ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଦୈନିକ ସଂକ୍ରମଣରେ ୧୭ ପ୍ରତିଶତ ବୃଦ୍ଧି

୩୬୨୯ ପଜିଟିଭ୍, ୧୮ ମୃତ, ଓମିସିଓର କିଟ୍‌ରେ ୫୭୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ଦୁଇଦିନ ହେବ ସଂକ୍ରମଣ ବଢ଼ୁଛି। ଗତ ୩୧ତାରିଖ ତୁଳନାରେ ଦୈନିକ ସଂକ୍ରମଣରେ ୧୭ ପ୍ରତିଶତ ବୃଦ୍ଧି ପାଇଛି। ସଂକ୍ରମଣ ଉପର-ତଳ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ଆଉ ୩୬୨୯ କରୋନା ଆକ୍ରାନ୍ତ ବାହାରିଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୭୧୬, ସୁନ୍ଦରଗଡ଼ ୩୪୬, କଟକ ୩୨୯, ବାଲେଶ୍ବର ୧୧୧, ଯାଜପୁର ୧୩୭, ନୟାଗଡ଼ ୧୧୮, ରାୟଗଡ଼ା, ସମ୍ବଲପୁର ୧୦୧ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୫୯ହଜାର ୪୦୫ରେ ପହଞ୍ଚିଛି। କରୋନାରେ ଆଉ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଘୋଷଣା କରାଯାଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୮୬୬୬କୁ ବୃଦ୍ଧି ପାଇଛି। ଆଉ ୭୪୮୭ କୋଭିଡ୍‌ ରୋଗୀ ଆଜି ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭,୮୧୯କୁ ଖସି ଆସିଛି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୨୨ହଜାର ୮୬୭କୁ ବୃଦ୍ଧି ପାଇଛି। ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ଖୋର୍ଧା ରେଡ୍‌ ଜୋନ୍‌ରେ ରହିଛି। ଓମିକ୍ରନ୍ ପ୍ରଜାତି ଚିହ୍ନଟ ଲାଗି ରାଜ୍ୟ ସରକାର ପ୍ରଥମ ରାଜ୍ୟ ଭାବେ ଟାଟା ଦ୍ବାରା ପ୍ରସ୍ତୁତ ଓମିସିଓର କିଟ୍‌ ଆଣିଥିଲେ। ରାଜ୍ୟର ୫ଟି ସହରରେ ଏହି କିଟ୍‌ରେ ପରୀକ୍ଷା କରାଯାଉଛି। ବର୍ତମାନ ସୁଦ୍ଧା ୩୧,୬୬ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ତହିଁରେ ୧୭୨୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୩୩ ପ୍ରତିଶତ ହାରରେ ୫୭୬ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର କେତୋଟି ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ରାଜ୍ୟରେ ପୂର୍ବରୁ ଜିନୋମ ସିକ୍ବେନ୍ସିଂରେ ବିଭିନ୍ନ ଜିଲ୍ଲାରୁ ୩୪୯ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଓମିସିଓର କିଟ୍‌ରେ ୫୭୬ ଜଣ ଚିହ୍ନଟ ହୋଇଛନ୍ତି। ଏବେ ବି ସବୁ ଜିଲ୍ଲାରୁ ତଥ୍ୟ ଆସିନାହିଁ। ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କେତେ ପ୍ରତିଶତ ତାହା ଜିନୋମ ସିକ୍ବେନ୍ସିଂ ଓ ଓମିସିଓର କିଟ୍‌ର ତଥ୍ୟକୁ ମିଳିତ ଭାବେ ଅନୁଧ୍ୟାନ କରିବା ପରେ ସ୍ପଷ୍ଟ ହୋଇପାରିବ। ରାଜ୍ୟରେ ସଂକ୍ରମଣ ଉପର-ତଳ ହେଉଛି। ମାତ୍ର ଯେଉଁ ଧାରା ଦେଖାଯାଉଛି ଏଥିରେ ସଂକ୍ରମଣ କମୁଛି। ଡେଲ୍‌ଟା ପ୍ରଜାତି ରାଜ୍ୟରେ ଏବେ ବି ଆଧିପତ୍ୟ ବିସ୍ତାର କରିଛି। ସେହି କାରଣରୁ ମୃତ୍ୟୁ ହେଉଛି ବୋଲି ଡା. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର