ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି: ଏବେ ‘ବନ୍ଦ’ ଉପରେ ଗୁରୁତ୍ୱ

୧୦ରୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ, ୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ବିଶ୍ବବିଦ୍ୟାଳୟ, କଲେଜ, କୋଚିଂ ସେଣ୍ଟର ପାଇଁ ଲାଗୁ
ଅନ୍‌ଲାଇନ୍‌ରେ ପାଠପଢ଼ା, ଅଫ୍‌ଲାଇନ୍‌ ପରୀକ୍ଷା ଜାରି ରହିବ

ଭୁବନେଶ୍ବର : ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ଲାସରୁମ୍‌ ପାଠପଢ଼ା ସହ ହଷ୍ଟେଲଗୁଡ଼ିକ ମଧ୍ୟ ବନ୍ଦ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦୃଷ୍ଟିରୁ ଛାତ୍ରଛାତ୍ରୀ ହଷ୍ଟେଲରେ ନ ରହିବାକୁ ବି ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାତ୍ର ସ୍କଲାର, ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗବେଷଣା/ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାକୁ କର୍ତୃପକ୍ଷ ଅନୁମତି ଦେଇପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। କ୍ଲାସରୁମ୍‌ ଶିକ୍ଷାଦାନ ବନ୍ଦ ରହୁଥିବାରୁ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଭର୍ଚୁଆଲ, ଅନ୍‌ଲାଇନ୍‌, ଭିଡ଼ିଓ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷା ପ୍ରଦାନ କରିବାକୁ ଏସ୍‌ଆରସିଙ୍କ ପକ୍ଷରୁ ଜାରି ନିର୍ଦେଶନାମାରେ ଉଲ୍ଲେଖ ହୋଇଛି।

english.mathrubhumi.com

ଆହୁରି ସ୍ପଷ୍ଟ କରାଯାଇଛି ଯେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନ ମେଡିକାଲ କଲେଜ, ନର୍ସିଂ କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ଜାରି ରହିଥିବା ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ନିର୍ଧାରିତ ସୂଚୀ ଅନୁଯାୟୀ କୋଭିଡ୍‌ କଟକଣା ମଧ୍ୟରେ ଚାଲିବ। ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ବିଶ୍ବବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଓ କଲେଜର ଶିକ୍ଷକ, କର୍ମଚାରୀମାନେ କାର୍ଯ୍ୟ କରିବେ। ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ସେମାନଙ୍କୁ ଅନ୍‌ଲାଇନ୍‌ କ୍ଲାସ, ଏକାଡେମିକ, ସେମି-ଏକାଡେମିକ୍‌, ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ କରିପାରିବେ। ଉଚ୍ଚ ଶିକ୍ଷାନୁଷ୍ଠାନ ସମେତ ୧୦ତାରିଖଠାରୁ ରାଜ୍ୟର ସମସ୍ତ କୋଚିଂ ଶିକ୍ଷାନୁଷ୍ଠାନ, ସଂସ୍ଥା, କୋଚିଂ ସେବା ଦେଉଥିବା ବ୍ୟକ୍ତିବିଶେଷ ଅଫ୍‌ଲାଇନ୍‌ ପାଠପଢ଼ା ବନ୍ଦ କରିବେ। ତେବେ ଭର୍ଚୁଆଲ ତଥା ଅନ୍‌ଲାଇନ୍‌ ପାଠପଢ଼ା ଜାରି ରଖିପାରିବେ। ବିଭାଗୁଡ଼ିକ ମଧ୍ୟ ନିଜସ୍ବ ଗାଇଡ୍‌ଲାଇନ୍‌ ଜାରି କରିପାରିବେ ବୋଲି ଏସ୍‌ଆରସି ଦର୍ଶାଇଛନ୍ତି।

atlasobscura.com

୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ : ଆସନ୍ତା ସୋମବାରଠାରୁ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ। ପୁରୀ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ହୁ ହୁ ହୋଇ ବଢ଼ିବା ଏବଂ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଭିତରେ ସଂକ୍ରମଣ ବ୍ୟାପିବା ପରେ ଶ୍ରୀମନ୍ଦିର ଛତିଶାନିଯୋଗ ନିଯୋଗ ଆଜି ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି ‌ସ୍ବାଭାବିକ ଚାଲିବା ଉପରେ ବି ଗୁରୁତ୍ବାରୋପ କରାଯାଇଛି। ନୀତିକାନ୍ତି ସୁରୁଖୁରରେ ସଂପାଦନ ପାଇଁ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ସଂକ୍ରମଣ ରୋକିବା ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେବାୟତମାନେ ମତ ଦେଇଛନ୍ତି। ଅନ୍ୟପଟେ ଆଜିଠାରୁ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ଭକ୍ତଙ୍କ ଦର୍ଶନକୁ ସାଢ଼େ ୮ଟା ଭିତରେ ବନ୍ଦ କରାଯାଇଛି। ଚଳିତ ମାସରେ ଦର୍ଶନର ଶେଷଦିନ ଭାବେ ଶନିବାର ବି ଭକ୍ତମାନେ ସାଢ଼େ ୮ଟା ଭିତରେ ଦର୍ଶନ କରିପାରିବେ। ପୂର୍ବରୁ ଦର୍ଶନ ସମୟ ସାଢ଼େ ୯ଟା ରହିଥିଲା।

ଶୁକ୍ରବାର ସଂଧ୍ୟାରେ ଭର୍ଚୁଆଲ୍‌ ମୋଡ୍‌ରେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ଅନନ୍ତ ତିଆଡ଼ି, ମାଧବ ଚନ୍ଦ୍ର ପୂଜାପଣ୍ଡାଙ୍କ ସମେତ ବିଭିନ୍ନ ନି‌ଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ। ଆରମ୍ଭରୁ କୋଭିଡ୍‌ ସଂକ୍ରମଣକୁ ନେଇ ବିଭିନ୍ନ ନିଯୋଗ ଉଦ୍‌ବେଗ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସଂକ୍ରମଣ ବଢ଼ିଥିବାରୁ ଦୁଃଖପ୍ରକାଶ କରିବା ସହ ସଂକ୍ରମଣ ରୋକିବାକୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ପାଇଁ ପ୍ରସ୍ତାବ ଦେଇଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ନିର୍ବିଘ୍ନ ସଂପାଦନ ପାଇଁ ଦର୍ଶନ ବନ୍ଦ ଆବଶ୍ୟକ ବୋଲି ମତ ଦେଇଥିଲେ।

ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଶ୍ରୀ ବର୍ମା କହିଛନ୍ତି ଯେ ସାମୁହିକ ସ୍ବାର୍ଥ, ଶ୍ରୀମନ୍ଦିର ପରିଚାଳନା କମିଟି, ବିଭିନ୍ନ ନିଯୋଗର ସର୍ବସମ୍ମତିକ୍ରମେ ଜାନୁଆରି ୧୦ ତାରିଖଠାରୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟ ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି ସ୍ବାଭାବିକ ରହିବ। ନୀତି ସଂପୃକ୍ତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀମାନେ ଶ୍ରୀମନ୍ଦିରକୁ ଯାଇପାରିବେ। କିନ୍ତୁ ଭକ୍ତଙ୍କ ପ୍ରବେଶରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି ଯେ ପରିଚାଳନା କମିଟି ସଦସ୍ୟ, ସମସ୍ତ ନିଯୋଗ, ବରିଷ୍ଠ ସେବାୟତ‌ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍କାଳ ଶ୍ରୀମନ୍ଦିର ବନ୍ଦର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକ୍ରମେ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଜାନୁଆରି ୩୧ ପୂର୍ବରୁ ପୁନର୍ବାର ବୈଠକ ବସି ଫେବ୍ରୁଆରି ଦର୍ଶନ ବ୍ୟବସ୍ଥା ଉପରେ ନିଷ୍ପତ୍ତି ନିଆଯିବ। ସେ ସମୟରେ ଯଦି ସଂକ୍ରମଣ କମିଥିବ, ତେବେ ଭକ୍ତମାନେ ସ୍ବାଭାବିକ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅନ୍ୟପଟେ ଆଜି ସେବାୟତ କଲ୍ୟାଣକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଟିକାକରଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର