ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦୁଇ ଦିନରେ ତିନି ଗୁଣା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ହଠାତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଦିନରେ ପ୍ରାୟ ତିନି ଗୁଣା ଆକ୍ରାନ୍ତ ଚିହ୍ନଟ ହେଲେଣି। ଜାନୁଆରି ୪ରେ ୬୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ରେ ୧୨୧୬ଜଣ ଚିହ୍ନଟ ହେ‌ାଇଥିଲେ। ହେଲେ ଆଜି ଗତ ୪ମାସର ରେକର୍ଡ ଭାଙ୍ଗି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୭ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ବାଲେଶ୍ବର, ସମ୍ବଲପୁର, ପୁରୀ, ଝାରସୁଗୁଡ଼ା ସ୍ଥିତି ଚିନ୍ତାଜନକ। ଏଠାରେ ଟିପିଆର୍‌ ଉପରମୁହାଁ ରହୁଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ପରେ ପୁରୀ‌ ଓ ସମ୍ବଲପୁରରେ ଟିପିଆର୍‌ ୪% ଉପରେ ଥିବାରୁ ଏହି ଦୁଇଟି ଜିଲ୍ଲା ଏବେ ୟେଲୋ ଜୋନ୍ ମୁହାଁ ହେଲେଣି। ବୁଧବାର ରାଜ୍ୟରେ ୭୨୩୭୦ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ୧୮୯୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଟେଷ୍ଟିଂ ବଢ଼ିଥି‌େଲ ବି ଟିପିଆର୍‌ ୨.୬୨%କୁ ବଢ଼ିଛି। ଖୋର୍ଦ୍ଧାରେ ୯୩୬୭ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ୬୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍‌ ୭.୧୪% ରହିଛି। ସେହିପରି ସୁନ୍ଦରଗଡ଼ରେ ୪୩୦୬ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ୨୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୬.୦୮% ରହିଛି। ଦୁଇଟି ଯାକ ଜିଲ୍ଲାରେ ଟିପିଆର୍‌ ୫% ଉପରେ ଥିବାରୁ ‌ୟେଲୋ ଜୋନ୍‌ରେ ରଖାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ‌୧୦% ଉପରେ ଟିପିଆର୍‌ ରହିଲେ ଯେଉଁ କଟକଣା ଲାଗିବା କଥା ତାହା ଆମେ ସାରା ରାଜ୍ୟରେ ଲଗାଇ ସାରିଛୁ। କଟକଣା ଅଧିକ କଡ଼ାକଡ଼ି କରୁଛୁ। ବିଶେଷକରି ଯେଉଁ ସ୍ଥାନରେ ଦୈନିକ ସଂକ୍ରମଣ ବଢ଼ୁଛି ସେଠାରେ ଟେଷ୍ଟିଂ ଅଧିକ କରାଯାଉଛି।
ଅପରପକ୍ଷେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ପ୍ରା‌ୟ ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି। ସଂକ୍ରମଣ ଆଗକୁ ଆହୁରି ବଢ଼ିବ। ଅଲଗା ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇନି। ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଟିକାକରଣ, ସର୍ଭେଲାନ୍ସ ଜାରି ରହିଛି। ଏବେ ରାଜ୍ୟରେ ଆଇସିୟୁ ଶଯ୍ୟା‌ ଅଧିକ ଥିବାବେଳେ ସେହି ଅନୁଯାୟୀ ଆକ୍ରାନ୍ତ ନାହାନ୍ତି। ଏହାସତ୍ତ୍ବେ ବି ଆଇସିୟୁ ଶଯ୍ୟା ବଢ଼ାଇବାକୁ ବ୍ୟବସ୍ଥା କରାଯାଉଛି। ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି। ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ ନକଲେ ସଂକ୍ରମଣ ଚେନ୍ ଭାଙ୍ଗିପାରିବ।

ସମ୍ବନ୍ଧିତ ଖବର