ରାଜ୍ୟରେ ଭୟଙ୍କର ପରିସ୍ଥିତି: ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ୨୪ ଘଣ୍ଟାରେ ୪୨୪ ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ରବିବାର ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶ (ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆ) ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ବିଦେଶ ଫେରନ୍ତାଙ୍କ ସଂପର୍କରେ ଆସିଥିଲେ। ଅନ୍ୟ ୧୦ ଜଣ ବିଦେଶ ଯାଇ ନାହାନ୍ତି କି ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନାହାନ୍ତି। ତେଣୁ ସେମ‌ାନେ କିପରି ଓମିକ୍ରନ ସଂକ୍ରମିତ ହେଲେ, ‌ତାହାର ଅନୁଧ୍ୟାନ କରାଯାଉଛି। ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୩୭ରେ ପହଂଚିଛି। ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ନାଇଜେରିଆ ଏବଂ କତାରରୁ ଫେରିଥିଲେ।

ସ୍ବାସ୍ଥ୍ୟ ବିଭାଗ ଏବେ କେବଳ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କ ଜିନମ୍ ସିକ୍ବେନ୍ସିଂ କରୁଥିବା ବେଳେ ଅନ୍ୟମାନଙ୍କର କାଁ ଭାଁ ହେଉଛି। ତେଣୁ ସମସ୍ତଙ୍କର ପରୀକ୍ଷା କରାଗଲେ ଅଧିକ ଓମିକ୍ରନ ଚିହ୍ନଟ ହେବାର ଆଶଙ୍କା ରହିଛି।

ଦିଲ୍ଲୀ, ମୁମ୍ବାଇ, କେରଳ, କୋଲକତାରେ ମଧ୍ୟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଦିନ ମହାରାଷ୍ଟ୍ରରେ ସର୍ବାଧିକ ୫୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରେ ୪୫ ଜଣ ଚିହ୍ନଟ ହୋଇଛନ୍ତି। ଏହାପଛକୁ ରହିଛି ଓଡ଼ିଶା (୨୩)।

Newsweek

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ରାଜ୍ୟରେ ‌ଯେଉଁ ୨୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କ ବୟସ ୮ରୁ ୮୩ବର୍ଷ ଭିତରେ। ଏଥିରେ ୧୯ଜଣ ପୁରୁଷ ଥିବାବେଳେ ୪ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ କେନ୍ଦୁଝରରୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪ଜଣ, ବୌଦ୍ଧରୁ ୨ଜଣ, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, ସମ୍ବଲପୁରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଂ ହୋଇଛି ଏବଂ ରିପୋର୍ଟ ଆସିବା ବାକି ଅଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ୁଛି ଯେ ଏଥିରୁ ୫୦% ବିଦେଶ ଫେରନ୍ତା ଓ ୫୦% ସ୍ଥାନୀୟ ଲୋକ ଅଛନ୍ତି। ସ୍ଥାନୀୟ ଲୋକ କିପରି ଓମିକ୍ରନ୍ ଆକ୍ରାନ୍ତ ହେଲେ ତାହା ଜଣାପଡ଼ୁନି। ସେମାନେ ନିକଟ ଅତୀତରେ ବିଦେଶ ଯାଇଥିଲେ କି ନାହିଁ, ସେମାନେ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ କି ନାହିଁ ତା’ର ଅନୁଧ୍ୟାନ ଚାଲିଛି।

ଦୈନିକ କରୋନା ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ଡିସେମ୍ବର ୨୮ରେ ସର୍ବାଧିକ ୧୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଦୈନିକ ଆକ୍ରାନ୍ତ ସଂଖ୍ୟା ୪୨୪ରେ ପହଞ୍ଚିଛି। ଅର୍ଥାତ୍ ୪ଦିନରେ ଅଢେଇ ଗୁଣାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଦ୍ବାରା ଟେଷ୍ଟ ପଜିଟିଭିଟି ରେଟ୍ ୦.୬୯%ରେ ପହଞ୍ଚିଛି। ଜାନୁଆରି ୧ରେ ରାଜ୍ୟରେ ୬୧,୬୫୨ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ଏହି ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୯ ଜଣ କ୍ବାରାଣ୍ଟିନରେ ଥିବା ବେଳେ ୧୭୫ ଜଣ ହେଉଛନ୍ତି ସ୍ଥାନୀୟ। ତେବେ ସବୁଠାରୁ ଆତଙ୍କିତ କରିବାର କଥା ହେଉଛି ଯେ ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍ ୬୭ ଜଣ ପିଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ଜଣ ଥିବା ବେ‌ଳେ କଟକରୁ ୪୫ଜଣ, ସୁନ୍ଦରଗଡ଼ରୁ ୩୮, ବରଗଡ଼ରୁ ୧୦, ଝାରସୁଗୁଡ଼ାରୁ ୧୫, ପୁରୀରୁ ୧୪, ସମ୍ବଲପୁରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୫୫,୫୫୬ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୦୭୮ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୮୪୬୩ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର