ସମ୍ବଲପୁରରେ ପୁଣି ଉପରମୁହାଁ କରୋନା ଗ୍ରାଫ୍‌

ଖୋର୍ଦ୍ଧା, କଟକ ପରେ ତୃତୀୟରେ ସମ୍ବଲପୁର

ସମ୍ବଲପୁର : ପୁଣିଥରେ ସମ୍ବଲପୁରରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଛି। ପ୍ରଶାସନର ଖାମଖିଆଲି ମନୋଭାବ ଓ ଅମାନିଆଙ୍କ ମନମାନୀ କାରଣରୁ ସଂକ୍ରମଣ ଏଭଳି ସ୍ଥିତି ଦେଖାଦେଇଥିବା ସଚେତନ ମହଲରେ ଆଲୋଚନା ହେଉଛି। ଦୀପାବଳି ପୂର୍ବରୁ ଯଦି ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଥାନ୍ତା, ତେବେ ହୁଏତ ଜିଲ୍ଲାର ସ୍ଥିତି ଅଲଗା ଥାନ୍ତା ବୋଲି କହାଯାଉଛି। ଗତ ଶନିବାର ଜିଲ୍ଲାରେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ତା’ପରଠୁ ପୁଣିଥରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସମ୍ବଲପୁରରେ ଦୈନିକ ସଂକ୍ରମଣ ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି, ଯାହା ଜିଲ୍ଲାବାସୀ ଓ ପ୍ରଶାସନ ପାଇଁ ସତର୍କ ଘଣ୍ଟି ବଜାଇଛି। ରାଜ୍ୟରେ ଖୋର୍ଦ୍ଧାରେ ବୁଧବାର ସର୍ବାଧିକ ୧୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୩୩ ଜଣ କଟକରେ ଚିହ୍ନଟ ହୋଇଛନ୍ତି। ଏହି ୨ ଜିଲ୍ଲା ପରେ ସମ୍ବଲପୁର ତୃତୀୟ ସ୍ଥାନରେ ରହିଛି। ସମ୍ବଲପୁରରେ ବୁଧବାର ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ୧୮ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୪୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ପୂରା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରରୁ ସର୍ବାଧିକ କରୋନା ସଂକ୍ରମିତ ବୁଧବାର ଚିହ୍ନଟ ହୋଇଛନ୍ତି। ସମ୍ବଲପୁରକୁ ଛାଡ଼ି ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାାରେ ବୁଧବାର ଚିହ୍ନଟ ହୋଇଥିବା ଦୈନିକ ସଂକ୍ରମଣ ଏକ ଅଙ୍କରେ ରହିଛି।

ବୁଧବାର ସମ୍ବଲପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରୁ ୧୫ ଜଣ ରହିଥିବା ବେଳେ ବ୍ଲକଗୁଡ଼ିକରୁ ୩ ଜଣ ରହିଛନ୍ତି। ଏସ୍‌ଏମ୍‌ସି ଅଧୀନ ମୁଦିପଡ଼ାରୁ ସର୍ବାଧିକ ୪ ଜଣ ସଂଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁର୍ଲା ଭିମ୍‌ସାର୍‌, ବଡବଜାର, ଦେବେଇପାଲି, ବରେଇପାଲି, ବେହେରାମୁଣ୍ଡା, ଏସ୍‌ଆର୍‌ଆଇଟି କଲୋନି, ବୁଢ଼ାରଜା ଓ ପେନ୍‌ସନ୍‌ପଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭଳି ବ୍ଲକଗୁଡ଼ିକ ମଧ୍ୟରେ ଜମନକିରାରୁ ୨ ଜଣ ଓ ଯୁଯୁମୁରାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛି।

ଏସ୍‌ଏମ୍‌ସି ଅଧୀନ ଅଞ୍ଚଳରେ ବୃଦ୍ଧି ପାଉଥିବା ସଂକ୍ରମଣ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଭଳି ଖୋଲାଖୋଲି କଟକଣା ଉଲ୍ଲଙ୍ଘନ ହେଲେ ଆଗକୁ ଅମାନିଆ ଓ ପ୍ରଶାସନର ଅବହେଳା କାରଣରୁ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଇବ। ତେଣୁ ସଂକ୍ରମଣ କମାଇବା ଦିଗରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଏସ୍‌ଏମ୍‌ସି କର୍ତ୍ତୃପକ୍ଷ କାମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର