ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ : ଆଫ୍ରିକା ଫେରନ୍ତାଙ୍କୁ କରୋନା

୧୨ ରାଜ୍ୟ ଫେରନ୍ତାଙ୍କୁ ନେଇ ବି ଚିନ୍ତା, ବିମାନ ବନ୍ଦର, ରେଳ ଷ୍ଟେସନରେ ନିରୀକ୍ଷଣ

ଭୁବନେଶ୍ବର : ବିପଜ୍ଜନକ କୋଭିଡ୍ ଷ୍ଟ୍ରେନ୍‌କୁ ନେଇ ଦକ୍ଷିଣ ଆଫ୍ରିକା ଚର୍ଚ୍ଚାରେ ରହିଛି। ଠିକ୍ ଏମିତି ସମୟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ କରୋନା ସଂକ୍ରମିତ ଓଡ଼ିଶାରେ ଚିହ୍ନଟ ହୋଇଥିବା ନେଇ ଚାଞ୍ଚଲ୍ୟକର ଖବର ମିଳିଛି। ସଂପୃକ୍ତ ବ୍ୟକ୍ତି ଜଣକ ଗଞ୍ଜାମକୁ ଫେରିଥିବା ବେଳେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତାଙ୍କର ଜିନ୍ ଅନୁଶୀଳନ କରାଯିବା ପରେ ତାଙ୍କଠାରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ‌ଷ୍ଟ୍ରେନ୍ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇପାରିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ନେଇ ବେଶ୍ ସତର୍କତା ଓ ସଚେତନତା ଅବଲମ୍ବନ କରାଯାଉଛି। ତେବେ ବିଭାଗୀୟ ଅଧିକାରୀମାନେ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରେନାର ନୂତନ ଷ୍ଟ୍ରେନ୍ ବିଶ୍ବବ୍ୟାପୀ ଚିନ୍ତା ସୃଷ୍ଟି କରିଥିବା ବେଳେ ସେଠାରୁ ଓଡ଼ିଶାକୁ ଫେରିଥିବା ଜଣେ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ରାଜ୍ୟରେ ଚିନ୍ତା ବଢ଼ାଇ ଦେଇଛି।

ଅନ୍ୟପକ୍ଷରେ ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ଆଡ଼କୁ ଯାଉଥିବା ପରିପ୍ରେକ୍ଷୀରେ ଆଜି ସ୍ବାସ୍ଥ୍ୟ ବିଭାଗ ପୁଣି ଥରେ ସ୍ବତନ୍ତ୍ର ପଦକ୍ଷେପ ନେବା ଆରମ୍ଭ କରିଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ନିରୀକ୍ଷଣ ବଢ଼ାଇବା ଲାଗି ଆଜି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି। ବିଶେଷକରି ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌‌ରେ ଯାତ୍ରୀଙ୍କ ଥର୍ମାଲ ସ୍କାନିଂରେ ପରୀକ୍ଷା ସହିତ ଲକ୍ଷଣଯୁକ୍ତ ଯାତ୍ରୀମାନଙ୍କ ସେହିଠାରେ ହିଁ, ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ କହିଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ନଗର ନିଗମ, ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଆଜି ଚିଠି ଲେଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ଏସବୁ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି। ଯଦି କୌଣସି ଯାତ୍ରୀ ପଜିଟିଭ୍ ଚିହ୍ନଟ ହୁଅନ୍ତି; ତାହାଲେ ତାଙ୍କୁ ତୁରନ୍ତ ଅଲଗା କରିବା ସହିତ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରାଯିବ। ତେଣୁ ଏସବୁ ସ୍ଥାନରେ ଆବଶ୍ୟକ ସଂଖ୍ୟକ ଥର୍ମାଲ ସ୍କାନିଂ ଓ ରାପିଡ୍‌ କିଟ୍‌ ପରୀକ୍ଷାର ବ୍ୟବସ୍ଥା କରିବା ଲାଗି ନିର୍ଦେଶ ଦିଆଯାଇଛି। ତେଣୁ ଏହି ନିର୍ଦେଶକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବା ଲାଗି ଶ୍ରୀ ମହାପାତ୍ର କହିଛନ୍ତି।

ଅପରପକ୍ଷରେ ଦୁଇ ସପ୍ତାହ ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରୁ ଏହି ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୧୧ ତାରିଖରେ ରାଜ୍ୟରେ ୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେବଳ ସଂକ୍ରମିତଙ୍କ ସଂଖ୍ୟାରେ ନୁହେଁ, ଜଣେ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୯ ତାରିଖରେ ରାଜ୍ୟରେ ଶେଷଥର ଲାଗି ଜଣେ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଥିଲା। ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତକଙ୍କ ସଂଖ୍ୟା ୧୯୧୫କୁ ବୃଦ୍ଧି ପାଇଛି।

ଦେଶର କିଛି ରାଜ୍ୟରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ହଠାତ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାସହ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ମଧ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ଓଡ଼ିଶାରେ ହଠାତ୍ ସଂକ୍ରମଣରେ ବୃଦ୍ଧି ଘଟିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଧାରେ ୯, ସୁନ୍ଦରଗଡ଼ରେ ୮ଜଣ ଚିହ୍ନଟ ହୋଇଛନ୍ତି। ଏସବୁ ଜିଲ୍ଲା ଏବେ ବି ସମ୍ବେଦନଶୀଳ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୯୨୪କୁ ବୃଦ୍ଧି ପାଇଛି।

ଅପରପକ୍ଷରେ କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି। ଗତ ୧୮ ତାରିଖ ପରେ କନ୍ଧମାଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇନାହିଁ। ସେହିପରି ରାଜ୍ୟରେ ପୂର୍ବଭଳି କରୋନା ନମୁନା ପରୀକ୍ଷା ସଂଖ୍ୟା ଜାରି ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିକଟରେ ସବୁ ଜିଲ୍ଲପାଳ, ନଗର ନିଗମକୁ ଚିଠି ଲେଖାଯାଇଛି। ହେଲେ ଗତ ୨୪ ଘଣ୍ଟାରେ ୨୪,୬୩୯ ନମୁନା ପରୀକ୍ଷା ହୋଇଛି। ତେଣୁ ପରୀକ୍ଷା ନମୁନା ସଂଖ୍ୟା ବଢ଼ାଇବା ଉପରେ ବିଶେଷଜ୍ଞମାନେ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧିତ ଖବର