ଭୁବନେଶ୍ୱର : ଚଳିତ ମାସ ୫ ତାରିଖ ବେଳକୁ ରାଜ୍ୟର ଦୈନିକ ସଂକ୍ରମଣ ୧୨୦୦ ରହିଥିଲା। ହେଲେ ଗତ ୧୦ ଦିନରେ ଏହା ୧୦ଗୁଣ ବଢ଼ି ଏବେ ୧୧ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୧୭୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି, ଖୁବ୍ଶୀଘ୍ର ଏହା ଦ୍ବିତୀୟ ଲହରର ସର୍ବାଧିକ ଦୈନିକ ସଂକ୍ରମଣକୁ ଟପି ଯାଇପାରେ। ମାତ୍ର ଚିନ୍ତାଜନକ ବିଷୟ ହେଉଛି ଯେ ଚଳିତ ଲହରରେ ସଂକ୍ରମଣ ହାରରେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଧାକୁ ପଛରେ ପକାଇ ଦେଇଛି। ଜିଲ୍ଲାରେ ପ୍ରତି ଶହେ ନମୁନା ପରୀକ୍ଷାରେ ୩୦ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଖୋର୍ଧାରେ ଏହା ୨୭ପ୍ରତିଶତ ରହିଛି।
ଓମିକ୍ରନ୍ ପାଇଁ ରାଜ୍ୟରେ କରୋନାର ତୃତୀୟ ଲହର ଜାରି ରହିଛି। ପ୍ରଥମଥର ଲାଗି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୭୪,୯୩୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୧୪.୪୯ ପ୍ରତିଶତ।

ଖୋର୍ଧା, ସୁନ୍ଦରଗଡ଼ ବାଦ୍ ମୟୂରଭଞ୍ଜ ଓ ସମ୍ବଲପୁରରେ ସଂକ୍ରମଣ ହାର ରାଜ୍ୟର ହାରଠାରୁ ଅଧିକ ରହିଛି। ଖୋର୍ଧା ଜିଲ୍ଲାରେ ଦୈନିକ ୩ ହଜାର ସଂକ୍ରମଣ ଧାରା ଜାରି ରହିଛି। ଗୋଟିଏ ଦିନରେ ଜିଲ୍ଲାରୁ ୩୪୨୪ ଆକ୍ରାନ୍ତ ଚିହ୍ନଟ ହେବା ସହ ଖୋର୍ଧା ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ପାର୍ କରିଛି। ସୁନ୍ଦରଗଡ଼ରେ ପ୍ରଥମଥର ଲାଗି ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍ କରିଛି। ଏଠାରେ ୨୧୩୬ ପଜିଟିଭ୍ ବାହାରିଛନ୍ତି। ଏହାବାଦ୍ କଟକ ୮୨୯, ବାଲେଶ୍ବର ୩୪୨, ବଲାଙ୍ଗୀର ୩୧୨, ସମ୍ବଲପୁର ୩୭୯, ମୟୂରଭଞ୍ଜ ୨୭୬, ସୋନପୁର ୨୩୮, ଝାରସୁଗୁଡ଼ା ୧୯୩, କଳାହାଣ୍ଡି ୧୭୩, ଜଗତସିଂହପୁର ୧୬୪, ନବରଙ୍ଗପୁର ୧୫୫, ନୟାଗଡ଼୧୫୯, ରାୟଗଡ଼ା ୧୮୪ ଓ ଷ୍ଟେଟ୍ ପୁଲ୍ରୁ ୭୩୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ହଜାର ୯୧୨ରେ ପହଞ୍ଚିଛି।
ରାଜ୍ୟରେ ଆଉ ୩ଜଣ କରୋନାରେ ମୃତ୍ୟୁ ନେଇ ସରକାରୀ ଘୋଷଣା ହୋଇଛି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ଆଜି ୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୪୪୫୨ ସୁସ୍ଥ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତମାନ ସୁଦ୍ଧା ୧୦ଲକ୍ଷ ୬୦ହଜାର ୬୭ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୬୫,୩୧୧ ଚିକିତ୍ସାଧୀନ ରୋଗୀ ରହିଛନ୍ତି।