ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ: ୨୪ଘଣ୍ଟାରେ ୨୪୫ ଆକ୍ରାନ୍ତ, ବଢ଼ୁଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ରହିଛି। ଖୋର୍ଧା, କଟକ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ଏହାକୁ ନଜରରେ ରଖି ଭୁବନେଶ୍ବର, କଟକରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ତେବେ ଆକ୍ରାନ୍ତ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ଥିବାରୁ ଏଥିପାଇଁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫିଭର କ୍ଲିନିକ୍ ସହିତ ଟ୍ରାଏଜ୍ ବ୍ୟବସ୍ଥା କରିବା ଲାଗି ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ବିଭାଗ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ଅକ୍ସିଜେନ୍ ବ୍ୟବସ୍ଥା ସହିତ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖ। ଆଇସିୟୁ/ଏଚ୍‌ଡିୟୁ ପ୍ରସ୍ତୁତ ରଖିବା ସହିତ ଉପଯୁକ୍ତ ଔଷଧ, ଟେଷ୍ଟ କିଟ୍‌, ପିପିଇ କିଟ୍‌, ଅକ୍ସିଜେନ୍ ସିଲିଣ୍ଡିର, ଅକ୍ସିଜେନ୍ କନସେନଟ୍ରେଟର ପ୍ରସ୍ତୁତ ରଖାଯାଉ। ଯଦି କୌଣସି ସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୁଏ ଏଥିପାଇଁ କଣ୍ଟିଜେନ୍ସି ପ୍ଲାନ୍ କରିବା ସହିତ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ କୋଭିଡ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉ। ମେଡିସିନ୍/ଛାତିରୋଗ ବିଶେଷଜ୍ଞଙ୍କୁ ନୋଡାଲ ଅଧିକାରୀଭାବେ ଘୋଷଣା କରିବା ସହିତ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ଯେପରି ବାଧାପ୍ରାପ୍ତ ନ ହୁଏ ତାହାକୁ ନଜର ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୪୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୩୫, କଟକ ୩୮, ସୁନ୍ଦରଗଡ଼ ୯, ମୟୂରଭଞ୍ଜ ୭, ଯାଜପୁର, ଝାରସୁଗୁଡ଼ାରୁ ୪, ସମ୍ବଲପୁର, ବାଲେଶ୍ବରରୁ ୩ ଲେଖାଏ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକରୁ ୨ ଲେଖାଏ, ବଲାଙ୍ଗୀର, ଜଗସିଂହପୁର, ‌କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, ସୋନପୁରରୁ ଜଣେ ଲେଖାଏ ବାହାରିଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୭୮୩କୁ ବୃଦ୍ଧି ପାଇଛି। ସୋମବାର ଦିନ ୧୨୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୧୩୬୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର