ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା

କୋଭିଡ୍‌ ସଂକ୍ରମଣ ୬ ଦିନରେ ୬ ଗୁଣା, ରେଡ୍‌ ଜୋନ୍‌ରେ ‌ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୧୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛିଦିନ ତଳେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ନମୁନାର ଜିନମ୍ ସିକ୍ବେନ୍ସିଂ ପରେ ଏହି ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫ଜଣ ଏବେ ସୁଦ୍ଧା ସୁସ୍ଥ ହୋଇସାରିଲେଣି ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍ସ ସୂତ୍ରରୁ ଜାଣିବାକୁ ମିଳିଛି।
ଏହି ୧୪ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହୋଇଛି। ପ୍ରଥମ ଆକ୍ରାନ୍ତ ଡିସେମ୍ବର ୨୧ରେ ଚିହ୍ନଟ ହୋଇଥିବାବେଳେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିଲେ ହେଁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁଯାୟୀ ବଢ଼ୁନଥିବା ଜିନମ୍ ସିକ୍ବେନ୍ସିଂରୁ ଜଣାପଡ଼ୁଛି।

ସୂଚନ‌ାଯୋଗ୍ୟ ଯେ ଡିସେମ୍ବର ୨୧ରେ ୨ଜଣ, ୨୩ରେ ୨, ୨୬ରେ ୪, ୨୯ରେ ଜଣେ, ୩୦ରେ ୫, ଜାନୁଆରି ୨ରେ ୨୩, ଜାନୁଆରି ୫ରେ ୨୪ ଏବଂ ଜାନୁଆରି ୮ରେ ୧୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି କରୋନା ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ୬ଦିନରେ ପ୍ରାୟ ୬ଗୁଣା ଆକ୍ରାନ୍ତ ଚିହ୍ନଟ ହେଲେଣି। ଜାନୁଆରି ୪ରେ ୬୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୬୭୯ରେ ପହଞ୍ଚିଛି। ରାଜ୍ୟରେ ହଠାତ୍ କରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଟେଷ୍ଟ ପଜିଟିଭିଟି ରେଟ୍ (ଟିପିଆର୍) ଦୃଷ୍ଟିରୁ ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ରେଡ୍‌ ଜୋନ୍‌ରେ ସାମିଲ୍‌ ହୋଇଛି। କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ଦୃଷ୍ଟିରୁ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନ୍‌ରେ ଥିବାବେଳେ ସୁନ୍ଦରଗଡ଼ ୟେଲୋ ଜୋନ୍‌ରେ ଅଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ୭୧୪୩୨ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୩୬୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୮୪ଜଣ ହେଉଛନ୍ତି ୧୮ବର୍ଷରୁ କମ୍‌ ବୟସର। ଚିହ୍ନଟ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବାବେଳେ ୧୫୩୧ ଜଣ ସ୍ଥାନୀୟ ସଂକ୍ରମିତ।

Scroll.in

ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାରେ ଶୁକ୍ରବାର ୧୦୨୫୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୧୨୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାର ଟିପିଆର୍ ୧୧.୯୩% ଛୁଇଁବା ସହ ୪୦୫୨ଜଣ ସକ୍ରିୟ ଆକ୍ରାନ୍ତ ଥିବାରୁ ଖୋର୍ଦ୍ଧା ରେଡ୍‌ ଜୋନ୍‌ରେ ସାମିଲ୍ ହୋଇଛି। ସେହିପରି ସମ୍ବଲପୁରରେ ୩୪୧୨ଟି ନମୁନା ସଂଗ୍ରହ ହୋଇଥିବାବେଳେ ୩୭୨ଜଣ ଆକ୍ରାନ୍ତ (ଟିପିଆର୍‌ ୧୦.୯%) ଏବଂ ସୁନ୍ଦରଗଡ଼ରେ ୫୪୬୮ଟି ନମୁନା ସଂଗ୍ରହ ହୋଇଥିବାବେଳେ ୫୮୨ଜଣ ଆକ୍ରାନ୍ତ (ଟିପିଆର୍‌ ୧୦.୬%) ଚିହ୍ନଟ ହୋଇଛନ୍ତି।

ଶନିବାର କଟକରୁ ୩୧୦ ଜଣ, ଝାରସୁଗୁଡ଼ାରୁ ୧୩୪ଜଣ, ପୁରୀରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍‌ ପୁଲ୍‌ରେ ୨୮୯ଜଣ ଅଛନ୍ତି। ସବୁଠୁ କମ୍‌ ଆକ୍ରାନ୍ତ ୨ଜଣ ବୌଦ୍ଧରୁ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳରେ ୫ ଓ ‌କନ୍ଧମାଳରେ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାକି ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଛୁଇଁଯାଇଛି।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଅଧିକ ଗୁରୁତର ଚିହ୍ନଟ ହେଉନାହାନ୍ତି। ତେଣୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଜାନୁଆରି ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷରେ ପହଞ୍ଚିପାରେ। କମ୍‌ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଥିବାରୁ ଭୟଭୀତ ହେବା ଦରକାର ନାହିଁ ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର