗୀ ରହିଥିଲେ ରାଜ୍ୟରେ। ହେଲେ ଦ୍ବିତୀୟ ଲହରରେ ଖୁବ୍‌ କମ୍ ସମୟ ଭିତରେ ଏହାର ଦୁଇଗୁଣାରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସ୍ବାସ୍ଥ୍ୟ‌ବିଶେଷଜ୍ଞମାନେ କହିଛନ୍ତି।

ଖୋର୍ଧା ଜିଲ୍ଲା ରାଜ୍ୟର ସଂକ୍ରମଣର ପ୍ରମୁଖ କେନ୍ଦ୍ରସ୍ଥଳୀ ପାଲଟିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ୧୪୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୮,୮୧୧କୁ ବୃଦ୍ଧି ପାଇଛି। ସେହିପରି ସୁନ୍ଦରଗଡ଼ରେ ୧୧୮୬ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୬୫୫ରେ ପହଞ୍ଚି ଯାଇଛି। ଏହାସହ କଟକ ୯୬୩, କଳାହାଣ୍ଡି ୫୭୧, ବରଗଡ଼ ୫୪୩, ସମ୍ବଲପୁର ୪୬୦, ନବରଙ୍ଗପୁର ୪୦୪, ଅନୁଗୁଳ ୩୮୮, ଯାଜପୁର ୩୭୩, ପୁରୀ ୩୧୯, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୧୪ ଲେଖାଏଁ, ନୂଆପଡ଼ା ୩୦୪ ଓ ଷ୍ଟେଟ୍‌ ପୁଲରୁ ୨୮୨ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର