ରାଜ୍ୟ‌ର ୪ ଜିଲ୍ଲାରେ ଶହେ ଉପରେ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟ‌ରେ କରୋନା ସଂକ୍ରମଣ ଲଗାତାର ତୃତୀୟ ଦିନ ଲାଗି ୧୧ଶହ ଉପରେ ସ୍ଥିର ରହିଛି। କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ୧୫ଦିନ ପୂର୍ବରୁ କେବଳ ଖୋର୍ଧା, କଟକ ଜିଲ୍ଲାରେ ଦୈନିକ ଶହେ ଉପରେ ସଂକ୍ରମଣ ରହୁଥିଲା। ଏବେ ସୁନ୍ଦରଗଡ଼ ଓ ସମ୍ବଲପୁର ଏହି ତାଲିକାରେ ସାମିଲ ହୋଇଛନ୍ତି। ଯେହେତୁ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣ ବଢ଼ୁଛି, ତେଣୁ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଆରମ୍ଭ କଲାଣି।

ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ନମୁନା ପରୀକ୍ଷାକୁ ବଢ଼ାଇ ଦେଇଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨,୮୭୩ ନମୁନା ପରୀକ୍ଷା ହୋଇଛି, ସଂକ୍ରମଣ ହାର ବା ଟିପିଆର ରହିଛି ୫.୧୫ ପ୍ରତିଶତ। ୯ଟି ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟଠାରୁ ଅଧିକ ରହିଛି। କିନ୍ତୁ ସୋନପୁର, ସୁନ୍ଦରଗଡ଼, ‌ସମ୍ବଲପୁର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ୧୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଦେଖିବାକୁ ମିଳିଛି। ବିଶେଷକରି ସୋନପୁରରେ ଏହା ୩୧ ପ୍ରତିଶତ ରହିଛି। ଜିଲ୍ଲାରେ ବହୁତ କମ୍ ନମୁନା ପରୀକ୍ଷା ହେଉଥିବାରୁ ସଂକ୍ରମଣ ହାର ଉଚ୍ଚ ରହୁଥିବା କୁହାଯାଉଛି।

କରୋନାର ଚଳିତ ଚତୁର୍ଥ ଲହରରେ ବୟସ୍କଙ୍କ ସମେତ ବହୁ ସଂଖ୍ୟାରେ ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବା ନଜରକୁ ଆସିଛି। ଗତ ୮ଦିନରେ ୯୫୪ଜଣ ପିଲା ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ମାତ୍ର ପିଲାଙ୍କ କ୍ଷେତ୍ରରେ ହସ୍ପିଟାଲରେ ଆଡମିସନ୍ ହାର କମ୍ ଦେଖିବାକୁ ମିଳୁଛି। ଯାହାକି ରାଜ୍ୟ ପାଇଁ ଆଶ୍ବସ୍ତି ଆଣି ଦେଇଛି। ଚଳିତ ଲହରରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ମାତ୍ର ୧ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହେଉଛନ୍ତି। କୋଭିଡ ଟିକାକରଣ ଯୋଗୁଁ କରୋନାରେ ସଂକ୍ରମିତ ହେଲେ ମଧ୍ୟ ଲୋକଙ୍କଠାରେ କମ୍ ଲକ୍ଷଣ ରହୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୬ଜଣ ପିଲା ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୫୨, ସୁନ୍ଦରଗଡ଼ ୧୯୪, ସମ୍ବଲପୁର ୧୧୧, କଟକ ୧୦୪, ମୟୂରଭଞ୍ଜ ୯୭, ବରଗଡ଼ ୩୧, ନୟାଗଡ଼ ୩୦, କଳାହାଣ୍ଡି ୩୨ ଓ ଷ୍ଟେଟ୍‌ ପୁଲରୁ ୫୭ଜଣ ଆକ୍ରାନ୍ତ ବାହାରିଛନ୍ତି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୦୪,୩୬୯କୁ ବୃଦ୍ଧି ପାଇଛି। ସରକାରଙ୍କ ପକ୍ଷରୁ କୌଣସି ନୂଆ କରୋନା ମୃତ୍ୟୁ ଘୋଷଣା କରାଯାଇ ନାହିଁ। ରାଜ୍ୟରେ ଆଜି ୧୦୨୯ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୨୧୬କୁ ଖସି ଆସିଛି।

ସମ୍ବନ୍ଧିତ ଖବର