ରାଜ୍ୟସ୍ଥିତି ଚିନ୍ତାଜନକ, ୨୮ ଜିଲ୍ଲାରେ ପଜିଟିଭ୍ ହାର ୧୦%

ଦିନକରେ ୧୧,୧୦୮ ପଜିଟିଭ, ୨୬ ମୃତ

ଭୁବନେଶ୍ବର : ଚଳିତ ସପ୍ତାହ(୧୬-୨୨)ରେ ଓଡ଼ିଶାର ପଜିଟିଭ୍ ହାର ୨୧.୭୭ ପ୍ରତିଶତ ରେକର୍ଡ କରାଯାଇଛି। ଚଳିତ ମାସ ପ୍ରଥମ ସପ୍ତାହରେ ଏହା ୨୩ ପ୍ରତିଶତ ରହିଥିବା ବେଳେ ଏଥିରେ ସାମାନ୍ୟ ହ୍ରାସ ନଜରକୁ ଆସିଛି। ଦେଶରେ ଅଧିକ ପଜିଟିଭ୍ ହାର ଥିବା ରାଜ୍ୟ ଭିତରେ ଓଡ଼ିଶା ୧୧ନମ୍ବର ସ୍ଥାନରେ ରହିଛି। ଚିନ୍ତାର ବିଷୟ ହେଉଛି ଯେ ଗତ ୧୬ ତାରିଖ ବେଳକୁ ରାଜ୍ୟର ଯେଉଁ ୨୮ଟି ଜିଲ୍ଲାରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହିଥିଲା, ତାହା ଏବେ ମଧ୍ୟ ବଳବତ୍ତର ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।

ରାଜ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ଜାରି ରହିଛି। ଏହାସହ ଦୈନିକ ନମୁନା ସଂଖ୍ୟା ବୃଦ୍ଧି ପାଇ ୬୧ ହଜାରରେ ପହଞ୍ଚିଛି। ଏହା ସତ୍ତ୍ବେ ରାଜ୍ୟରେ ସଂକ୍ରମଣ ସମ୍ବେଦନଶୀଳ ସ୍ଥିତିରେ ରହିଛି। ଏକାଧିକ ସଂକ୍ରମଣ ମଡେଲ ଚଳିତ ମାସ ଦ୍ବିତୀୟ ସପ୍ତାହରେ ଶୀର୍ଷ ସଂକ୍ରମଣ ଛୁଇଁବ ବୋଲି ଆକଳନ କରିଥିଲେ। ହେଲେ ଗତ ୩/୪ଦିନର ସଂକ୍ରମଣ ଟ୍ରେଣ୍ଡ୍‌ କିଛି ଭିନ୍ନ କଥା କହୁଛି। ସଂକ୍ରମଣ କେଉଁ ଦିନ ୧୨ହଜାର ନିକଟତର ତ ଆଉ କେଉଁଦିନ ୧୨ହଜାର ପାର୍ କରୁଛି। ତେଣୁ ରାଜ୍ୟରେ ଏବେ ସଂକ୍ରମଣ ଶୀର୍ଷକୁ ଛୁଇଁଲାଣି କି ଶୀର୍ଷ ଆସିବା ପାଇଁ ଆହୁରି କିଛି ସମୟ ଲାଗିପାରେ, ତାହା ଏବେ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ର କହିଛନ୍ତି ଯେ ଶୀର୍ଷ ସଂକ୍ରମଣ ଏବେ ପ୍ଲାଟ୍ୟୁ ଅବସ୍ଥାରେ ଅଛି। ଭୁବନେଶ୍ବରରରେ ଏବେ ୩୪ପ୍ରତିଶତ ଟିପିଆର୍‌ ରହିଛି। ଖୋର୍ଧା ଜିଲ୍ଲାରେ ୩୦ ପ୍ରତିଶତରୁ ଅଧିକ ରହୁଛି, ଯାହା କି ଚିନ୍ତାଜନକ। ଏଥିପାଇଁ ଲକ୍‌ଡାଉନ୍‌କୁ ଆହୁରି କଡ଼ାକଡ଼ି କରିବାକୁ ହେବ। କଣ୍ଟାକ୍ଟ ଟ୍ରେସିଂ ଠିକ୍‌ରେ କରାଯାଉନି। ସଂକ୍ରମିତ ବ୍ୟକ୍ତି ବାହାରେ ବୁଲାବୁଲି କରୁଛନ୍ତି। ତେଣୁ ରାଜ୍ୟ ସରକାର ଏହା ଉପରେ ଅଧିକ ଗୁରୁତ୍ବ ଦେବାର ସମୟ ଆସିଛି। ଦିଲ୍ଲୀ, ମହାରାଷ୍ଟ୍ରରେ ସଂକ୍ରମଣ ଶୀର୍ଷକୁ ପହଞ୍ଚିବା ନିକଟତର ହୋଇଥିବା ବେଳେ ଲକ୍‌ଡାଉନ୍‌ କରାଯାଇଥିଲା। ହେଲେ ଓଡ଼ିଶା ସରକାର ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ଆଗୁଆ ଲକ୍‌ଡାଉନ୍ କରିଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ଆନ୍ଧ୍ର ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ସଂକ୍ରମଣ ଶୀର୍ଷକୁ ଆସି ନାହିଁ। ଚଳିତ ମାସ ଶେଷ ଆଡ଼କୁ ରାଜ୍ୟରେ ଶୀର୍ଷ ସଂକ୍ରମଣ ଛୁଇଁବା ସହିତ ଜୁନ୍ ପ୍ରଥମ ସପ୍ତାହ ଆଡ଼କୁ ସଂକ୍ରମଣ ହ୍ରାସ ପାଇବ ବୋଲି ଡା. ମିଶ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣରେ ସାମାନ୍ୟ ହ୍ରାସ ନଜରକୁ ଆସିଛି। ୧୮ପ୍ରତିଶତ ହାରରେ ରାଜ୍ୟରେ ୧୧,୧୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ଖୋର୍ଧା ଜିଲ୍ଲାରୁ ୧୪୫୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ କଟକ ୯୪୪, ଅନୁଗୁଳ ୮୬୪, ସୁନ୍ଦରଗଡ଼ ୭୯୮, ମୟୂରଭଞ୍ଜ ୬୩୫, ବାଲେଶ୍ବର ୫୦୯, ଭଦ୍ରକ ୪୮୯, ପୁରୀ ୪୭୩, ଯାଜପୁର ୩୯୬, ସମ୍ବଲପୁର ୩୮୪ ଓ ଷ୍ଟେଟ୍‌ ପୁଲରୁ ୨୫୪ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୬ଲକ୍ଷ ୭୯ହଜାର ୫୩୦‌କୁ ବୃଦ୍ଧି ପାଇଛି।

ରାଜ୍ୟରେ କୋରାନା ପୁଣି ୨୬ଜଣଙ୍କ ମୁଣ୍ଡ ନେଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୬, କଳାହାଣ୍ଡି ୪, ଗଞ୍ଜାମ, ପୁରୀରେ ୩ ଲେଖାଏଁ, ସୁନ୍ଦରଗଡ଼, ଅନୁଗୁଳ, ବାଲେଶ୍ବରରେ ୨ ଲେଖାଏଁ, ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି। ସେହିପରି ଲଗାତାର ଭାବେ ୧୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେଉଛନ୍ତି ରାଜ୍ୟ‌ରେ। ଆଜି ୧୦,୬୦୧ ରୋଗୀ ସୁସ୍ଥ ହେବା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୯,୦୩୮କୁ ବୃଦ୍ଧି ପାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୭୭ହଜାର ୯୮୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର