ଖୋର୍ଧାରେ କରୋନା ୨୦ ହଜାର ଛୁଇଁବ

ଗଞ୍ଜାମରେ ଶହେ ତଳକୁ ଖସିଲା ସଂକ୍ରମଣ

ଆଉ ୯ ମୃତ, ମୃତ୍ୟୁ ସଂଖ୍ୟା ୫୩୧
୯୦ ହଜାର ଟପିଲା ସୁସ୍ଥ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଆଉ ନିୟନ୍ତ୍ରଣରେ ନାହିଁ। ପ୍ରତ୍ୟେକ ଦିନ ରାଜ୍ୟର ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି ଏହି ଜିଲ୍ଲାରୁ। ପୂର୍ବରୁ ଖୋର୍ଧାରେ ସର୍ବାଧିକ ୭୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ଏହି ରେକର୍ଡ ଭାଙ୍ଗି ଯାଇଛି। ଆଜି ୮୫୯ ରୋଗୀ ଚିହ୍ନଟ ହେବା ସହ ଏକ ନୂଆ ରେକର୍ଡ ହୋଇଛି। ଏହାସହ ଉକ୍ତ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୭୪୦ରେ ପହଞ୍ଚିଛି। ଆସନ୍ତାକାଲି ରିପୋର୍ଟରେ ଏହା ୨୦ ହଜାର ପାର୍ କରିବା ନେଇ ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଥମେ ୫ ହଜାର, ୧୦ ହଜାର ଓ ୧୫ ହଜାର ସଂଖ୍ୟାକୁ ଅତିକ୍ରମ କରିଥିବା ବେଳେ ୨୦ ହଜାର ସଂଖ୍ୟାକୁ ଅତିକ୍ରମ କରିବାରେ ଖୋର୍ଧା ପ୍ରଥମ ଜିଲ୍ଲା ପାଲଟିବ।

ଅପରପକ୍ଷରେ ଗଞ୍ଜାମରେ କରୋନା ସଂକ୍ରମଣ ଶହେ ତଳକୁ ଖସି ଆସିଛି। ଏକାଦା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଥିବା ଗଞ୍ଜାମରେ ଗତ ମାସରୁ ସଂକ୍ରମଣ ଖସିବାକୁ ଆରମ୍ଭ କରିଥିବା ବେଳେ ଚଳିତ ମାସରେ ଏହା ଦ୍ରୁତ ଗତିରେ ହ୍ରାସ ପାଇଛି। ମାତ୍ର ଜିଲ୍ଲାରେ କରୋନା ମୃତ୍ୟୁ ଥମୁନାହିଁ। ପ୍ରତ୍ୟେକ ଦିନ ଜିଲ୍ଲାରେ ଏକାଧିକ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହେଉଛି। ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯ରେ ପହଞ୍ଚିଛି, ଯାହାକି ରାଜ୍ୟର ସମୁଦାୟ ମୃତ୍ୟୁର ୩୭ ପ୍ରତିଶତ।

ଆଜି ଆଉ ୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିରେ ଗଞ୍ଜାମ, ଖୋର୍ଧା, କଟକ, ବଲାଙ୍ଗୀରରେ ୨ଜଣ ଲେଖାଏଁ ଓ ରାୟଗଡ଼ାରେ ଜଣେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚିଛି। ଗଞ୍ଜାମରେ ୧୯୯କୁ ବାଦ୍ ଦେଲେ ଖୋର୍ଧାରେ ୭୨, କଟକ ଓ ସୁନ୍ଦରଗଡ଼ରେ ୩୬ ଲେଖାଏଁ, ରାୟଗଡ଼ା ୨୭, ଗଜପତି ୧୮, ପୁରୀ ୧୬, ସମ୍ବଲପୁର ୧୫, ନୟାଗଡ଼ ଓ ବାଲେଶ୍ବରରେ ୧୩ଜଣ ଲେଖାଏଁ ଓ କନ୍ଧମାଳରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ୨୭ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇ ସାରିଲାଣି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୬ ହଜାର ୭୫୪ କୋଭିଡ ନମୁନା ପରୀକ୍ଷା କରାଯାଇଛି। ତହିଁରୁ ୩୨୬୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୯୬୧ ଓ ଲୋକାଲ କଣ୍ଟାକ୍ଟ ୧୩୦୬ ରହିଛନ୍ତି। ଖୋର୍ଧା ୮୫୯, କଟକ ୩୮୪, ରାୟଗଡ଼ା ୧୬୯, ପୁରୀ ୨୩୫, ଭଦ୍ରକ ୧୩୮, ମୟୂରଭଞ୍ଜ ୧୩୪, ସୁନ୍ଦରଗଡ଼ ୧୨୭, ବରଗଡ଼ ୧୨୦, କେନ୍ଦୁଝର ୧୦୭, ଗଞ୍ଜାମ ୯୭, ନବରଙ୍ଗପୁର ୮୫, ସମ୍ବଲପୁର ୮୦, କୋରାପୁଟ ୮୩, ନୟାଗଡ଼ ୭୦, ସୋନପୁର ଓ ଜଗତ୍‌ସିଂହପୁର ୬୬ ଲେଖାଏଁ, ଅନୁଗୁଳ ୬୦, କେନ୍ଦ୍ରାପଡ଼ା ୫୧, ବୌଦ୍ଧ ୪୪, ବଲାଙ୍ଗୀର ୪୩, ନୂଆପଡ଼ା ୪୦, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩୭ ଲେଖାଏଁ, କନ୍ଧମାଳ ୨୭, ଦେବଗଡ଼ ଓ ଯାଜପୁରରୁ ୨୩ ଲେଖାଏଁ, ଗଜପତି ୧୮, ମାଲକାନଗିରି ୧୭ ଓ ବାଲେଶ୍ବରୁ ୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୬ହଜାର ୬୭୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆଇ ପ୍ରାୟ ୭ପ୍ରତିଶତ ରେକର୍ଡ ହୋଇଛି, ଯାହାକି ଗତ କିଛି ଦିନ ଭିତରେ ସର୍ବାଧିକ।

ଅପରପେକ୍ଷ ଆଜି ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯୦ ହଜାର ଟପିଯାଇଛି। ଆଜି ଆଉ ୨୯୮୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପରେ ଏହି ସଂଖ୍ୟା ୯୦ ହଜାର ୩୩୧ରେ ପହଞ୍ଚିଛି। କଟକରୁ ସର୍ବାଧିକ ୬୫୪ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଖୋର୍ଧା ୨୬୩, ଗଞ୍ଜାମ ୨୧୨, ମୟୂରଭଞ୍ଜ ୨୦୭, ସମ୍ବଲପୁର ୧୨୬, ନୟାଗଡ଼ ଓ ପୁରୀରୁ ୧୧୪ଜଣ ଲେଖାଏଁ, ବାଲେଶ୍ବର ୧୧୧, କୋରାପୁଟ ୧୦୩, କେନ୍ଦ୍ରାପଡ଼ା ୯୧, ବରଗଡ଼ ୮୭, ଅନୁଗୁଳ ଓ କେନ୍ଦୁଝରରୁ ୮୦ ଲେଖାଏଁ, ରାୟଗଡ଼ା ୭୬, ଢେଙ୍କାନାଳ ୭୫, ସୁନ୍ଦରଗଡ଼ ୬୮, ଝାରସୁଗୁଡ଼ା ୬୭, ଭଦ୍ରକ ୬୪, ମାଲକାନଗିରି ୬୧, ଜଗତ୍‌ସିଂହପୁର ୩୮, ନୂଆପଡ଼ା ୩୭, କନ୍ଧମାଳ ୩୩, ଗଜପତି ୨୫, ନବରଙ୍ଗପୁର ୨୧, ଯାଜପୁର ୨୦, କଳାହାଣ୍ଡି ୧୦, ଦେବଗଡ଼ ଓ ସୋନପୁରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୨୫ ହଜାର ୭୬୩ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୬.୯ ପ୍ରତିଶତରେ ପହଞ୍ଚିଛି।

ସମ୍ବନ୍ଧିତ ଖବର