ରାଜ୍ୟରେ ଦ୍ରୁତଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସମ୍ବଲପୁର, ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ

ଆଉ ୨୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ପ୍ରତି ୧୦୦ ନମୁନାରେ ୨୦ ଆକ୍ରାନ୍ତ

ରେଡ୍‌ ଜୋନ୍‌ରେ ସୁନ୍ଦରଗଡ଼
ରେଡ୍‌ ଜୋନ୍‌ରେ ୨, ୟେଲୋ ଜୋନ୍‌ରେ ୬ଜିଲ୍ଲା
ଆଗକୁ ସଂକ୍ରମଣ ଆହୁରି ବଢ଼ିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରେ ସଂକ୍ରମଣ ସାଂଘାତିକ ରୂପ ନେଲାଣି। ସୋମବାର ସାରା ରାଜ୍ୟରୁ ୪୮୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୬୯ଜଣ ଏବଂ ସମ୍ବଲପୁରରୁ ୬୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୨୦% ଉପରେ ଅର୍ଥାତ୍ ପ୍ରତି ୧୦୦ ନମୁନାରେ ୨୦ଜଣ ଆକ୍ରା‌ନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣ ଏବେବି ବଢ଼ୁଥିବାରୁ ଖୁବ୍ ଶୀଘ୍ର ଏହି ଦୁଇ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଖୋର୍ଦ୍ଧା ପରେ ଏବେ ସୁନ୍ଦରଗଡ଼ ରେଡ୍‌ ଜୋନ୍‌ରେ ସାମିଲ୍‌ ହୋଇଛି। ଆଜି ଖୋର୍ଦ୍ଧାରେ ସର୍ବାଧିକ ୯୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ସମ୍ବଲପୁର ଓ ସୁନ୍ଦରଗଡ଼ର ଟିପିଆର୍‌ ଚିନ୍ତା ବଢ଼ାଇଦେଇଛି। ଖୋର୍ଦ୍ଧାରେ ରବିବାର ୮୯୯୫ ନମୁନା ସଂଗ୍ରହ ହୋଇଥିବାବେଳେ ୯୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍‌ ୧୦.୩୭% ରହିଛି। ହେଲେ ସୁନ୍ଦରଗଡ଼ରେ ମାତ୍ର ୪୧୯୮ଟି ନମୁନା ସଂଗ୍ରହ ହୋଇଥିବାବେଳେ ୮୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍ ୨୦.୭% ରହିଛି। ସେହିପରି ସମ୍ବଲପୁରରେ ୩୧୮୧ଟି ନମୁନା ସଂଗ୍ରହ ହୋଇଥିବାବେଳେ ୬୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଟିପିଆର୍‌ ୨୦.୨୫% ରହିଛି।

ଖୋର୍ଦ୍ଧା, କଟକ ତୁଳନାରେ ଏହି ଦୁଇଟି ଜିଲ୍ଲାରେ କମ୍‌ ଲୋକସଂଖ୍ୟା ଥିବାବେଳେ କମ୍‌ ନମୁନା ସଂଗ୍ରହ ହୋଇଥିଲା। ହେଲେ ଆକ୍ରାନ୍ତଙ୍କ ହାର ଅଧିକ ଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ସୃଷ୍ଟି ହୋଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ଏହି ଦୁଇଟି ଜିଲ୍ଲାରେ ପ୍ରବାସୀଙ୍କ ସଂଖ୍ୟା ଅଧିକ। ତେଣୁ ସଂକ୍ରମଣ ବ୍ୟାପୁଛି। ଆହୁରି ବଢ଼ିବ। ସାରା ରାଜ୍ୟରେ ଏବେ ସଂକ୍ରମଣ ଉପରମୁହାଁ ଅଛି। ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ସଂକ୍ରମଣ ମାସେ ହେଲା ବଢ଼ୁଛି। ସେଠାରେ କିଛି କିଛି ସ୍ଥାନରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆମର ଏଠି ସପ୍ତାହେ ହେଲା ବଢ଼ୁଛି। ତେଣୁ ଆଗକୁ ଆହୁରି ବଢ଼ିବ। ପ୍ଲାଟୋ ସ୍ଥି‌ତିକୁ ଆସିବା ପରେ ହିଁ ସଂକ୍ରମଣ କମିବ। ଆମର ବି କିଛି କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକ ରହିବ।

ସାରା ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ହେବା ଭୟ ଘାରିଛି। ଯେଉଁଥିପାଇଁ ଏବେ ପ୍ରବାସୀ ଓଡ଼ିଆମାନେ ଏବେ ଓଡ଼ିଶା ମୁହାଁ ହେଲେଣି। ସମ୍ବଲପୁର ଓ ସୁନ୍ଦରଗଡ଼ରେ ଏଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାର ସ୍ବାସ୍ଥ୍ୟ ବିଭାଗ କହୁଥିଲେ ହେଁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ଏବେ କରୋନାର ପ୍ରଥମ ଲହରରେ ହଠାତ୍ ଯେପରି ସ୍ଥିତି ଅଣାୟତ୍ତ ହୋଇଥିଲା ସେଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି।

Newsweek

ଅପରପକ୍ଷେ ରାଜ୍ୟରେ ସୋମବାର ୨୮ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସାରା ରାଜ୍ୟରେ ୭୪୩୦୪ଟି ନମୁନା ସଂଗ୍ରହ ହୋଇଥିବାବେଳେ ଏଥିରୁ ୪୮୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିପିଆର୍ ବଢ଼ିକି ୬.୫%ରେ ପହଞ୍ଚିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍‌ ଜୋନ୍‌ରେ ଥିବାବେଳେ କଟକ, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ରାୟଗଡ଼ା ଓ ନବରଙ୍ଗପୁର ୟେଲୋ ଜୋନ୍‌ରେ ରହିଛି।

ସୋମବାର ବାଲେଶ୍ବରରୁ ୨୧୦, ବଲାଙ୍ଗୀରରୁ ୧୦୪, କଟକରୁ ୪୦୧, ଝାରସୁଗଡ଼ାରୁ ୧୮୯, ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦, ଷ୍ଟେଟ୍‌ ପୁଲ୍‌ରେ ୨୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୩୮୬ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୫ହଜାର ୬୯୮ରେ ପହଞ୍ଚିଥିବାବେଳେ ୨୦୫୬୦ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର