ବୁର୍ଲା : ଭିମ୍ସାରରେ କାୟା ମେଳାଉଛି କରୋନା। ରବିବାର ଦିନ ପୁଣି ଭିମସାରର ୬ ଜଣ ଡାକ୍ତର, ୮ ଜଣ ମେଡ଼ିକାଲ କର୍ମଚାରୀଙ୍କ ସମେତ ୩ ଜଣ ଛୋଟ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିମ୍ସାର ସୂତ୍ରରୁ ସୂଚନା ମିଳିଛି। ସଂକ୍ରମଣ ଯେଉଁ ମାତ୍ରାରେ ବ୍ୟାପୁଛି ଖୁବ୍ଶୀଘ୍ର ଏହା ସମଗ୍ର ଭିମସାରକୁ ବ୍ୟାପିଯିବାର ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ରବିବାର ଦିନ ଭିମସାରରେ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ ଗତ ୫/୬ ଦିନ ହେଲା ଭିମ୍ସାର ଦ୍ୱିତୀୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦ୍ୱିତୀୟ ରୋଗୀ ଜଣକ ରବିବାର ଦିନ ଝାରସୁଗୁଡ଼ା ମେଡିକାଲରୁ ସ୍ଥାନାନ୍ତର ହୋଇ ବୁର୍ଲା ଡାକ୍ତର ଖାନାକୁ ଆସିଥିଲେ। ଭିମସାର ଦ୍ଵିତୀୟ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପଟେ ରବିବାର ଦିନ ଡାକ୍ତରଖାନାରେ ୧୨୨ଜଣ ରୋଗୀଙ୍କ ଆର୍ଟିପିସିଆର୍ ଟେଷ୍ଟ ହୋଇଥିବା ବେଳେ ୫୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦିନକୁ ଦିନ ବୁର୍ଲା ଭିମ୍ସାରରେ କୋଭିଡ ସ୍ଥିତି ସଙ୍ଗିନ ହେବାକୁ ବସିଥିବା ବେଳେ କର୍ତୃପକ୍ଷଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଦ୍ବିତୀୟ କୋଭିଡ଼ ହସ୍ପିଟାଲରେ ରବିବାର ଦିନ ରୋଗୀ ସଂଖ୍ୟା ୫୦ ରହିଥିବା ବେଳେ ୭ ଜଣ ଆଇସିୟୁ ଅଛନ୍ତି। ୮ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଚିକିତ୍ସିତ ହେଉଥିବା ୫୦ ଜଣ ରୋଗୀଙ୍କ ମଧ୍ୟରୁ ୨୮ ଜଣ ପୁରୁଷ ଓ ୨୨ ଜଣ ମହିଳା ରୋଗୀ ଅଛନ୍ତି। ସେଥିମଧ୍ୟରୁ ୩ ଜଣ ୧ବର୍ଷରୁ କମ୍ ବୟସର ଶିଶୁ ଅଛନ୍ତି ବୋଲି ଦ୍ଵିତୀୟ କୋଭିଡ ହସ୍ପିଟାଲର ଇନ୍ଚାର୍ଜ ଡାକ୍ତର ୱାଇ.ପି. ସାହୁ ସୂଚନା ଦେଇଛନ୍ତି। ୩ ଜଣ ଶିଶୁ ମଧ୍ୟରୁ ବୌଦ୍ଧର ଏକ ୭ ମାସର ଶିଶୁ, ସମ୍ବଲପୁରର ଗୋଟିଏ ୫ ମାସର ଶିଶୁଙ୍କ ସହିତ ବରଗଡ଼ର ଗୋଟିଏ ୪ ମାସର ଶିଶୁ ଦ୍ଵିତୀୟ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।