ଗୋଟିଏ ଦିନରେ କୋଭିଡ ସଂକ୍ରମଣ ୮୬% ବୃଦ୍ଧି

୮ ଜିଲ୍ଲାରୁ ଚିହ୍ନଟ ହେଲେ ୪୧ ଆକ୍ରାନ୍ତ, ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସଂକ୍ରମଣରେ ହଠାତ୍ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୧ଜଣଙ୍କୁ ଚି‌ହ୍ନଟ କରାଯାଇଛି। ଯାହାକି ୧୪ତାରିଖ ତୁଳନାରେ ୮୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ଏକାଧିକ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବା ବେଳେ ଓଡ଼ିଶାରେ ସଂକ୍ରମଣରେ ବୃଦ୍ଧି ଚତୁର୍ଥ ଲହର ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରିଛି।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୨୨ଜଣ ଆକ୍ରାନ୍ତ ବାହାରିଛନ୍ତି। ଏଥିରେ ୧୮ଜଣ ହେଉଛନ୍ତି କେବଳ ଭୁବନେଶ୍ବରରୁ ରହିଛନ୍ତି। ଏହ‌ାବାଦ୍ କଟକ ୫, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ ଲେଖାଏ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏ ଏବଂ ‌ଷ୍ଟେଟ୍‌ ପୁଲରୁ ୬ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ କୌଣସି କୋଭିଡ ମୃତ୍ୟୁ ସଂପର୍କରେ ସରକାରୀ ଘୋଷଣା ହୋଇନାହିଁ। ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୭୩୭କୁ ବୃଦ୍ଧି ପାଇଛି।

ThePrint

ରାଜ୍ୟରେ କୋଭିଡ ସଂକ୍ରମଣ‌ ବୃଦ୍ଧିକୁ ନେଇ ମତ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର। ଡାକ୍ତର ମହାପାତ୍ର କହିଛନ୍ତି ଯେ ଗତ ୭ଦିନ ଭିତରେ ରାଜ୍ୟରେ ସଂକ୍ରମଣ ଦୁଇ ଅଙ୍କରେ ରହିଛି। ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାକୁ ନଜରରେ ରଖି ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି। ବିଭାଗ ପକ୍ଷରୁ ଯେଉଁଭଳି ସର୍ଭେଲାନ୍‌ସ ହେବା କଥା ତାହା ଜାରି ରହିଛି। ଜିଲ୍ଲାମାନଙ୍କୁ ଟେଷ୍ଟିଂ ବଢ଼ାଇବାକୁ କୁହାଯାଇଛି। ମାସ୍କ ପିନ୍ଧିବା ସହିତ ଯେଉଁମାନଙ୍କର ‌କରୋନାର ଲକ୍ଷଣ ଦେଖା ଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ। ଭିଡ଼କୁ ଯାଆନ୍ତୁ ନାହିଁ କି ଅଯଥାରେ ଭିଡ଼ କରନ୍ତୁ ନାହିଁ। ଯଦିଓ ରାଜ୍ୟରେ ସଂକ୍ରମଣ ସାମାନ୍ୟ ବଢ଼ିଛି ତେବେ ଏହାକୁ ଅଣଦେଖା କରାଯାଇ ପାରିବନି।

ବିଭାଗ ପକ୍ଷରୁ ଏହା ଭିତରେ ୨/୩ଥର ସମୀକ୍ଷା କରାଯାଇଛି। ସଂକ୍ରମଣ ଉପରେ ନଜର ରଖିବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କୋଭିଡ ସମେତ ଅନ୍ୟ ରୋଗଙ୍କୁ ଚିହ୍ନଟ କରିବା ଲାଗି ଆସନ୍ତା ୨୧ତାରିଖରୁ ସର୍ଭେଲାନ୍‌ସ ଆରମ୍ଭ ହେବ। ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର