ଚିନ୍ତା ବଢ଼ାଇଲା ‘ସଂକ୍ରମଣ ଶକ୍ତି’ : କରୋନାର ‘ଆର୍‌’ ଭ୍ୟାଲୁ ବଢ଼ିଲା, ଆଗକୁ ସଂକ୍ରମଣ ଆହୁରି ବଢ଼ିବ!

ତାଲିକାରେ ପୁରୀ, ଖୋର୍ଧା, କଟକ, ଚିହ୍ନଟ ହେଲେ ଆଉ ୧୭୦

ଭୁବନେଶ୍ବର : ଅପରପକ୍ଷରେ ରାଜ୍ୟରେ କରୋନା ଭୂତାଣୁର ‘ଆର୍‌’ ବା ରିପ୍ରଡକସନ୍ ଭ୍ୟାଲୁ (ଅନ୍ୟମାନଙ୍କୁ ସଂକ୍ରମିତ କରିବାର କ୍ଷମତା) ବୃଦ୍ଧି ପାଇଛି। ଗତ ୧୩ତାରିଖ ପର୍ଯ୍ୟନ୍ତ ରାଜ୍ୟର ‘ଆର୍‌’ ଭ୍ୟାଲୁ ୦.୮୪ ପ୍ରତିଶତ ରହିଥିବା ବେଳେ ଗତକାଲି ସୁଦ୍ଧା ଏହା ୧.୩୦ ପ୍ରତିଶତରେ ପହଞ୍ଚି ଯାଇଛି। ବିଶେଷକରି କଟକ ଓ ଭୁବନେଶ୍ବରରେ ଏହି ସମୟରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ରାଜ୍ୟର ‘ଆର୍‌’ ଭ୍ୟାଲୁକୁ ଏହା ବଢ଼ାଇ ଦେଇଛି। ଯଦି କ୍ରମାଗତ ଭାବେ ରାଜ୍ୟର ‘ଆର୍‌’ ଭ୍ୟାଲୁ ୧ ସଂଖ୍ୟା ଉପରେ ରହେ ତାହାଲେ ରାଜ୍ୟରେ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ଗୋଟିଏ ରୋଗର ସଂକ୍ରମଣକୁ ଏହାର ରିପ୍ରଡକସନ୍‌ ଭ୍ୟାଲୁ ବା ‘ଆର୍‌’ ଭ୍ୟାଲୁରେ ବିବେଚନା କରାଯାଇଥାଏ। ବିଭିନ୍ନ ରୋଗର ଭିନ୍ନ ଭିନ୍ ‘ଆର୍‌’ ଭ୍ୟାଲୁ ରହିଛି। ସାଧାରଣଭାବେ ଏହି ସଂଖ୍ୟା ୧ ଉପରେ ରହିଲେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଥାଏ। ଗତ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୬୦ ସଂଖ୍ୟା ଭିତରେ ରହିଥିଲା। ମାତ୍ର କଟକ ଓ ଭୁବନେଶ୍ବରର ଦୁଇ ଶିକ୍ଷାନୁଷ୍ଠାନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ‌ହେବା ପରେ ଦୈନିକ ସଂକ୍ରମଣ ସଂଖ୍ୟା ଶହେ ଉପରେ ରହିଛି। ଏହାସହ କିଛି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଦୁଇ ଅଙ୍କ ଛୁଇଁ ସାରିଲାଣି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏସବୁ କାରଣ ପାଇଁ ରାଜ୍ୟରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିଥିବା ବିଶେଷଜ୍ଞମାନେ ମତ ରଖୁଛନ୍ତି।

ଖୋର୍ଧା ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ଗତକାଲି ସୁଦ୍ଧା ୧.୭୬କୁ ବୃଦ୍ଧି ପାଇଛି। ଏହି ସମୟରେ ଭୁବନେଶ୍ବରରେ ଏହି ସଂଖ୍ୟା ୧.୧୮ ରହିଛି। ସେହିପରି କଟକ ଜିଲ୍ଲାରେ ‘ଆର’ ଭ୍ୟାଲୁ ୧.୬୨ ରହିଥିବା ବେଳେ କଟକ ସହରରେ ଏହା ୧.୭୦ ପ୍ରତିଶତ ରହିଛି। ଏହାସହ ପୁରୀରେ ଏହା ୧.୮୨ ପ୍ରତିଶତ ରହିଥିବା ଚେନ୍ନାଇସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମାଥମାଟିକାଲ ସାଇନ୍‌ସର ପ୍ରଫେସର ସୀତଭ୍ର ସିହ୍ନା ସୂଚନା ଦେଇଛନ୍ତି। ପ୍ରଫେସର ସିହ୍ନାଙ୍କ ମତ‌ରେ ଏସବୁ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଥିବାରୁ ସେସବୁ ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ କମ୍ ରହିଛି। ତେବେ ଯେଉଁସବୁ ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ୧ ଉପରେ ରହିଛି ସେସବୁକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ କୋଭିଡ ନିୟମାବଳିକୁ କଡ଼ାକଡ଼ି କରିବାକୁ ହେବ। ଯେହେତୁ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ତେଣୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପରିସ୍ଥିତି ବିଗିଡ଼ି ଯାଇପାରେ ବୋଲି ସେ ମତ ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇଛି। ରାଜ୍ୟର ୨୩ଟି ଜିଲ୍ଲାରୁ ୧୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରେ ସର୍ବାଧିକ ୨୭ଜଣ ଚିହ୍ନଟ ହୋଇଥିବା‌ ବେଳେ କଟକ ଓ ଖୋର୍ଧାରେ ୨୩ଜଣ ଲେଖାଏଁ, ସୁନ୍ଦରଗଡ଼ ୨୨ଜଣ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଏବେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫,୮୨୯ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୦.୬୫ ପ୍ରତିଶତ ରହିଛି। ରାଜ୍ୟର ସାମଗ୍ରିକ ଭାବେ ଟିପିଆର ୩.୮୩ ପ୍ରତିଶତକୁ ଖସି ଆସିଛି। ଅପରପକ୍ଷରେ ରାଜ୍ୟରେ ଆଜି ୭୧ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୩୩୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୯୩୭ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର