ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ବଢ଼ି ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨ଶହ ପାର୍ କରିଛି। ଗତ ୪ ଦିନରେ ରାଜ୍ୟରେ ୬ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଖୋର୍ଧା, କଟକ ଜିଲ୍ଲା ପରେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସଂକ୍ରମଣ ମୁଣ୍ଡ ଟେକିଲାଣି। ସଂକ୍ରମଣ ବୃଦ୍ଧିକୁ ଦେଖି ଭୁବନେଶ୍ବର, ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଖୁବଶୀଘ୍ର ରାଜ୍ୟବ୍ୟାପୀ ମାସ୍କ ବାଧ୍ୟତାମୂଳକ ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ବଢ଼ିଲାଣି। ଯଦିଓ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, ହେଲେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ହେଲେ ମାସ୍କ ଓ ସାମାଜିକ ଦୂରତା ଅତ୍ୟନ୍ତ ଆବଶ୍ୟକ। ଏ ଦୃଷ୍ଟିରୁ ରାଜ୍ୟବ୍ୟାପୀ ମାସ୍କ କଟକଣା ଜାରି କରିବା ଲାଗି ସରକାର ବିଚାର କରୁଛନ୍ତି। ଏହାସହ ପିଲାଙ୍କ ଟିକାକରଣକୁ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।
ଗତ ୨୪ଘଣ୍ଟାରେ ରାଜ୍ୟରେ ୨୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୧ ପ୍ରତିଶତରୁ ଅଧିକ ରହିଛି। ଖୋର୍ଧାରୁ ସର୍ବାଧିକ ୮୬, କଟକ ୩୮, ସୁନ୍ଦରଗଡ଼ ୧୮, ବାଲେଶ୍ବର ୮, ପୁରୀ, ମୟୂରଭଞ୍ଜରୁ ୫ ଲେଖାଏଁ, ଭଦ୍ରକ, ସମ୍ବଲପୁରରୁ ୩ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ୨ ଲେଖାଏଁ, କନ୍ଧମାଳ, ଯାଜପୁର, କେନ୍ଦୁଝର, ନୟାଗଡ଼, ଢେଙ୍କାନାଳରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨୨ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯,୯୬୧ରେ ପହଞ୍ଚିଛି। ଆଜି ରାଜ୍ୟରୁ ୬୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୦୪କୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Covid-kerala-3.jpg)