୪ଦିନ ହେବ କ‌ରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି, ବ୍ୟାପକ ଟିକାକରଣ ସତ୍ତ୍ବେ ଭୁବନେଶ୍ୱରରେ ସଂକ୍ରମଣ ଥମୁନି

ଶୂନ୍‌କୁ ଖସିଲା କେନ୍ଦୁଝରରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୪ଦିନ ହେବ ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହୋଇଛି। ଯଦିଓ ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ୍ ରହିଛି ତଥାପି କିଛି ଜିଲ୍ଲା ସଂକ୍ରମଣ ଗ୍ରାଫ୍‌କୁ ଉପରମୁହାଁ କରିବାରେ ସହାୟକ ହୋଇଛନ୍ତି। ଏଥିରେ ଆଗରେ ରହିଛି ଖୋର୍ଧା ଜିଲ୍ଲା। ଭୁବନେଶ୍ବରରେ ଟିକାକରଣ ୨୫ଲକ୍ଷ ଟପିଥିଲେ ମଧ୍ୟ ସଂକ୍ରମଣ ଆଶାତୀତ ହ୍ରାସ ପାଇନାହିଁ। ଏବେ ବି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ୟୁରୋପୀୟ ଦେଶଗୁଡ଼ିକରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସଂକ୍ରମଣ ଗ୍ରାପ୍‌ରେ ବୃଦ୍ଧି ସମ୍ଭାବ୍ୟ ତୃତୀୟ ଲହର ଆଡ଼କୁ ସଂକେତ ଦେବା ଆରମ୍ଭ କରିଥିବା ନେଇ ଚର୍ଚା ହେଉଛି।

ରାଜ୍ୟରେ ଗତ ୪ଦିନର କରୋନା ସଂକ୍ରମଣ ଗ୍ରାଫ୍‌ ଏଭଳି ଚିତ୍ର ବୟାନ କରୁଛି। ଗତ ୧୪ତାରିଖରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୮୫, ୧୫ରେ ୨୦୬, ୧୬ରେ ୨୨୬, ୧୭ରେ ୨୨୯ ଓ ଗତ ୨୪ଘଣ୍ଟାରେ ୨୪୨ଜଣଙ୍କୁ ଚିହ୍ନଟ ହୋଇଛନ୍ତି। ଖୋର୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ଶହେ ଉପରେ ରହିଛି। ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରୁ ୧୨୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ବାଦ୍ ମୟୂରଭଞ୍ଜ ୨୪, କଟକ ୧୮ ଓ ଷ୍ଟେଟ୍‌ ପୁଲରୁ ୨୮ଜଣ ଆକ୍ରାନ୍ତ ରହିଛନ୍ତି। ମାତ୍ରା ଆଶ୍ବାସନାର ବିଷୟ ହେଉଛି ଯେ ରାଜ୍ୟର ୧୧ଟି ଜିଲ୍ଲାରୁ ଜଣେ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୬ହଜାର ୫୫୯କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୨ ଓ ଗଞ୍ଜାମରୁ ଜଣେ ପ୍ରାଣ ହରାଇଛନ୍ତି। ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୮୩୮୯କୁ ବୃଦ୍ଧି ପାଇଛି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଭୁବନେଶ୍ବରରେ ସର୍ବାଧିକ ଟିକାକରଣ ହୋଇଥିଲେ ମଧ୍ୟ ଉପକଣ୍ଠ ଅଞ୍ଚଳରେ ବ୍ୟାପକ ଟିକାକରଣ ହୋଇନାହିଁ। ତେଣୁ ସେସବୁ ଅଞ୍ଚଳରୁ ସଂକ୍ରମିତ ଲୋକମାନେ ରାଜଧାନୀରେ ପରୀକ୍ଷା ପାଇଁ ଆସୁଥିବା କାରଣରୁ ଭୁବନେଶ୍ବରରେ ଉଚ୍ଚ ସଂକ୍ରମଣ ରହୁଥିବା ଅନୁମାନ କରାଯାଉଛି। ଏହାସହ ଭୁବନେଶ୍ବରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବେ ବି ସଂକ୍ରମଣ ରହିଛି। ଟିକାକରଣ ସତ୍ତ୍ବେ ବ୍ରେକ୍‌ ଥ୍ରୁ ସଂକ୍ରମଣ ମଧ୍ୟ ହେଉଛି। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଡା.ମହାପାତ୍ର କହିଛନ୍ତି।

ରାଜ୍ୟରେ ଆଉ ୩୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୯୬୭କୁ ବୃଦ୍ଧି ପାଇଛି। ଏହାସହ କେନ୍ଦୁଝର ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନକୁ ଖସି ଆସିଛି। ଖୋର୍ଧା ଜିଲ୍ଲାରେ ଏବେ ବି ୧ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର