ସୁନ୍ଦରଗଡ଼ରେ କରୋନା ବେକାବୁ; ସଂକ୍ରମଣର ବାହକ ଛତିଶଗଡ଼

ଢିଲା ପ୍ରଶାସନ, ବେପରୱା ଜନତା

ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସବୁଠାରୁ ଚିନ୍ତାଜନକସ୍ଥିତିରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ରାଜ୍ୟ ସରକାର ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରିଛନ୍ତି। ଅପ୍ରେଲ ପହିଲାରେ ଦୁଇ ଅଙ୍କରେ ଥିବା କରୋନା ମାତ୍ର ୭ ଦିନ ମଧ୍ୟରେ ୩ ଅଙ୍କକୁ ଛୁଇଁ ଯାଇଥିଲା। ଯାହା ଆଉ ତଳକୁ ଖସିବାର ନାଁ ନେଉ ନାହିଁ। ୧ ତାରିଖରେ କରୋନା ସଂକ୍ରମଣ ସଂଖ୍ୟା ୩୧, ଥିବା ବେଳେ ୨ରେ ୬୨, ୩ରେ ୭୫, ୪ରେ ୮୫, ୫ରେ ୮୦, ୬ରେ ୮୪ ଓ ୭ରେ ୧୪୭କୁ ପହଞ୍ଚିଥିଲା। ୮ ତାରିଖରେ ୧୩୧, ୯ରେ ତା’ର ଦୁଇ ଗୁଣ ୨୨୪ ଓ ୧୦ରେ ଦୈନିକ ସର୍ବକାଳୀନ ରେକର୍ଡ ୩୫୫ରେ ପହଞ୍ଚି ଜିଲ୍ଲା ପାଇଁ ଉଦବେଗର କାରଣ ସାଜିଲା। ୧୧ ତାରିଖରେ ସଂକ୍ରମଣ ସଂଖ୍ୟା ୩୧୭ ରହିଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବହୁ ଉପରକୁ ଉଠିଯାଇଛି ସୁନ୍ଦରଗଡ଼।

ତେବେ ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ବଢ଼ୁଛି କାହିଁକି। ଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରିଛି। ତାର କାରଣ ଖୋଜିଲା ବେଳେ ଅନେକ କଥା ସାମ୍ନାକୁ ଆସିଛି। ତେବେ ପ୍ରମୁଖ ଭାଗରେ ପ୍ରାଶାସନିକ ଉଦାସୀନତା ଓ ସାଧାରଣଲୋକଙ୍କ ସଚେତନତା ଅଭାବ ବା ବେପରୱା ମନୋଭାବ କରୋନା ସଂକ୍ରମଣ ବୃଦ୍ଧିର କାରଣ ବୋଲି କୁହାଯାଉଛି। ତେବେ ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ରୁ କରୋନା ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାକୁ ଲାଗି ରହିଛି ଦୁଇଟି ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡ। ଜିଲ୍ଲାର ସୁନ୍ଦରଗଡ଼ ଉପଖଣ୍ଡରେ ଥିବା ୩ଟି ବ୍ଲକ୍ ବାଲିଶଙ୍କରା, ହେମଗିର ଓ ଲେଫ୍ରିପଡ଼ା ଛତିଶଗଡ଼ ସୀମାରେ ରହିଛି। ସେହିପରି ସବଡେଗା, ବଡ଼ଗାଁ ଓ କୁତ୍ରା ଝାଡ଼ଖଣ୍ଡ ସୀମାକୁ ଲାଗିଛି। ଛତିଶଗଡ଼ର ରାୟଗଡ଼ ଓ ଯଶପୁର ସହ ବାଲିଶଙ୍କରା, ହେମଗିର ଓ ଲେଫ୍ରିପଡ଼ା ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ପ୍ରତିଦିନ ରାୟଗଡ଼ ଓ ଯଶପୁରର ବେପାରୀ ଓ ସାଧାରଣ ଲୋକେ ଏହି ୩ଟି ବ୍ଳକକୁ ଆସୁଥିବା ବେଳେ ଏଠାକାର ଲୋକେ ସେଠାକୁ ଯାଇଥାନ୍ତି। ଖାଦ୍ୟପେୟ, ପନିପରିବା ଓ ସମସ୍ତ ଜିନିଷ କ୍ରୟବିକ୍ରୟ ପାଇଁ ଉଭୟ ଅଞ୍ଚଳର ଲୋକଙ୍କ ଯିବଆସିବା ଜାରି ରହିଥାଏ। ଏପରିକି ଛତିଶଗଡ଼ରୁ ପାଇକାରୀ ଜିନିଷ ଏହି ୩ଟି ବ୍ଲକକୁ ବେପାରୀ ଆଣି ବିକିଥାନ୍ତି।

୨୦୨୦ ସେପ୍ଟେମ୍ବରରେ କରୋନା ସଂକ୍ରମଣ ଆଶାନୁରୂପ ହ୍ରାସ ପାଇବା ପରେ ଏ ଦୁଇ ରାଜ୍ୟର ଲୋକଙ୍କ ଯିବାଆସିବା ବେଧଡ଼କ ବଢ଼ିଯାଇଥିଲା। କରୋନା ଚାଲିଗଲା ଭାବି ଲୋକେ ଖୋଲାଖୋଲି ମିଳାମିଶା କରିବାକୁ ଲାଗିଲେ। ଠିକ୍ ଏହି ସମୟରେ ଗତ ମାର୍ଚ୍ଚରେ ନାଗପୁରର ଏକ ବାଜା ଦଳ ବାଲିଶଙ୍କରା ବ୍ଲକ୍ ଲୁଲକିଡିହିକୁ ଆସି ୧୫ ଦିନ ଧରି ବିଭିନ୍ନ ବିବାହ ଉତ୍ସବରେ ଭାଗ ନେଇଥିଲେ। ତା’ ପରେ ଅଚାନକ ବନଡେଗା ଓ ଲୁଲୁକିଡିହି ଅଞ୍ଚଳରେ କରୋନା ହୁହୁ ହୋଇ ବଢ଼ିଲା। ସେ ବାଜା ଦଳଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ଲୋକେ କରୋନା ସଂକ୍ରମିତ ହୋଇଥିବା କୁହାଗଲା।

ଅନ୍ୟପଟେ ରାଉରକେଲା ଓ ସୁନ୍ଦରଗଡ଼ରୁ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ବସ୍ ଚଳପ୍ରଚଳ ଜାରି ରହିଛି। ରାଉରକେଲାରୁ ସବୁଠାରୁ ଅଧିକ ବସ୍ ଉତ୍ତରପ୍ରଦେଶ, ବିହାର, ଝାରଖଣ୍ଡକୁ ଯାତାୟତ କରିଥାଏ। ରାଉରକେଲାରେ ଚାକିରି କରୁଥିବା ଅବା ଶ୍ରମିକ ଭାବେ ଖଟୁଥିବା ସେସବୁ ରାଜ୍ୟର ଲୋକେ ଯିବାଆସିବା କରିଥାନ୍ତି। ସେହିବାଟେ କରୋନା ରାଉରକେଲା, ସୁନ୍ଦରଗଡ଼କୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତେବେ ୨୦୨୦ ସେପ୍ଟେମ୍ବର ପରେ କରୋନା ସଂକ୍ରମଣ କମିଯିବା ପରେ ପ୍ରଶାସନ ସଂକ୍ରମଣ ସତର୍କତାକୁ ଆଖି ବୁଜି ଦେଇଥିଲା। ସୁନ୍ଦରଗଡ଼ରେ ଆଉ ମାକ୍ସ ଯାଞ୍ଚ ହୋଇ ନଥିଲା କି ସାନିଟାଇଜ୍ କରାଯାଇନଥିଲା। ସାମାଜିକ ଦୂରତ୍ବ ଆଉ ନଥିଲା। ହାଟବଜାର, ଦୋକାନରେ ବିନା ଦ୍ବିଧା ଓ ନିର୍ଭୟରେ ଲୋକଙ୍କ ଭିଡ଼ ଜମିଲା। ସେଥିପ୍ରତି ପ୍ରଶାସନ କୌଣସି ସଚେତନତା କାର୍ଯ୍ୟକ୍ରମ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଆଉ ସାଧାରଣଲୋକେ ମଧ୍ୟ ଏଥିପ୍ରତି ସଚେତନ ରହିଲେ ନାହିଁ କି ଗୁରୁତ୍ବ ଦେଲେ ନାହିଁ। ଫଳରେ କରୋନା ହୁହୁ ହୋଇ ବଢ଼ିଚାଲିଛି। ଏହା ସତ୍ତ୍ବେ ପ୍ରଶାସନ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଶେଷ ତତ୍ପରତା ପ୍ରକାଶ କରୁନାହିଁ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ୪ ଦିନ ପରେ ୧୦ ତାରିଖରୁ ଛତିଶଗଡ଼କୁ ବସ୍ ଓ ଅନ୍ୟ ପରିବହନକୁ ରୋକାଯାଇଛି। ସେହିପରି ଛତିଶଗଡ଼, ଝାରଖଣ୍ଡ ସୀମାରେ ଯାଞ୍ଚ କଡ଼ାକଡ଼ି କରାଯିବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ, କାମଚଳା ଯାଞ୍ଚ ଚାଲିଥିବା ଅଭିଯୋଗ ହୋଇଛି। ସେହିପରି ସୁନ୍ଦରଗଡ଼ ସହରର ହାଟବଜାରରେ ଭିଡ଼ ବଢ଼ିଥିବା ଓ ଲୋକେ ବିନା ମାକ୍ସରେ ବେଧଡ଼କ ବୁଲୁଥିବା ଦେଖାଯାଇଛି। କିନ୍ତୁ ପୁଲିସ ମାତ୍ର କିଛି ସମୟ ପାଇଁ ମାକ୍ସ ଯାଞ୍ଚ ଓ ଜରିମାନା ଆଦାୟ କରି କାମ ସାରି ଦେଉଛି। ଯେଉଁଥିପାଇଁ କରୋନା ସଂକ୍ରମଣ ପ୍ରତିଦିନ ଉଦବେଗଜନକ ଭାବେ ବଢ଼ିଚାଲିଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପୂର୍ବ ପରି ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ସାମାଜିକ ଦୂରତ୍ବ, ସାନିଟାଇଜ୍, ମାକ୍ସ ଯାଞ୍ଚକୁ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର