ସବୁଜରୁ ଗାଢ଼ଲାଲ୍ : ମାସକରେ ହଜିଗଲା ୪ ମାସ ଲଢ଼େଇର ଖୁସି, ଦିନିକିଆ ସଂକ୍ରମଣରେ ଲଗାତାର ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରାୟଗଡ଼ା

୪୮ ଘଣ୍ଟାରେ ୯୪୫ ପଜିଟିଭ୍ ଚିହ୍ନଟ
ଗାଁ ଗାଁକୁ ବ୍ୟାପୁଛି ସଂକ୍ରମଣ, ସ୍ଥିତି ସଙ୍ଗୀନ୍

ରାୟଗଡ଼ା, (ନବୀନ ଚନ୍ଦ୍ର ସାହୁ): ମାର୍ଚ୍ଚ, ଏପ୍ରିଲ୍, ମେ’ ତିନି ମାସ ଧରି ଗ୍ରିନ୍ ଜୋନରେ ଥିଲା ରାୟଗଡ଼ା। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ୟ ୨୯ ଜିଲ୍ଲାକୁ ଛୁଇଁ ସାରିଥିଲା କରୋନା। ହେଲେ ରାୟଗଡ଼ାକୁ ପଶି ପାରିନଥିଲା। ଜୁନ୍ ପହିଲାରେ ଚିହ୍ନଟ ହୋଇଥିଲେ ପ୍ରଥମ ରୋଗୀ। ଜୁନ୍ ଶେଷ ବେଳକୁ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଥିଲା ୩୯ରେ। ଜୁଲାଇ ଶେଷରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୭୩୩ ହୋଇଥିଲା। ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଥିଲା ବିସ୍ଫୋରକ ସ୍ଥିତି। ଗତ ୨୯ ଦିନରେ ରେକର୍ଡ ୩୯୩୨ ପଜିଟିଭ୍ ଚିହ୍ନଟ ହୋଇ ସଂକ୍ରମିତଙ୍କ ସଂଖ୍ୟା ୪୬୬୫ରେ ପହଞ୍ଚିବା ସହ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା କୋଭିଡ଼୍ ମୁକାବିଲାରେ ପ୍ରଶାସନର ସବୁ ଉଦ୍ୟମକୁ ଫସର ଫଟାଇ ଦେଇଛି।

ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଜୁନ୍ ଶେଷ ସୁଦ୍ଧା ରାୟଗଡ଼ା ସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ପଡୋଶୀ ଗଜପତି, ଗଞ୍ଜାମ, କୋରାପୁଟ ସମେତ ଆନ୍ଧ୍ରରେ ଜୁନ୍ ବେଳକୁ କରୋନା ତାଣ୍ଡବ ରଚୁଥିଲା। ଏହି ଜିଲ୍ଲା ଗୁଡ଼ିକରେ ଦୈନିକ ସଂକ୍ରମଣ ହାର ବୃଦ୍ଧି ଯୋଗୁ ଜିଲ୍ଲା ପ୍ରଶାସନ ଗଜପତି, ଗଞ୍ଜାମ, କୋରାପୁଟ ଓ ଆନ୍ଧ୍ର ସୀମାନ୍ତକୁ ସିଲ୍ କରିଥିଲା। ସଂକ୍ରମଣ ରୋକିବାକୁ ସପ୍ତାହର ଶନିବାର, ରବିବାରକୁ ସଟଡାଉନ୍ ଘୋଷଣା କରିଥିଲା। ଗଞ୍ଜାମ, ଗଜପତି, ଆନ୍ଧ୍ରକୁ ଯାତାୟତ ଉପରେ କଟକଣା ଜାରି କରିଥିଲା। ଗ୍ରିନ୍ ଜୋନରୁ ରେଡ୍ ତ ଦୂରର କଥା ଅରେଞ୍ଜ ଜୋନକୁ ନ ଯିବା ଲାଗି ପ୍ରଶାସନ ଏହି ସବୁ ପଦକ୍ଷେପ ନେଇଥିଲା। ଜିଲ୍ଲାପାଳ ପ୍ରତି ବ୍ଲକକୁ ଗସ୍ତ କରି ବିଡ଼ିଓ, ତହସିଲଦାର, ଜନପ୍ରତିନିଧିଙ୍କ ସହ କୋଭିଡ଼୍ ମୁକାବିଲା ଲାଗି ବୈଠକ କରିଥିଲେ। ନିୟମିତ ମାସ୍କ ନ ପିନ୍ଧିଲେ ୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଲେ। ସେହିପରି ଏସପି ଡା. ଶର୍ବଣା ବିବେକ ଏମଙ୍କ ତତ୍ତ୍ବାବଧାନରେ ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ପୁଲିସ୍ ଅଙ୍କୁଶ ଲଗାଇବା ସହ ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ପ୍ରଶାସନର ଏପରି ପଦକ୍ଷେପ ଯୋଗୁ ଆଶା ଥିଲା ଅଗଷ୍ଟରେ ସ୍ଥିତି ସ୍ବାଭାବିକ ହୋଇଯିବ। ହେଲେ ମାସକରେ ସବୁ ଆଶା ନିରାଶାରେ ପରିଣତ ହେବା ସହ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଲା।

ଅଗଷ୍ଟ ୧ ତାରିଖରେ ୧୬୪ ଆକ୍ରାନ୍ତ ଚିହ୍ନଟ ପରେ ଆଉ ପଛକୁ ଚାହିଁନଥିଲା ରାୟଗଡ଼ା। ନିୟମିତ ଶହେରୁ ଉର୍ଧ୍ବ ଆକ୍ରାନ୍ତ ଚିହ୍ନଟ ଯୋଗୁ ଅଗଷ୍ଟ ୧୦ ବେଳକୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଥିଲା ୧୫୧୦ରେ। ଅଗଷ୍ଟ ୧୬ରେ ସଂଖ୍ୟା ୨୦୬୬, ଅଗଷ୍ଟ ୨୦ରେ ୨୬୬୨ରେ ପହଞ୍ଚିଥିଲା। ହେଲେ ଗତ ୧୦ ଦିନରେ ଆକ୍ରାନ୍ତ ସଂଖ୍ୟା ପୁଣି ଦ୍ବିଗୁଣା ହୋଇ ୪୬୬୫ରେ ପହଞ୍ଚିଛି। ସେଥି ମଧ୍ୟରୁ ଗତ ୪୮ ଘଣ୍ଟା ମଧ୍ୟରେ କେବଳ ୯୪୫ ପଜିଟିଭ୍ ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଗୁଣପୁର, ରାୟଗଡ଼ା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଦୁଇ ସହରର କାରଗାରରୁ ୨୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ବଡବାରିଡି ଗାଁରୁ ୯୮ ଏବଂ ରାୟଗଡ଼ା ବ୍ଲକରୁ ୯୧, ଗୁଣପୁର ସହରରୁ ୫୦ ଓ ରାୟଗଡ଼ା ସହରରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ୨୦ ପରଠୁ ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ଗତିରେ ବ୍ରେକ୍ ଲଗାଇବାକୁ ପ୍ରଶାସନ ସମସ୍ତ ଉଦ୍ୟମ ବିଫଳ ହେବା ସହ ଗାଁ ପରେ ସହର, ସହର ପରେ ଗାଁକୁ ମାଡ଼ି ଚାଲିଛି କରୋନା।

ପୂର୍ବରୁ ଗୁଣପୁର ବ୍ଲକର ବିଜୟପୁର, ପଦ୍ମପୁର, କାଶୀପୁର ହଟସ୍ପଟରେ ଥିବା ବେଳେ ଏବେ ଚନ୍ଦ୍ରପୁର, ବିଷମକଟକ, ମୁନିଗୁଡା, କଲ୍ୟାଣସିଂହପୁର ବ୍ଲକ୍ ନୂଆ ହଟସ୍ପଟ୍ ପାଲଟିଛି। ରାୟଗଡ଼ା, ଗୁଣପୁର ଉଭୟ ସହରର ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି। ଫଳରେ ୪ ମାସ ଧରି ଗ୍ରିନ୍ ଜୋନରେ ଥିବା ରାୟଗଡ଼ା ଏବେ ରେଡ୍ ଜୋନରେ ପରିଣତ ହୋଇଛି। ମାସକ ମଧ୍ୟରେ ସଂକ୍ରମଣ ହାର ବଢ଼ିବାର କାରଣ ଜିଲ୍ଲା ପ୍ରଶାସନ ଖୋଜି ପାଉନଥିବା ବେଳେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆରଡିସିଙ୍କ ସମୀକ୍ଷା ସହ ସରକାରଙ୍କ ସମସ୍ତ ଷ୍ଟାଟ୍ରେଜି କରୋନା ମୁକାବିଲାରେ ବିଫଳ ହୋଇଛି। ଦୈନିକ ଜିଲ୍ଲାରୁ ଏବେ ୧ ହଜାର ସ୍ବାବ ଟେଷ୍ଟ୍ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ବୋଲି ପ୍ରଶାସନ କହିଛି। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ସଂକ୍ରମଣ ହାର ବଢ଼ିବ। ଏହା ପରେ ସ୍ଥିତିରେ ସୁଧାର ଆସିବ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର