ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା : ଗତ ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ୧୩୦ ପଜିଟିଭ୍ ଚିହ୍ନଟ, ଜଣେ ମୃତ

ସୁସ୍ଥ ହେଲେ ଆ‌ଉ ୧୨୩, ଆରୋଗ୍ୟ ହାର ୬୧%

ଭୁବନେଶ୍ବର : ରାଜ୍ୟରେ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି। ୨୧ଟି ଜିଲ୍ଲାରୁ ଏହି ସମସ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଇ ୨୬୦୮ରେ ପହଞ୍ଚିଛି। ଅପରପକ୍ଷରେ ଆଜି ବିଭିନ୍ନ ଜିଲ୍ଲାରୁ ୧୨୩ ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

The Scientist Magazine

କଟକ ଜିଲ୍ଲାରେ ସର୍ବାଧିକ ୨୩ଜଣ ଚିହ୍ନଟ ହୋଇଛନ୍ତି। ତହିଁରୁ ଗତକାଲି ୧୩ ଜଣଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ସୂଚନା ଦେଇଥିଲା। ଏହା ବାଦ୍ ଖୋର୍ଧା ଓ ମୟୂରଭଞ୍ଜରେ ୨୨ଜଣ ଲେଖାଏଁ, ଗଞ୍ଜାମ ୧୨, ସୁନ୍ଦରଗଡ଼ ୭, କୋରାପୁଟ ୬, ଭଦ୍ରକ ଓ ବରଗଡ଼ରେ ୪, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ଡିରେ ୩ଜଣ ଲେଖାଏଁ, ପୁରୀ, ଜଗତସିଂହପୁର, ଅନୁଗୁଳ, ସୋନପୁର ଓ ରାୟଗଡ଼ାରୁ ୪ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ୧୩୦ ପଜିଟିଭ୍ ମଧ୍ୟରୁ ୧୨୪ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସବୁତକ ସ୍ଥାନୀୟ ସଂକ୍ରମିତ ଭୁବନେଶ୍ୱରର ବୋଲି ଜଣାଯାଇଛି।

ତେବେ ଭୁବନେଶ୍ବର ୟୁନିଟ ୭ ଅଞ୍ଚଳର ଜଣେ ୬୩ ବର୍ଷର ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ମଧୁମେହ ଓ ଅନ୍ୟ ଜଟିଳ ରୋଗ ରହିଥିଲା। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହାକୁ ମିଶାଇ ଖୋର୍ଧା ଜିଲ୍ଲାରେ ୪ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ‌ରେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି। ୨ କରୋନା ପଜିଟିଭ୍ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ୮ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୩, ଯାଜପୁର ୨୯୩, ଖୋର୍ଧା ୨୧୭, ବାଲେଶ୍ବର ୧୭୯, କେନ୍ଦ୍ରାପଡ଼ା ୧୬୩, କଟକ ୧୫୪, ଭଦ୍ରକ ୧୩୬ ଓ ବଲାଙ୍ଗୀରରେ ୧୦୫ଜଣ ଆକ୍ରାନ୍ତ ରହିଛନ୍ତି। ଏହାବାଦ୍ ପୁରୀ ୯୯, ଜଗତସିଂହପୁର ୮୭, ସୁନ୍ଦରଗଡ଼ ୮୧ ସହିତ ଶହେର ନିକଟତର ହୋଇଛନ୍ତି।

ଅରପପକ୍ଷେ ଆଜି ୧୨୩ଜଣ ରୋଗୀ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗଞ୍ଜାମ ୩୫, କଟକ ୨୨, ନୂଆପଡ଼ା ଓ ବଲାଙ୍ଗୀର ୧୪, ଖୋର୍ଧା ୧୦, କନ୍ଧମାଳ ୭, ‌କୋରାପୁଟ ୫, କେନ୍ଦ୍ରାପଡ଼ା ୪, ବାଲେଶ୍ବର, ଢେଙ୍କାନାଳ ଓ ନୟାଗଡ଼ରୁ ୩ଜଣ ଲେଖାଏଁ, ଅନୁଗୁଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୬୦୪କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀ ସୁସ୍ଥ ହାର ୬୧.୫ ପ୍ରତିଶତ ରହିଛି। ୯୯୪ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର