କୋଭିଡ ମୃତକଙ୍କୁ କ୍ଷତିପୂରଣ: ଆସିଲାଣି ୫ହଜାରରୁ ଅଧିକ ଆବେଦନ, ଖୋର୍ଧା ଜିଲ୍ଲାରେ ସର୍ବାଧିକ ଆବେଦନ, ଢେଙ୍କାନାଳରେ କମ୍‌

ଅନଲାଇନ୍‌ ଆବେଦନରେ ଓଟିପିକୁ ନେଇ ସମସ୍ୟା ଅଭିଯୋଗ

ଭୁବନେଶ୍ବର: ଚଳିତମାସ ୩ତାରିଖଠାରୁ ରାଜ୍ୟରେ କୋଭିଡ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନ ଆରମ୍ଭ ହୋଇଛି। ଘୋଷଣାର ୧୮ଦିନରେ ରାଜ୍ୟରେ ୫ହଜାରରୁ ଅଧିକ ଆବେଦନ ହେଲାଣି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ଥିବା ବେଳେ ଢେଙ୍କାନାଳରୁ ସର୍ବନିମ୍ନ ଦେଖିବାକୁ ମିଳିଛି। କ୍ଷତିପୂରଣ ପାଇଁ ଆବେଦନ କରିଥିବା ୨୮ ପ୍ରତିଶତ ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଗତକାଲି ସୁଦ୍ଧା ରାଜ୍ୟରେ ୫୬୩୩ ଆବେଦନପତ୍ର ଆସିଛି। ତହିଁରୁ ୧୭୦୪ଜଣଙ୍କୁ କୋଭିଡ ମୃତ୍ୟୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଖୋର୍ଧା ଜିଲ୍ଲାରେ ଭୁବନେଶ୍ବରକୁ ମିଶାଇ ଏ ପର୍ଯ୍ୟନ୍ତ ୧୧୪୩ ଆବେଦନ‌ ପତ୍ର ଆସିଥିବା ବେଳେ ତହିଁରୁ ମାତ୍ର ୭୭ଜଣଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। କଟକରେ ୯୯୪ ଆବେଦନରୁ ୨୩୩ଜଣ, ଗଞ୍ଜାମରେ ୪୯୧ରୁ ମଧ୍ୟରୁ ୩୬ଜଣ, ସୁନ୍ଦରଗଡ଼ ୪୫୧ରୁ ୭୨, ଅନୁଗୁଳରେ ୧୪୮ରୁ ୬୬, ବରଗଡ଼ରେ ୧୯୪ରୁ ୯୨, ବାଲେଶ୍ବରରେ ୨୦୯ରୁ ୯୮, ଯାଜପୁରରେ ୧୭୬ରୁ ୧୨୮ ଓ ଦେବଗଡ଼ ଜିଲ୍ଲାରେ ମାତ୍ର ୧୧ଜଣ ଆବେଦନ କରିଥିବା ବେଳେ ୬ଜଣଙ୍କୁ ସାର୍ଟିଫିକେଟ୍ ଦିଆଯାଇଛି। ତେବେ ଏଥିରୁ କେତୋଟି ଆବେଦନପତ୍ରକୁ ନାକଚ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟ ଆବେଦନର ଯାଞ୍ଚ ଜାରି ରହିଛି।

ରାଜ୍ୟରେ କରୋନାର ଉଭୟ ପ୍ରଥମ ଓ ଦ୍ବିତୀୟ ଲହରକୁ ମିଶାଇ ୮୩୯୪ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଯଦିଓ ଏବେ ମୃତକଙ୍କ ସଂଖ୍ୟା କମି ଆସିଛି ତଥାପି ପ୍ରତ୍ୟେକ ଦିନ ୨/୩ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଉଛି। ସରକାରୀଭାବେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରେ ୧୫୭୨ଜଣଙ୍କ ମୃତ୍ୟୁ ହୋଇଛି। କଟକରେ ୮୫୫, ସୁନ୍ଦରଗଡ଼ ୫୯୧, ଗଞ୍ଜାମ ୪୮୧, ଅନୁଗୁଳ ୩୯୮, ଜଗତସିଂହପୁର ୩୧୮, ବାଲେଶ୍ବର ୨୯୭, କେନ୍ଦ୍ରାପଡ଼ାରେ ୨୫୨ଜଣ ଓ ଅନ୍ୟ ଜିଲ୍ଲାରେ ମୃତକଙ୍କ ସଂପର୍କରେ ସରକାର ଘୋଷଣା କରିଛନ୍ତି। ତେବେ ସୁପ୍ରିମକୋର୍ଟ ଦେଇଥିବା ରାୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେଉଥିବା ବ୍ୟକ୍ତି ୩୦ଦିନ ଭିତରେ ପ୍ରାଣ ହରାଇବା ଓ ହସ୍ପିଟାଲରେ ୩୦ଦିନରୁ ଅଧିକ ସମୟ ଧରି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ ‌ମୃତ୍ୟୁ ବିବେଚନା କରାଯିବ ବୋଲି କହିଛନ୍ତି। ଯାହାଫଳରେ ରାଜ୍ୟରେ ସରକାର ଘୋଷଣା କରିଥିବା କୋଭିଡ ମୃତ୍ୟୁ ସଂଖ୍ୟାଠାରୁ କ୍ଷତିପୂରଣ ପାଇଁ ଆବେଦନ ସଂଖ୍ୟା ଅଧିକ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ଏହାସହ ୨୦୨୦ବର୍ଷରେ ୨୦୧୯ ମସିହା ତୁଳନାରେ ଅତିରିକ୍ତ ୨୦ହଜାର ମୃତ୍ୟୁ ପଞ୍ଜୀକୃତ ହୋଇଛି। ତହିଁରୁ କେତେ ସଂଖ୍ୟକ ବ୍ୟକ୍ତି କୋଭିଡରେ ପ୍ରାଣ ହରାଇଛନ୍ତି ତାହା ଆବେଦନ ଓ ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ।

ଅପରପକ୍ଷରେ ଅନ୍‌ଲାଇନ୍‌ ଆବେଦନରେ ଆବେଦନକାରୀ କିଛି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ‌‌ଢେଙ୍କାନାଳ ଜିଲ୍ଲା ଗଁନ୍ତିଆ ବ୍ଲକ୍‌ର ବରଦା ଗାଁର ତୁଷାର ମହାନ୍ତି କୋଭିଡରେ ବାପାମା’ଙ୍କୁ ହରାଇଛନ୍ତି। କିଛିଦିନ ତଳେ ସେ କ୍ଷତିପୂରଣ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆବଶ୍ୟକ ଫର୍ମ ଭରିଥିଲେ ମଧ୍ୟ ତାଙ୍କ ପାଖକୁ ଓଟିପି ଆସି ନ ଥିଲା। ଏଥିପାଇଁ ସେ ୧୫୫୩୩୫ ନମ୍ବରକୁ ଯୋଗାଯୋଗ କରିଥିଲେ ହେଁ, ତାଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯିବା ପାଇଁ କୁହାଯାଇଥିବା ତୁଷାର ‘ସମ୍ବାଦ’କୁ କହିଛନ୍ତି। ‘ସିଏପିଏସ୍‌’ ଆପ୍‌ରେ ଆବେଦନ କରିବା ସମୟରେ ସାଧାରଣ ଲୋକଙ୍କୁ ସହଜ ହେଉନାହିଁ। କମ୍ପ୍ୟୁଟର କିମ୍ବା ଇଣ୍ଟରନେଟ୍ ସଂପର୍କରେ କମ୍ ଜାଣିଥିବା ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅପରପକ୍ଷରେ ଅନେକ ଲୋକଙ୍କ ଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଯଥେଷ୍ଟ ଦୂରରେ ଥିବାରୁ ଅଫ୍‌ଲାଇନ୍ ଆବେଦନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ ନାକେଦମ ହେବାକୁ ପଡ଼ୁଛି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅନ୍‌ଲାଇନ୍‌ ଆବେଦନ ସମୟରେ ଓଟିପି ଆସୁ ନ ଥିବା ସଂପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ଯଦି କୌଣସି ସମସ୍ୟା ଦେଖା ଦେଉଛି ଆବେଦନକାରୀ ଚାହିଁଲେ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର